କାନପୁର: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କାନପୁରର ଏକ ଦମ୍ପତି ଗୋଆର ଏକ ବିଳାସମୟ ରିସର୍ଟରେ ବିବାହ କରିଥିଲେ। ବିବାହ ପାଇଁ ଅତିଥିମାନଙ୍କୁ ବିମାନରେ ଗୋଆକୁ ନିଆଯାଇଥିଲା। ସେଠାରେ ଦୁହେଁ ପରିବାର ଓ ପ୍ରିୟଜନଙ୍କ ସମ୍ମୁଖରେ ପରସ୍ପରଙ୍କ ହାତ ଧରି ଜୀବନସାଥୀ ପାଲଟିଥିଲେ। ହେଲେ ପରେ କନ୍ୟାଙ୍କ କଥା ବରଙ୍କର ହୋସ୍ ଉଡ଼ାଇଥିଲା।
ଘଟଣାଟି ହେଉଛି, ବିବାହ ପରେ ରାତିରେ କନ୍ୟା ଜଣକ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ଅନ୍ୟ କାହାକୁ ଭଲପାଆନ୍ତି। ମୁଁ ଅନ୍ୟ କାହାର, ତୁମର ନୁହେଁ ବୋଲି କନ୍ୟାଙ୍କ ମୁହଁରୁ ଶୁଣିବା ପରେ ବର ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। କନ୍ୟା ଜଣକ କହିଥିଲେ ଯେ ମୋର ପରିବାର ସଦସ୍ୟଙ୍କ ଚାପରେ ମୁଁ ଏହି ବିବାହ କରିଛି। ଏହା ଶୁଣି ସ୍ୱାମୀଙ୍କ ପାଦ ତଳୁ ଭୂମି ଖସିଗଲା। କଥା ଏତେ ଆଗକୁ ବଢ଼ିଗଲା ଯେ ମାମଲା ପୁଲିସ୍ ଏବଂ କୋର୍ଟରେ ପହଞ୍ଚିଛି।
ଏହି ଘଟଣାଟି ହେଉଛି ୨୦୨୧ ମସିହାର। ସହରର ଜଣେ ବଡ ବ୍ୟବସାୟୀଙ୍କ ଝିଅକୁ ନଭେମ୍ବର ୨୬ ତାରିଖରେ ବିବାହ କରିଥିଲେ ଆୟୁଷ ଖେମକା। ଉଭୟ ପକ୍ଷ ସମାନ ସମ୍ପ୍ରଦାୟର ଅଟନ୍ତି। ବିବାହ ଏତେ ବିଳାସମୟ ଭାବେ ହୋଇଥିଲା ଯେ କାନପୁରରୁ ଗୋଆ ପର୍ଯ୍ୟନ୍ତ ଏହି ବିବାହ ବିଷୟରେ ଆଲୋଚନା ହୋଇଥିଲା। ହେଲେ ପ୍ରଥମ ରାତିରେ ପତ୍ନୀଙ୍କ ମୁହଁର ସେହି ପଦେ କଥା ସବୁକିଛି ସାରି ଦେଇଥିଲା।
ଏହାପରେ ବି ଦୁହେଁ ସାଥୀ ହୋଇ ରହିଥିଲେ। ହେଲେ ଆୟୁଷ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ପତ୍ନୀଙ୍କ ପ୍ରେମିକ ବିବାହ ପରେ ବି ପତ୍ନୀଙ୍କୁ ଦେଖା କରିବାକୁ ଘରକୁ ଆସୁଛନ୍ତି ତ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏବେ ଆୟୁଷ ପୁଲିସ୍ରେ ମାମଲା ରୁଜୁ କରିବା ପରେ ତଦନ୍ତ ଚାଲଛି।