କନ୍ୟାକୁମାରୀ ସଂପର୍କରେ ଏ କଥା ଆପଣ ଜାଣନ୍ତି କି?

ତାମିଲନାଡୁରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ଏହାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ କନ୍ୟାକୁମାରୀ । ଏହାର ଭ୍ରମଣ ବ୍ୟତୀତ ତାମିଲନାଡୁ ପର୍ଯ୍ୟଟନ ଅଧୁରା ବୋଲି ମନେ କରାଯାଏ। କାରଣ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନକୁ ଆନନ୍ଦିତ କରିଥାଏ। ତା’ଛଡ଼ା ସେଠାରେ ବିବେକାନନ୍ଦଙ୍କ ସ୍ମାରକୀ ବି ଅଛି। ତେବେ ଏହାକୁ ବଙ୍ଗୋପସାଗର ଆରବ ସାଗର ଓ ହିନ୍ଦ୍‌ ମହାସାଗରର ମିଳନ ସ୍ଥଳ ବୋଲି କୁହାଯାଏ । ତିନିଟି ବିଶାଳ ମହାସାଗରର ସଙ୍ଗମ ସ୍ଥଳ କନ୍ୟାକୁମାରୀର ବେଳାଭୂମିକୁ ଅଧିକ ଭବ୍ୟତା ପ୍ରଦାନ କରିଛି ।

କନ୍ୟାକୁମାରୀ ସଂପର୍କରେ ଏକ ପୌରାଣିକ ଉପାଖ୍ୟାନ ରହିଛି । କନ୍ୟାକୁମାରୀ ପାଣ୍ଡୁ ବଂଶୀୟ ରାଜାମାନଙ୍କର କୁଳଦେବୀ ଥିଲେ । ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଶିବ କହିଲେ -‘ ଆମର ବାହାଘର ଶୁଭ ମୁହୂର୍ତ୍ତ ହେଉଛି ଅର୍ଦ୍ଧ ରାତ୍ରି । ଯଦି ସେହି ସମୟରେ ଆମର ବାହାଘର ନ ହୁଏ, ତେବେ କେବେ ବି ବିବାହ ସମ୍ଭବ ନୁହେଁ । ଭଗବାନ ଶିବଙ୍କର କଥା ଶୁଣି କିଂକର୍ତ୍ତବ୍ୟ ବିମୁଢ ହୋଇଗଲେ କନ୍ୟାକୁମାରୀ, କାରଣ କନ୍ୟାକୁମାରୀ ଦେବୀଙ୍କ ଜନ୍ମ ବାଣାସୁରର ସଂହାର ପାଇଁ ଉଦ୍ଦିଷ୍ଟ । ଯଦି ଦେବୀ ଶିବଙ୍କୁ ବିବାହ କରିବେ, ତେବେ ବାଣାସୁରର ସଂହାର କରିବ କିଏ?
କନ୍ୟାକୁମାରୀ ଶିବଙ୍କୁ ବିବାହ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥାଆନ୍ତି, ଏଣେ ଦେବଗଣ ବି ଖୁବ୍‌ ବ୍ୟତିବ୍ୟସ୍ତ ହେଉଥାଆନ୍ତି । ଅବଶେଷରେ ଦେବର୍ଷୀ ନାରଦ ଏକ ଉପାୟ ବତାଇଥିଲେ । ବିବାହର ରାତ୍ରି ଆସି ଉପସ୍ଥିତ ହେଲା । କନ୍ୟାକୁମାରୀ ବଧୂବେଶ ଧାରଣ କରିଲେ । ଏଣେ ଶିବ ମଧ୍ୟ ବରଯାତ୍ରୀଙ୍କ ମେଳରେ ବାହାରିଲେ । ଦେବର୍ଷୀ ନାରଦ କାଉ ରୂପ ଧାରଣ କରି କା’ କା’ ଶବ୍ଦ କଲେ । ଭଗବାନ ଶିବ ଭାବିଲେ ବୋଧହୁଏ ସକାଳ ହୋଇଗଲା । ଏଣୁ ତାଙ୍କର ବାହାଘରର ଶୁଭ ସମୟ ଚାଲିଗଲା ବୋଲି ସେ ମନେ କଲେ। ଏହାପରେ ସେ ବିବାହ ନ କରି ଫେରିଗଲେ । ସେହି ଦିନଠୁଁ କନ୍ୟାକୁମାରୀ ଅବିବାହିତା ହୋଇ ରହିଗଲେ ଏବଂ ଘଟଣାକ୍ରମେ ବାଣାସୁରକୁ ବଧ କରିଥିଲେ ।

photo-.culturalindia.net

କୁହାଯାଏ ଯେ କନ୍ୟାକୁମାରୀ ଙ୍କ ହାତରୁ ଅକ୍ଷତ, ଚନ୍ଦନ, ରୋଲି ଇତ୍ୟାଦି ତଳେ ପଡ଼ିଥିବା କାରଣରୁ କନ୍ୟାକୁମାରୀ ସାଗର ତଟର ବାଲୁକା ରଙ୍ଗ ରଙ୍ଗୀନ୍‌ ହୋଇଥାଏ ।
କନ୍ୟାକୁମାରୀ ର ସମୁଦ୍ର କୂଳରେ ପୂର୍ଣ୍ଣିମା ସମୟରେ ବହୁତ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ସନ୍ଧ୍ୟା ସମୟରେ ଯେଉଁ ସ୍ଥାନରେ ସୂର୍ଯ୍ୟ ସମୁଦ୍ରରେ ଡୁବି ଥାଆନ୍ତି, ସେହି ସ୍ଥାନରୁ ପୁୂର୍ଣ୍ଣିମାର ଚନ୍ଦ୍ର ଉଦୟ ହୋଇଥାଏ । ଏହି ସମୟରେ ଏମିତି ଲାଗେ, ସତେ ଯେମିତି ସୂର୍ଯ୍ୟୋଦୟ ହେଲା ।

କନ୍ୟାକୁମାରୀ ର ପବିତ୍ର, ଶାନ୍ତ ଓ ଆକର୍ଷଣୀୟ ବାତାବରଣ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ଆକର୍ଷିତ କରିଥିଲା । ସେ ସମୁଦ୍ର ମଧ୍ୟରେ ଥିବା ଏକ ଚଟ୍ଟାଣ ଉପରେ ବସି ସାଧନା କରିଥିଲେ । ଏବେ ସେହି ସ୍ଥାନରେ ବିବେକାନନ୍ଦ ରକ୍‌ ରହିଛି ।

ସମ୍ବନ୍ଧିତ ଖବର