କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନଖଣ୍ଡ ମଧ୍ୟରେ ଥିବା ଭିତରକନିକା ଜାତୀୟ ଉଦ୍ୟାନର ନାଁ ପ୍ରାୟ ସମସ୍ତେ ଶୁଣିଥିବେ। ଏହାର ପୂର୍ବ ଦିଗରେ ଥିବା ଗହୀରମଥା ବେଳାଭୂମି ଅଲିଭ୍ ରିଡ୍ଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ କ୍ଷେତ୍ର ହିସାବରେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ପୁଣି ଏହି ଜାତୀୟ ଉଦ୍ୟାନ ଭିତରେ ଡାଙ୍ଗମାଳଠାରେ କୁମ୍ଭୀରମାନଙ୍କର କୃତ୍ରିମ ପ୍ରଜନନ କେନ୍ଦ୍ର ସ୍ଥାପିତ ହୋଇଛି। କିନ୍ତୁ ଅନେକ ହୁଏତ ଜାଣି ନ ଥିବେ ଯେ ଏହି ଅଞ୍ଚଳରେ ବିଶ୍ବର ସର୍ବବୃହତ୍ ବଉଳା କୁମ୍ଭୀରକୁ ଠାବ କରାଯାଇଥିଲା। ତାହାର ପ୍ରାୟ ଏକ ମିଟର ଲମ୍ବର ଖପୁରି ଏବେ ମଧ୍ୟ କନିକା ରାଜବାଟୀରେ ସାଇତା ହୋଇ ରହିଛି। ନଦୀନାଳ ଘେରା ଭିତରକନିକା ଅଞ୍ଚଳ ଲୁଣିପାଣିରେ ରହୁଥିବା ବିଶାଳକାୟ ‘ବଉଳା’ କୁମ୍ଭୀରମାନଙ୍କର ଚରାଭୂଇଁ। କିନ୍ତୁ ବେଳେବେଳେ ବର୍ଷାଋତୁରେ ନଈଧାରରେ ଏଇ କୁମ୍ଭୀରମାନେ ଉପରକୁ ଆସିଗଲେ ନଈକୂଳିଆ ଗାଁଗଣ୍ଡାରେ ଆତଙ୍କ ଖେଳିଯାଏ। କାରଣ ସେମାନେ ବେଳେବେଳ ଗୃହପାଳିତ ପଶୁ ଓ ଅସତର୍କ ଗ୍ରାମବାସୀଙ୍କୁ ଟାଣିନିଅନ୍ତି ପାଣିକୁ। ଭିତରକନିକା ଓ ଆଖପାଖ ଅଞ୍ଚଳରେ ଏଭଳି ଦୁର୍ଘଟଣାର ଖବର ଅନେକ ସମୟରେ ଶୁଣିବାକୁ ମିଳେ।
କୁମ୍ଭୀରର ନାଁ କାଳିଆ
ପ୍ରାୟ ଶହେ ବର୍ଷ ତଳର କଥା। ବୈତରଣୀ, ବ୍ରାହ୍ମଣୀ ଓ ଧାମରା ନଦୀର ମୁହାଣ ଅଞ୍ଚଳରେ ଏକ ବିଶାଳକାୟ ବଉଳା କୁମ୍ଭୀର ଦେଖାଦେଇଥିଲା। ସେତେବେଳେ ଚାନ୍ଦବାଲି ଓ କଲିକତା ମଧ୍ୟରେ ଷ୍ଟିମର୍ ସେବା ଆରମ୍ଭ ହୋଇଥାଏ। ଏହି ବିଶାଳ କୁମ୍ଭୀରଟି ଅନେକଥର ଷ୍ଟିମର୍ଯାତ୍ରୀଙ୍କ ନଜରରେ ପଡ଼ିଲା। ତା’ର ଶରୀରର ରଙ୍ଗ ସାଧାରଣ କୁମ୍ଭୀରମାନଙ୍କ ଠାରୁ ଅଧିକ କଳା ଥିବାରୁ ଲୋକେ ତା’ର ନାମ ଦେଲେ ‘କାଳିଆ’। କିନ୍ତୁ ମୁହାଣରୁ କାଳିଆ ଯେବେ ନଦୀ ଭିତରକୁ ପଶୁଥିଲା, ଲୋକେ ପ୍ରମାଦ ଗଣୁଥିଲେ। ନଈକୂଳିଆ ଗାଁର ଗୃହପାଳିତ ପଶୁ ତଥା ନିରୀହ ଗ୍ରାମବାସୀମାନଙ୍କୁ ସେ ଟାଣି ନେଉଥିବାର ଖବର ମଧ୍ୟ ଆସିବାକୁ ଲାଗିଲା। ସାଧାରଣତଃ ଏହି ପ୍ରଜାତିର ପୁରୁଷ କୁମ୍ଭୀର ଆକାରରେ ବେଶ୍ ବଡ଼ ହୁଅନ୍ତି। ପୂର୍ଣ୍ଣ ଯୌବନରେ ସେମାନେ ସର୍ବାଧିକ ୧୫ରୁ ୧୮ ଫୁଟ ପର୍ଯ୍ୟନ୍ତ ଲମ୍ବା ହେବାର ଦେଖାଯାଏ। ମାତ୍ର ଏଇ କୁମ୍ଭୀରଟି ଆକାରରେ ଥିଲା ଅଧିକ ବିଶାଳ। ବିଶାଳ ଆକାର ଓ କଳା ରଙ୍ଗରୁ ଦେଖଣାହାରୀ ‘କାଳିଆ’କୁ ସହଜରେ ଚିହ୍ନି ନେଉଥିଲେ। ସେତେବେଳେ ବ୍ରିଟିଶ୍ ଶାସନର ସମୟ। କିଛି ବିଦେଶୀ ଅଭିଜ୍ଞ ଶିକାରୀ ତାକୁ ଗୁଳିକରି ମାରିବା ଉଦ୍ୟମ ମଧ୍ୟ କଲେ। ମାତ୍ର ସେମାନଙ୍କୁ ଫାଙ୍କିଦେଇ କାଳିଆ ମୁକୁଳି ଯାଉଥିଲା। କୁହାଯାଏ, କାଳିଆର ଉପଦ୍ରବ ବହୁବର୍ଷ ଧରି ଲାଗି ରହିଲା। ଶେଷରେ ୧୯୨୬ ମସିହାରେ ଧାମରା ନଦୀରୁ ଏହି କୁମ୍ଭୀରକୁ କନିକାର ତତ୍କାଳୀନ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଗୁଳିକରି ଶିକାର କରିଥିଲେ। କାଳିଆର ଦୈର୍ଘ୍ୟ ଥିଲା ପ୍ରାୟ ୨୩ ଫୁଟ। ତା’ର ଖପୁରିର ଆକାର ପ୍ରାୟ ୧ ମିଟର ଏବଂ ବର୍ତ୍ତମାନ ଏହା କନିକା ରାଜବାଟୀର ସଂଗ୍ରହାଳୟରେ ଗଚ୍ଛିତ ଅଛି।
ଲମ୍ବ ୨୩ ଫୁଟ୍, ଖପୁରି ୧ ମିଟର
ଏଭଳି ପ୍ରସଙ୍ଗରେ ସାଧାରଣତଃ ଅତିରଞ୍ଜିତ କାହାଣୀ ଶୁଣିବାକୁ ମିଳେ। ଲୋକେ ମୃତଜନ୍ତୁଟିର ଆକାର ବଢ଼ାଇ ଚଢ଼ାଇ କହନ୍ତି। କିନ୍ତୁ କାଳିଆ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରମାଣଟି ହେଲା ରାଜବାଟୀର ସଂଗ୍ରହାଳୟରେ ଗଚ୍ଛିତ ଥିବା ଏହାର ଖପୁରି। ଦେଶବିଦେଶରୁ ବହୁ କୁମ୍ଭୀର ବିଶେଷଜ୍ଞ ଆସି ଏହାକୁ ବିଭିନ୍ନ ସମୟରେ ପରୀକ୍ଷା କରିଛନ୍ତି। ବିଶେଷକରି ଏ ସମ୍ପର୍କରେ ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ କୁମ୍ଭୀର ବିଶାରଦ ସ୍କଟ୍ଲ୍ୟାଣ୍ଡ୍ର ଅଧିବାସୀ ଡକ୍ଟର ଏଚ.ଆର୍. ବଷ୍ଟାର୍ଡଙ୍କର ମତାମତ ସବୁଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ।
ଭାରତରେ କୁମ୍ଭୀର ବଂଶ ଲୋପ ପାଇଯାଉଥିବା ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନୁରୋଧରେ ସେ ୧୯୭୫ ମସିହାରେ ଭାରତ ଆସିଥିଲେ। ସେତେବେଳେ ସେ ୟୁନାଇଟେଡ଼୍ ନେସନ୍ସ୍ ଡେଭଲ୍ପମେଣ୍ଟ ପ୍ରୋଗ୍ରାମ୍ (ୟୁ.ଏନ୍.ଡି.ପି)ର ଉପଦେଷ୍ଟା ଥିଲେ। ତାଙ୍କରି ପରାମର୍ଶରେ ‘ଭାରତୀୟ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା। ଭିତରକନିକାର ‘ବଉଳା ପ୍ରକଳ୍ପ’ ତାହାର ଅଂଶବିଶେଷ।
କନିକା ଆସିଥିବାବେଳେ ସେ କାଳିଆର ଖପୁରିକୁ ଦୀର୍ଘ ସମୟ ଧରି ପରୀକ୍ଷାନିରୀକ୍ଷା କରି ଏହା ପୃଥିବୀର ସବୁଠୁ ବଡ଼ କୁମ୍ଭୀରର ଖପୁରି ବୋଲି ଘୋଷଣା କରିଥିଲେ। ସେଥିପାଇଁ ସେ ଇଣ୍ଟର୍ନ୍ୟାସ୍ନାଲ୍ ୟୁନିୟନ୍ ଫର୍ କଞ୍ଜର୍ଭେସନ୍ ଅଫ୍ ନେଚର୍ (ଆଇ.ୟୁ.ସି.ଏନ୍.) ସଂସ୍ଥାକୁ ଏ ସଂପର୍କରେ ଅବଗତ କରାଇ କନିକାରେ ଗଚ୍ଛିତ ଥିବା ଖପୁରି ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଥିଲେ। ପରେ ୨୦୧୩ରେ ପୁଣି ଥରେ କନିକା ଆସିଥିବା ବେଳେ ସେପର୍ଯ୍ୟନ୍ତ ମିଳିଥିବା ସମସ୍ତ ତଥ୍ୟ ଭିତ୍ତିରେ କାଳିଆ ହିଁ ବିଶ୍ବର ସର୍ବବୃହତ୍ କୁମ୍ଭୀର ବୋଲି ସେ ଦୋହରାଇଥିଲେ।
କାଳିଆ ପେଟରୁ ମିଳିଥିଲା ସ୍ବର୍ଣ୍ଣାଳଙ୍କାର
ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରୁଥିବା ତଥା କାଳିଆର ଖପୁରିର ଦୈର୍ଘ୍ୟ ନିରୂପଣ କରିଥିବା ଡକ୍ଟର ସୁଧାକର କର କହନ୍ତି, ‘‘ଓଡ଼ିଶା ଉପକୂଳରେ ବଉଳା କୁମ୍ଭୀରମାନଙ୍କର ସଂଖ୍ୟା ଏବେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନ ଆମ ଦେଶରେ ଥିବା ପ୍ରାୟ ୧୮୦୦ ବଉଳା କୁମ୍ଭୀରଙ୍କ ଭିତରୁ ସତୁରି ଭାଗ ଓଡ଼ିଶାରେ ଥିବା ବେଳେ ଅବଶିଷ୍ଟ ତିରିଶ ଭାଗ ସୁନ୍ଦରବନ ଓ ଆଣ୍ଡାମାନ ନିକୋବର ଅଞ୍ଚଳରେ ଅଛନ୍ତି । ‘କାଳିଆ’ ଭଳି ବିଶ୍ବର ସର୍ବବୃହତ୍ କୁମ୍ଭୀର ଯେ ଦିନେ ଏଠାରେ ବିଚରଣ କରୁଥିଲା, ତାହା ଭିତରକନିକାର ବିସ୍ମୟକର ଜୈବ ବିବିଧତାର ପ୍ରକୃଷ୍ଟ ପ୍ରମାଣ।’’
କାଳିଆର କାହାଣୀ ସ୍ଥାନୀୟ ଲୋକଙ୍କ ପାଇଁ ବିସ୍ମୟ ଓ ଆତଙ୍କର ଏକ ଅଦ୍ଭୁତ ସ୍ମୃତିଲିପି। କୁହାଯାଏ, କାଳିଆର ମୃତ୍ୟୁ ପରେ ତା’ର ପେଟରୁ ଅନେକ ମହିଳାଙ୍କର ଚୁଡ଼ି, ଖଡୁ, ଅଳଙ୍କାର ଆଦି ମିଳିଥିଲା, ଯାହାକି କନିକା ରାଜାଙ୍କ ସଂଗ୍ରହାଳୟରେ ବହୁଦିନ ଧରି ପ୍ରଦର୍ଶିତ ହେଉଥିଲା। ଏବେ ସେସବୁ ନାହିଁ। ଖପୁରିଟିର କିଛି ଅଂଶ ମଧ୍ୟ ଯତ୍ନ ଅଭାବରୁ ଭାଙ୍ଗିଯାଇଛି। ବର୍ତ୍ତମାନ ଏହି ଖପୁରିର ସଂରକ୍ଷଣ ପାଇଁ ସେଥିରେ ବିଶେଷ ଧରଣର ରାସାୟନିକ ଲେପ ଦିଆଯାଇଛି।