ନୂଆଦିଲ୍ଲୀ: ଆଜିକାଲି ଅନେକ ପିଲା ନିଜ ପିତାମାତାଙ୍କଠାରୁ ଅଲଗା ରହିବାକୁ ପସନ୍ଦ କରୁଛନ୍ତି ଏବଂ ନିଜଠାରୁ ସେମାନଙ୍କୁ ଦୂରେଇ ରଖୁଛନ୍ତି। ବୟସ ବଢ଼ିବା ପରେ ସେମାନଙ୍କ ସେବା କରିବା ପରିବର୍ତ୍ତେ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଏଭଳି ଅନେକ ଘଟଣା ଅତୀତରେ ଘଟିଥିବା ବେଳେ ଏବେ ଜଣେ ଯୁବକ ନିଜ ମା’ଙ୍କ ପାଇଁ କରିଥିବା କାମ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଏବେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ବୃଦ୍ଧ ମାତାଙ୍କୁ କାନ୍ଧରେ ବସାଇ ବୋଲବମ୍ ଯାତ୍ରା କରୁଛନ୍ତି। ଭିଡିଓରେ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ଯୁବକଙ୍କ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।
ଆପଣ ଜାଣିଥିବେ, ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସରେ ଲୋକେ ନିଜ ମାନସିକ ପୂରଣ ପାଇଁ ବୋଲବମ୍ ଯାତ୍ରା କରିଥାନ୍ତି। ପ୍ରତି ସୋମବାର ଭଗବାନ ଶିବଙ୍କ ମନ୍ଦିରରେ କାଉଡିଆମାନେ ଜଳ ଲାଗି କରିଥାନ୍ତି। ଚଳିତ ବର୍ଷ ଏହି ବୋଲବମ୍ ଯାତ୍ରା ଜୁଲାଇ ୪ରୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ଚାଲିବ। ବୋଲବମ ଯାତ୍ରା ଆରମ୍ଭ ହେବା ପରେ ଜଣେ ଯୁବକ ନିଜ ମା’ଙ୍କୁ ନେଇ ଯାତ୍ରା କରିବାର ଭିଡିଓ ଏବେ ଲୋକଙ୍କ ହୃଦୟ କିଣୁଛି। ଭିଡିଓରେ ଦେଖାଯାଇଛି ଯେ, ଯୁବକଜଣକ କାନ୍ଧରେ ପକାଇଥିବା ବାହୁଙ୍ଗିର ଗୋଟିଏ ପାର୍ଶ୍ବରେ ନିଜ ମା’ଙ୍କୁ ବସାଇଥିବା ବେଳେ ଅନ୍ୟ ପାର୍ଶ୍ବରେ କଳସରେ ଗଙ୍ଗା ଜଳ ରଖିଛନ୍ତି। ଏଭଳି ଜଣେ ପୁଅ ନିଜ ମା’ଙ୍କୁ ନେଇ ବୋଲବମ୍ ଯାତ୍ରା କରିବା ସମସ୍ତଙ୍କ ମନ କିଣିଛି।
Kanwar Yatra 2023: A youth carries his mother on one shoulder and water of the river Ganga on the other shoulder in Haridwar pic.twitter.com/83vuUxVT83
— ANI UP/Uttarakhand (@ANINewsUP) July 4, 2023