ଏଣିକି ସ୍କୁଲରେ ପାଠ ପଢ଼ାଇବା ସମୟରେ ମୋବାଇଲ ବ୍ୟବହାର କରିପାରିବେନି ଶିକ୍ଷକ!

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସରକାରୀ ସ୍କୁଲରେ ଧୀରେ ଧୀରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଶିକ୍ଷା ଓ ଶିକ୍ଷକଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଶିକ୍ଷା ଓ ଶିକ୍ଷକ ଯେପରି ବିପରୀତ ଦିଗକୁ ଯାଉଛନ୍ତି ସେପରି ପ୍ରତୀୟମାନ ହେଉଛି। ତେବେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାର ଶିକ୍ଷାନୀତିରେ ପରିବର୍ତ୍ତନ କରୁଛନ୍ତି ତଥାପି ସେପରି କିଛି ଆଖିଦୃଶିଆ ଫଳ ଦେଖିବା ପାଇଁ ମିଳୁନାହିଁ।

ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଏକ ନୂଆ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର। ସରକାରୀ ସ୍କୁଲରେ ପାଠ ପଢ଼ାଇବା ସମୟରେ ଶିକ୍ଷକମାନଙ୍କ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସର୍କୁଲାର ଜାରି କରାଯାଇଛି। ଶିକ୍ଷକମାନେ ମୋବାଇଲ ଫୋନର ବହୁଳ ବ୍ୟବହାର କଥା ଉଠିବା ପରେ ଏହି ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର। ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହାର ଦାହିତ୍ୱ ନେବେ। ସହକାରୀ ଶିକ୍ଷକମାନେ ପାଠପଢ଼ା ସମୟରେ ମୋବାଇଲ ଯେପରି ବ୍ୟବହାର ନ କରିବେ ସେଥିପ୍ରତି ଧ୍ୟାନ ଦେବେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ।

ସ୍କୁଲରେ ଆଦର୍ଶ ବାତାବରଣ ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଚଳିତ ମାସର ପହିଲାରୁ ଏକ ସର୍କୁଲାର ଜାରି ହୋଇଛି। ସର୍କୁଲାରରେ କୁହାଯାଇଛି ସ୍କୁଲର ପ୍ରଧାନଶିକ୍ଷକ ଅନ୍ୟ ସହକାରୀ ଶିକ୍ଷକଙ୍କ ମୋବାଇଲ ବ୍ୟବହାର ଉପରେ ନଜର ରଖିବେ। ସର୍କୁଲାର ଅନୁସାରେ ଯେଉଁ ଶିକ୍ଷକ ନିୟମ ପାଳନ ନ କରନ୍ତି ଓ ପାଠପଢ଼ା ସମୟରେ ମୋବାଇଲ ବ୍ୟବହାର କରୁଥିବାର ଦେଖାଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ଚେତାବନୀ ଦେବା ସତ୍ତେ ଯଦି ସ୍କୁଲରେ ମୋବାଇଲ ଫୋନ ବନ୍ଦ ନହୁଏ ତେବେ ସେଥିପାଇଁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ହିଁ ଦାୟୀ ରହିବେ। ଏହି ସର୍କୁଲାର ଜାରି କରିବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ କିଛି ନା କିଛି ସୁଧାର ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର