ଆଜି କାର୍‌ଗିଲ୍ ବିଜୟ ଦିବସ: ପାକିସ୍ତାନୀ ବିଶ୍ବାସଘାତକତାର କଡା ଜବାବ ଦେଇଥିଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ୬୦ରୁ ଊର୍ଦ୍ଧ୍ବ ଦିନ ଧରି ପାକିସ୍ତାନ ସହ ଯୁଦ୍ଧ କରିବା ପରେ ଜୁଲାଇ ୨୬ ଅର୍ଥାତ୍ ଆଜିର ଦିନରେ ଭାରତ ବିଜୟ ଲାଭ କରିଥିଲା। ୨୧ବର୍ଷ ତଳେ କାର୍‌ଗିଲ୍‌ରେ ହୋଇଥିବା ଏହି ଐତିହାସିକ ଯୁଦ୍ଧକୁ ‘ଅପରେସନ୍ ବିଜୟ’ର ନାଁ ଦିଆଯାଇଥିଲା। ଯୁଦ୍ଧ ଜିତିବା ପରେ ଜୁଲାଇ ୨୬କୁ କାର୍‌ଗିଲ୍ ବିଜୟ ଦିବସ ନାମରେ ନାମିତ କରାଯାଇଥିଲା। ଏହି ଯୁଦ୍ଧରେ ସହିଦ୍ ଯବାନ୍‌ଙ୍କ ସମ୍ମାନ ଓ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୬ରେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ସ୍ଥିତ ଅମର ଯବାନ ଜ୍ୟୋତି ନିକଟରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥା’ନ୍ତି। ଏହାସହ କାର୍‌ଗିଲ୍ ଡ୍ରାସ୍ ନିକଟରେ ଓ ସାରା ଭାରତରେ ମଧ୍ୟ ଏହି ବିଜୟ ଦିବସକୁ ପାଳନ କରାଯାଏ।

ପାକିସ୍ତାନର ବିଶ୍ବାସଘାତକତା

ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ୧୯୯୯ ଫେବ୍ରୁଆରିରେ ଲାହୋର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ, କାଶ୍ମୀର ବିବାଦକୁ ଉଭୟ ରାଷ୍ଟ୍ର ବାର୍ତ୍ତା ଓ ଶାନ୍ତି ଦ୍ବାରା ସମାଧାନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ପାକିସ୍ତାନ ବିଶ୍ବାସଘାତକ କରି ମେ’ ୩ରେ ଭାରତର ସୀମାକୁ ଅନୁପ୍ରବେଶ କରିଥିଲା। ଖବର ପାଇ ମେ’ ୫ ତାରିଖରେ ଭାରତୀୟ ସେନା ଉକ୍ତ ଜାଗା‌କୁ ପାଟ୍ରୋଲିଂ‌ କରିବାକୁ ଯାଇଥିବା ବେଳେ ପାକିସ୍ତାନର ସୈନିକମାନେ ଭାରତର ୫ ଯବାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେପରେ ପାକିସ୍ତାନ କାଶ୍ମୀରରେ ପଶି ସେଠାରେ ଶାନ୍ତି ଭଙ୍ଗ କରିବା ସହିତ କାଶ୍ମୀରକୁ ଆନ୍ତର୍ଜାତିକ ପ୍ରସଙ୍ଗ କରିବା ଉଦ୍ଦେଶ୍ୟରେ ନିଜ ସେନା ଓ ଆତଙ୍କବାଦୀଙ୍କୁ ପଠାଇଥିଲା। ପାକିସ୍ତାନର ଏହି ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ଜାଣିବାକୁ ପାଇବା ପରେ ଭାରତ ସରକାର କାର୍‌ଗିଲ୍ ସୀମା ନିକଟକୁ ୨ଲକ୍ଷ ସୈନିକଙ୍କୁ ପ୍ରେରଣ କରିବା ସହିତ ଯୁଦ୍ଧ ପାଇଁ ସଫଳ ରଣନୀତି ପ୍ରସ୍ତୁତ କରିଥିଲେ। ଭାରତୀୟ ସେନାର ଦୁଃସାହସିକ ରଣକୌଶଳ ଯୋଗୁଁ ପାକିସ୍ତାନକୁ ପରାସ୍ତ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜୁଲାଇ ୧୪ରେ ଅପରେସନ୍ ବିଜୟ ସଫଳ ହୋଇଥିବା ସୂଚନା ଦେଇଥିଲେ। ପରେ ଜୁଲାଇ ୨୬ରେ ଔପଚାରିକ ଭାବେ କାର୍‌ଗିଲ୍ ଯୁଦ୍ଧ ସମାପ୍ତ ହେବା ନେଇ ଘୋଷଣା କରାଯାଇଥିଲା। ଏହି ଯୁଦ୍ଧରେ ଭାରତର ପ୍ରାୟ ପ୍ରାୟ ୫୨୭ ବୀର ଯବାନ୍ ସହିଦ ହୋଇଥିବା ବେଳେ ୧୪୦୦ ଯବାନ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର