ବୀରେନ୍ଦ୍ର ଏକ ଖ୍ୟାତନାମା ସମ୍ବାଦପତ୍ରର ସାମ୍ବାଦିକ। ବିମାନବନ୍ଦରରୁ ଏକ ସମ୍ବାଦ ସଂଗ୍ରହ ଅଭିଯାନରେ ଯାଇ ଫେରିବା ବେଳେ ପୁରୁଣା ବନ୍ଧୁ ସୀତାଂଶୁ ଦେଖା ହୋଇଗଲେ। ସେ ଦିଲ୍ଲୀରୁ ତାଙ୍କ ଚାକିରିରୁ ଛୁଟି ନେଇ ଭଉଣୀ ବାହାଘରରେ ଯୋଗ ଦେବା ପାଇଁ ଭୁବନେଶ୍ବର ଆସିଛନ୍ତି। ଘରକୁ ଯିବା ପାଇଁ କ୍ୟାବ୍ ଖୋଜିବା ବେଳେ ବୀରେନ୍ଦ୍ର କହିଲେ, ମୋ ଗାଡ଼ିରେ ବସ, ମୁଁ ତୁମକୁ ଘରେ ଛାଡ଼ିଦେବି। କ୍ୟାବ୍ ବୁକ୍ କରିବା କ’ଣ ଦରକାର? ତା’ ଭିତରେ ଦୁଇପଦ କଥାବାର୍ତ୍ତା ବି ହୋଇଯିବା। ହଉ କହି ବୀରେନ୍ଦ୍ରଙ୍କ ଗାଡ଼ିରେ ବସିଲେ ସୀତାଂଶୁ।
କଥା ପ୍ରସଙ୍ଗରେ ସୀତାଂଶୁ ପଚାରିଲେ, ଏବେ କ’ଣ ଚାଲିଛି ସାଙ୍ଗ? ସେଇ ଖବରକଗଜରେ ଅଛ ନା?
ବୀରେନ୍ଦ୍ର- ନାଇଁ, ସେ କାଗଜ ଛାଡ଼ି ଆଉ ଗୋଟିଏ ବଡ଼ କାଗଜରେ ଯୋଗ ଦେଇଛି। ତେବେ କର୍ମ ମୁଁ ଠିକ୍ ଠିକ୍ କରୁଛି କିନ୍ତୁ ଯେତିକି ଉନ୍ନତି ହବା କଥା ହଉ ନାହିଁ।
ସୀତାଂଶୁ- କର୍ମ କରୁଛ, ଅଥଚ ଉନ୍ନତି ହେଉନାହିଁ। ମାନେ କ’ଣ? କି ପ୍ରକାର ଉନ୍ନତି ଚାହୁଛ? ପଦୋନ୍ନତି ନା ଦରମା ବୃଦ୍ଧି? ତୁମ ସାମ୍ବାଦିକ ବୃତ୍ତିରେ କାମ ତ ପ୍ରାୟ ଏକା ପ୍ରକାରର। ଆଉ ତୁମର ଅଭିଜ୍ଞତା ଦୃଷ୍ଟିରୁ କମ୍ପାନି ତୁମକୁ ନିଶ୍ଚୟ ଭଲ ଜାଗାରେ ରଖିଥିବ।
ବୀରେନ୍ଦ୍ର- ନାଇଁ, ଭଲ ଜାଗାରେ ଅଛି ଯେ, ତଥାପି...।
ସୀତାଂଶୁ- ତଥାପି କ’ଣ? କର୍ମ କରୁଛ ବୋଲି କହୁଛ। ପିଲାଦିନେ ଭାଗବତ ପଢ଼ୁଥିବା ଓ ବୁଝାଉଥିବା ଆମ ଗାଁ ପଣ୍ଡିତଙ୍କଠାରୁ ଶୁଣିଥିଲି- ‘‘କର୍ମ କରିଲେ କ୍ଷୟ ଯାନ୍ତି। ଅକର୍ମେ ବାସୁଦେବ ପ୍ରୀତି।।’’ ତେଣୁ ତୁମେ କର୍ମ କରୁଛ ଯେତେବେଳେ ଉନ୍ନତି ହବ କେମିତି, କ୍ଷୟ ହେବ ନା’ଉ।
ବୀରେନ୍ଦ୍ର- ତୁମଠାରୁ ଅଦ୍ଭୁତ କଥା ଶୁଣୁଛି। କର୍ମ ହିଁ ଭଗବାନ୍, କର୍ମ କରିବା ମଣିଷର ଧର୍ମ। କର୍ମେ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ। କର୍ମ କଲେ ପୁଣି କ୍ଷୟ କେମିତି ହବ? ପୁଣି ଅକର୍ମରେ ବାସୁଦେବ କେମିତି ପ୍ରୀତ ହେବେ?
ସୀତାଂଶୁ- ପଣ୍ଡିତେ ଯାହା ବୁଝେଇଥିଲେ କହୁଛି ଶୁଣ। କର୍ମ ହେଉଛି- ତିନି ପ୍ରକାର: କର୍ମ, ଅକର୍ମ ଓ ବିକର୍ମ। ମଣିଷ ଯେଉଁ କର୍ମ କରେ, ସେ କର୍ମର କର୍ତ୍ତା ବୋଲି ଅହଂକାର ଥାଏ, କର୍ମର ଫଳ ଆଶା ବି ଥାଏ ଏବଂ ଯାହା ପାଇଁ କର୍ମ କରୁଛି ତା’ଠାରୁ ପ୍ରତିଦାନର ଆଶା ଥାଏ, ତାହା ହେଲା ‘କର୍ମ’। କିନ୍ତୁ ମଣିଷର ଯେଉଁ କର୍ମ ଇଷ୍ଟ ବା ଈଶ୍ବରଙ୍କୁ ସମର୍ପିତ, ମୁଁ କର୍ତ୍ତା ଏହି ଭାବ ରହେ ନାହିଁ, ଫଳ ଆଶା ରହେ ନାହିଁ ବା ନିଷ୍କାମ କର୍ମ- ତାକୁ ‘ଅକର୍ମ’ କୁହାଯାଏ। ଗୀତାରେ ଭଗବାନ୍ କହିଛନ୍ତି- ଯତ୍କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍। ଯତ୍ ତପ୍ସ୍ୟସି କୌନ୍ତେୟ ତତ୍ କୁରୁଷ୍ଵ ମଦର୍ପଣମ୍।। ତୁମେ ଯାହା କିଛି କରୁଛ, ଯାହା ଖାଉଛ, ଯାହା ହୋମ କରୁଛ ବା ଦାନ କରୁଛ ଏବଂ ଯାହା ତପସ୍ୟା କରୁଛ- ସେସବୁ ମୋତେ ଅର୍ପଣ କର। ତା’ହେଲେ ତୁମେ କର୍ମବନ୍ଧନରେ ପଡ଼ିବ ନାହିଁ। ଭଗବାନ୍ ଅର୍ଜୁନଙ୍କୁ କହିଥିଲେ- ନିମିତ୍ତମାତ୍ରଂ ଭବ ସବ୍ୟସାଚୀ।
ବୀରେନ୍ଦ୍ର କହିଲା- ମୁଁ କର୍ମ କରି ନିଜକୁ ନିମିତ୍ତମାତ୍ର ବୋଲି କେମିତି ଭାବିବି? କର୍ମଟାକୁ ପୁଣି ଅର୍ପଣ କରିବି କେମିତି?
ସୀତାଂଶୁ- ତୁମ ଖବରକାଗଜିଆ ଭାଷାରେ ବୁଝେଇଲେ ନିଶ୍ଚୟ ବୁଝିପାରିବ। ତୁମେ ଖବର ସଂଗ୍ରହ କରୁଛ। ତାହା ଖବରକାଗଜରେ ଛପା ହେଉଛି। ସେଥିରେ ତୁମର ନାଁ ବାହାରୁଛି କି?
ବୀରେନ୍ଦ୍ର- ନା, କେବଳ ବାଇଲାଇନ ଷ୍ଟୋରିରେ ନାଁ ବାହାରେ।
ସୀତାଂଶୁ- ଯଦି ତୁମ ଖବର କିଛି ବିବାଦ ସୃଷ୍ଟି କଲା, ଯଦି କେସ୍କୁସା ହେଲା, ତେବେ କାହା ନାଁରେ କେସ୍ ହେବ?
ବୀରେନ୍ଦ୍ର- ସମ୍ପାଦକ ଓ ପ୍ରକାଶକଙ୍କ ନାଁରେ। ବାଇଲାଇନ ଷ୍ଟୋରି ହୋଇଥିଲେ ମୋ ନାଁ ବି ଯୋଡ଼ା ହୋଇଥାନ୍ତା।
ସୀତାଂଶୁ- ବାସ୍, ତୁମେ ଯେଉଁ କର୍ମ କରୁଛ, ତାହା ସମ୍ପାଦକଙ୍କ ନାଁରେ ଯାଉଛି। ତୁମେ କେବଳ ନିମିତ୍ତମାତ୍ର। ତୁମର କର୍ମ ପାଇଁ ତୁମେ ଦରମା ପାଉଛ। ବିବାଦ ଉପୁଜିଲେ, ତାହା ସମ୍ପାଦକ ସମ୍ଭାଳୁଛନ୍ତି। ଏ ପ୍ରକାର କର୍ମ ହେଉଛି ‘ଅକର୍ମ’, ଯେଉଁଥିରେ ତୁମର କର୍ତ୍ତାପଣର ଅହଂକାର ରହେ ନାହିଁ। କିନ୍ତୁ ଯେଉଁ ବାଇଲାଇନ ଷ୍ଟୋରି ତୁମ ନାଁରେ ଯାଉଛି ବା ଯେଉଁ ସମ୍ପାଦକୀୟ ସ୍ତମ୍ଭରେ ଲେଖକଙ୍କ ନାଁ ପ୍ରକାଶ ପାଇବା ସହ ଅନେକ ସମୟରେ ତଳେ ଲେଖାଯାଉଛି- ‘ମତାମତ ପାଇଁ ସମ୍ପାଦକ ଦାୟୀ ନୁହନ୍ତି’, ସେ କ୍ଷେତ୍ରରେ ତୁମର ବା ଲେଖକଙ୍କର କର୍ମ ହେଉଛି ‘କର୍ମ’, ଅକର୍ମ ନୁହେଁ। ସେ ଲେଖାରେ ବିବାଦ ସୃଷ୍ଟି ହେଲେ ତୁମକୁ ବା ଲେଖକଙ୍କୁ ଦାୟୀ ରହିବାକୁ ପଡ଼ିବ। ଖବରକାଗଜରେ କାମ କରିବା ବେଳେ ତୁମକୁ ସମ୍ପାଦକଙ୍କ ଗାଇଡ୍ଲାଇନ୍ ମାନି କାମ କରିବାକୁ ପଡ଼ିଥାଏ। ଆଉ ତା’ ଯଦି ନ କର ତୁମର ସେ କର୍ମ ‘ଅକର୍ମ’ ନୁହେଁ ‘କର୍ମ’ ବୋଲି ବିବେଚିତ ହେବ ଓ ସେଥିପାଇଁ ତୁମକୁ ଦାୟୀ ରହିବାକୁ ପଡ଼ିବ। ଠିକ୍ ସେହିପରି ସାଂସାରିକ ଜୀବନରେ ଆମେ ପ୍ରତ୍ୟେକ କର୍ମ ଇଷ୍ଟ ବା ଈଶ୍ବରଙ୍କ ‘ଗାଇଡ୍ଲାଇନ୍’ ଅନୁସାରେ ତାଙ୍କ ପ୍ରୀତ୍ୟର୍ଥେ କରିବା ଉଚିତ। ତେବେ ବାସୁଦେବ ପ୍ରୀତ ହେବେ କି ନାହିଁ, ଯେପରି ତୁମର ଭଲ କାମ ପାଇଁ ସମ୍ପାଦକ ତୁମ ଉପରେ ପ୍ରୀତ ହୁଅନ୍ତି।
ବୀରେନ୍ଦ୍ର- ‘କର୍ମ’ ଓ ‘ଅକର୍ମ’ କ’ଣ ଭଲଭାବେ ବୁଝିଗଲି। ଏବେ କୁହ ‘ବିକର୍ମ’ କ’ଣ?
ସୀତାଂଶୁ- ବିକର୍ମ ହେଲା ବେଦ-ବିରୁଦ୍ଧ କର୍ମ ବା ଅନୈତିକ କର୍ମ। ଚୋରି, ତସ୍କରି, ପରନାରୀ ଆସକ୍ତି, ଜୁଆ, ମଦ୍ୟମାଂସ ଭକ୍ଷଣ ଆଦି ବିକର୍ମ ଭିତରେ ଯିବ। ଏସବୁ କର୍ମ କଲେ ତା’ର ଫଳ ଭୋଗିବାକୁ ପଡ଼ିବ। ଥାନା-କଚେରୀରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ବା ଜରିମାନା ଏବଂ ହିନ୍ଦୁ ବିଶ୍ବାସ ଅନୁସାରେ ମୃତ୍ୟୁ ପରେ ନର୍କଭୋଗ। ତୁମ ସାମ୍ବାଦିକ ବୃତ୍ତିରେ ଯଦି କେହି ଲାଞ୍ଚ ନେଇ କୌଣସି ଖବର ଚାପେ କିମ୍ବା ବଟି ନ ମିଳିବାରୁ କାହା ବିରୋଧରେ ମିଥ୍ୟା ଖବର ପ୍ରକାଶ କରେ ତେବେ ତାହା ‘ବିକର୍ମ’।
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨
Action | inaction | vice