ସତରେ କ’ଣ ଫଟୋ ଉଠାଇବା ପାଇଁ ସମୁଦ୍ର କୂଳରୁ ପ୍ଲାଷ୍ଟିକ୍‌ ଉଠାଇଥିଲେ ମୋଦୀ? ଜାଣନ୍ତୁ ଏହି ଫଟୋ ପଛର ସତ୍ୟତା

ନୂଆଦିଲ୍ଲୀ : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାମିଲନାଡୁର ମାମାଲ୍ଲାପୁରମ୍‌ ବେଳାଭୂମିରେ ସକାଳ ବୁଲା ସହ ସଫେଇ କରୁଥିବାର ନଜର ଆସିଥିଲେ । ହାତରେ ଏକ ବ୍ୟାଗ୍‌ ଧରି ସେ ବେଳାଭୂମିରେ ପଡ଼ିଥିବା ପ୍ଲାଷ୍ଟିକ ଗୋଟାଉଥିବାର ନଜର ଆସିଥିଲେ । ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ ଲୋକେ ତାଙ୍କର ଏଭଳି କାମକୁ ପ୍ରଶଂସା କରୁଥିବା ବେଳେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ ଏକ ଆଶ୍ଚର୍ଯ୍ୟ କଲା ଭଳି ଟୁଇଟ୍‌ କରିଥିଲେ । ଟୁଇଟ୍‌ରେ ସେ ମୋଦୀଜୀଙ୍କ ଫଟୋ ସହ ଏକ କ୍ୟାମେରା ଟିମ୍‌ର ଫଟୋ ଯୋଡ଼ି କ୍ୟାପ୍‌ସନରେ ‘ଜୟ ଶ୍ରୀ ରାମ୍‌’ ବୋଲି ଲେଖିଥିଲେ ।

ଏଭଳି ଫଟୋ ସେୟାର କରି ସେ ମୋଦୀ କେବଳ ଲୋକପ୍ରିୟତା ପାଇଁ ଏଭଳି ଦେଖାଣିଆ କାମ କରୁଥିବା କହିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଫଟୋ ପଛର ସତ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ପକ୍ଷରୁ ଫଟୋ ପଛର ସତ୍ୟତାକୁ ଜାଣିବା ପାଇଁ ଯାଞ୍ଚ କରାଯିବା ପରେ ଟୁଇଟ୍‌ କରାଯାଇଥିବା ଫଟୋରେ ଯେଉଁ କ୍ୟାମେରା ଟିମ୍‌ ନଜର ଆସୁଛନ୍ତି, ତାହା ନକଲି ବୋଲି ଜଣା ପଡ଼ିଛି । କ୍ୟାମେରା ଟିମ୍‌ର ଫଟୋଟି ୧୪ବର୍ଷ ପୁରୁଣା ହୋଇଥିବା ବେଳେ ଏହା ସ୍କଟଲ୍ୟାଣ୍ଡର ଏକ ଟିଭି ପ୍ରଡକ୍ସନର କ୍ୟାମେରା ଟିମ୍‌ ବୋଲି ଜଣା ପଡ଼ିଛି । ଯାଞ୍ଚରେ ଫଟୋଟି ମାମାଲ୍ଲାପୁରମ୍‌ ବେଳାଭୂମିର ନୁହେଁ ବୋଲି ସ୍ପଷ୍ଟ ହୋଇଛି । ତେବେ ଟୁଇଟ୍‌ କରାଯାଇଥିବା କ୍ୟାମେରା ଟିମ୍‌ର ଫଟୋଟି ନକଲି ହୋଇଥିବା ବେଳେ ସତରେ ମୋଦୀଜୀଙ୍କ ସହ କୌଣସି କ୍ୟାମେରା ଟିମ୍‌ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ସମ୍ବନ୍ଧିତ ଖବର