କାନପୁର: ସମଗ୍ର ଦେଶରେ କରୋନାଭାଇରସ୍ ଲକ୍ଡାଉନ୍ ଚାଲିଥିବା ବେଳେ କାନପୁରର ଜଣେ କାର୍ ଡ୍ରାଇଭର୍ ଜଣେ ଭିକାରୁଣୀକୁ ପ୍ରେମ କରି ବିବାହ କରିଛନ୍ତି।
ଭିକାରୁଣୀ ନୀଲମ୍ ଓ କାର୍ ଚାଳକ ଅନୀଲଙ୍କ ପ୍ରେମ ଆରମ୍ଭ ହୋଇଥିଲା ୬୦ ଦିନିଆ ଲକ୍ଡାଉନ୍ ବେଳେ। ଲକ୍ଡାଉନ୍ ସମୟରେ ମାଲିକଙ୍କ ନିର୍ଦେଶ ପାଇ ଅନୀଲ କ୍ଷୁଧାର୍ତ୍ତମାନଙ୍କୁ ଭୋଜନ ବାଣ୍ଟୁଥିଲେ। ଦିନେ ସେ ଭୋଜନ ବାଣ୍ଟୁଥିବା ବେଳେ କାନପୁର ସହରର କାକଦେଓ ଅଞ୍ଚଳ ନୀର୍ ଶୀର୍ ଛକ ପାଖ ଫୁଟ୍ପାଥ୍ରେ ସେ ଭିକ୍ଷା କରୁଥିବା ନୀଲମ୍ଙ୍କୁ ଦେଖିଥିଲେ।
ପ୍ରେମ କାହାଣୀର ଅୟାମାରମ୍ଭ ସମ୍ପର୍କରେ କହିବାକୁ ଯାଇ ନୀଲମ୍ କହନ୍ତି, ଅନେକ ଦିନ ତଳେ ମୋର ବାପା ମରିଯାଇଥିଲେ। ମା ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। ଭାଇଭାଉଜ ମତେ ମାରଧର କରୁଥିଲେ। ଦିନେ ସେମାନେ ମତେ ଓ ମାଆକୁ ଘରୁ ବାହାର କରିଦେଲେ।
ନାଚାର ହୋଇ ଆମେ ଅନ୍ୟମାନଙ୍କ ସହ ଫୁଟ୍ପାଥ୍ରେ ଭିକ୍ଷା ମାଗିଲୁ। ଲକ୍ଡାଉନ୍ ଜୀବନକୁ ଆହୁରି ଦୁର୍ବିଷହ କରିପକାଇଲା। କିନ୍ତୁ, ଏଥିରେ ଗୋଟାଏ ସକାରାତ୍ମକ ଦିଗ ବି ଥିଲା। ଲକ୍ଡାଉନ୍ ସମୟରେ ଦରିଦ୍ରମାନଙ୍କୁ ଭୋଜନ ବାଣ୍ଟିବାକୁ ମାଲିକଙ୍କ ସହ ଦୈନିକ ଫୁଟ୍ପାଥ୍କୁ ଆସୁଥିଲେ।
ମୋ ପରିସ୍ଥିତି କଥା ଜାଣିବା ପରେ ଅନୀଲ ସବୁଦିନ ମୋ ସହ କଥାବାର୍ତ୍ତା କଲେ, ଏବଂ ଦିନେ ମତେ ସେ ଭିକ୍ଷାବୃତ୍ତି ଛାଡ଼ି ଦେବାକୁ ବୁଝାଇଲେ। ଦୈନନ୍ଦିନ ଭାବ ବିନିମୟରୁ ବନ୍ଧୁତା ଏବଂ ବନ୍ଧୁତା କ୍ରମଶଃ ପ୍ରେମରେ ପରିଣତ ହେଲା। ତା’ପରେ ସେ ମତେ ପ୍ରସ୍ତାବ ଦେଲେ ଏବଂ ସାମାଜିକ ଦୂରତା ବଜାୟ ରଖି ଆମେ ପ୍ରଭୁ ବୁଦ୍ଧଙ୍କ ଆଶ୍ରମରେ ବିବାହ କଲୁ।
କୌଣସି ଏକ ଘର ଓ ଜମି ବ୍ୟବସାୟ ପ୍ରତିଷ୍ଠାନର ଏଜେଣ୍ଟ୍ ଭାବେ କାମ କରୁଥିବା ଅନୀଲଙ୍କ ମାଲିକ ଲାଲ୍ତା ପ୍ରସାଦ କହନ୍ତି, ଭିକ୍ଷାବୃତ୍ତି କରୁଥିବା ନୀଲମ୍କୁ ପ୍ରେମ କରୁଛି ବୋଲି ଅନୀଲ ମତେ କହିଲା। ସବୁ ଶୁଣି ମୁଁ ନୀଲମ ଓ ତା’ ମା ପାଇଁ ସବୁ ଦିନ ଭୋଜନ ଯୋଗାଇ ଦେଲି ଓ ଦୁହିଁଙ୍କର ଦେଖାଶୁଣା କରିବାକୁ ଅନୀଲକୁ କହିଲି। ପରେ ଅନୀଲ ନିଜେ ରାନ୍ଧିବାଢ଼ି ନୀଲମ ଓ ତା’ ମାକୁ ଖାଇବାକୁ ଦେଲା। କୌଣସିମତେ ମୁଁ ଅନୀଲର ବାପାଙ୍କୁ ବୁଝାଶୁଝା କରାଇ ସେମାନଙ୍କ ବାହାଘର ପାଇଁ ରାଜି କରାଇଲି। ଠାକୁରଙ୍କ ଦୟାରୁ ଦୁହେଁ ସୁଖରେ ଅଛନ୍ତି।