ନୂଆଦିଲ୍ଲୀ: କେନ୍ଦ୍ର ସରକାର ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି । ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ଅନେକ ସାଧାରଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେମାନଙ୍କ ମଧ୍ୟରେ ଜଣେ ଫଳ ବିକ୍ରେତା ସାମିଲ ଅଛନ୍ତି ।

Advertisment

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ହରେକାଲା ହଜାବା (୬୮) ବସବାସ କରନ୍ତି। ସେ ଏକ ଛୋଟ ଦୋକାନରେ ଫଳ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ପିଲାଙ୍କ ପାଠପଢ଼ିବା ପାଇଁ ଗାଁରେ ଏକ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ତିଆରି କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲେ।

ହରେକାଲା ହଜାବାଙ୍କୁ ପଦ୍ମଶ୍ରୀ ମିଳିବା ଘୋଷଣା ହେବାପରେ ସେ କହିଥିଲେ, ‘ମୋର ବିଶ୍ୱାସ ହେଉ ନାହିଁ। ଏସବୁ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି କି ମୋତେ ପଦ୍ମଶ୍ରୀ ସମ୍ମାନ ଦିଆଯିବ। ମୋର ନାମ ପଦ୍ମଶ୍ରୀ ପାଇଁ ଘୋଷଣା ହୋଇଥିବା ଶୁଣି ଖୁସିରେ ପାଦ ତଳେ ଲାଗୁ ନାହିଁ।’

Image result for Karnataka fruit seller who started school awarded Padma Shri The News Minute

ହରେକାଲା ହଜାବା କହନ୍ତି, ‘ଥରେ ଏକ ବିଦେଶୀ ଦମ୍ପତି ମୋର ଦୋକାନକୁ କମଳା କିଣିବା ପାଇଁ ଆସି କମଳାର ମୂଲ୍ୟ ପଚାରିଥିଲେ। କିନ୍ତୁ ତାଙ୍କ କଥା ବୁଝିପାରି ନ ଥିବାରୁ କୌଣସି ଉତ୍ତର ନଦେଇ ଚୁପ୍‌ ରହିଥିଲି। ଫଳରେ ସେମାନେ ମୋ ଦୋକାନରୁ ଫଳ ନ କିଣି ଚାଲି ଯାଇଥିଲେ, ଯାହା କି ମୋତେ ବହୁତ ଖରାପ ଲାଗିଥିଲା। ମୁଁ ପାଠ ନପଢ଼ିଥିବାରୁ ଏଭଳି ଲଜ୍ଜାକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ମୋ ଭଳି ଅନ୍ୟ କେହି ଏଭଳି ପରିସ୍ଥିତିରେ ନପଡ଼ୁ, ସେଥିପାଇଁ  ଗାଁରେ ଏକ ପ୍ରାଥମିକ ସ୍କୁଲ ଖୋଲିବା କଥା ଚିନ୍ତା କରିଥିଲି। ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ତିଆରି କରି ସାରିଥିବା ବେଳେ ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।’