ବିଭିନ୍ନ ପୁରାଣରେ କାର୍ତ୍ତିକ ପୂର୍ଣ୍ଣିମା କିପରି ପୁଣ୍ୟ ତିଥି, ସେ ସଂପର୍କରେ ଅଛି ସୁବିସ୍ତୃତ ବର୍ଣ୍ଣନା। ତାହା ସଂକ୍ଷେପରେ ଏହିପରି। ‘ବାୟୁପୁରାଣ’ରେ ଥିବା ଉଲ୍ଲେଖ ଅନୁସାରେ- ସ୍ବୟଂ ବ୍ରହ୍ମା, ବିଷ୍ଣୁ ଓ ଶିବ ଏବଂ ଅଙ୍ଗିରା ଓ ଆଦିତ୍ୟ ଏହି ତିଥିକୁ ମହାପୂଜିତ ବା ମହାପୁଣ୍ୟ ତିଥି ବୋଲି କହିଛନ୍ତି। ଏଣୁ ଏହି ତିଥିରେ ସ୍ନାନ, ଦାନ, ହୋମ ଓ ଯଜ୍ଞ ଫଳରେ ଅଶେଷ ପୁଣ୍ୟ ମିଳିଥାଏ। ‘ମତ୍ସ୍ୟାବତାର’ ଭଗବାନ ବିଷ୍ଣୁଙ୍କର ଆଦ୍ୟାବତାର। ‘ପଦ୍ମପୁରାଣ’ ଅନୁସାରେ, ଏହି ଦିନ ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ। ଏଣୁ ଏହିଦିନ ଦାନ କଲେ ଦଶଗୋଟି ଯଜ୍ଞର ପୁଣ୍ୟଫଳ ମିଳିଥାଏ। ‘ଭବିଷ୍ୟ ପୁରାଣ’ରେ ଏ ସଂପର୍କରେ ଉଲ୍ଲେଖ ଅଛି- କାର୍ତ୍ତିକ ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ତ୍ରିପୁରୋତ୍ସବ କରି ଦୀପଦାନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ।
‘ମତ୍ସ୍ୟାବତାର’ ଭଗବାନ ବିଷ୍ଣୁଙ୍କର ଆଦ୍ୟାବତାର। ‘ପଦ୍ମପୁରାଣ’ ଅନୁସାରେ, ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ଭଗବାନ ବିଷ୍ଣୁ ଏହି ଅବତାର ଗ୍ରହଣ କରିଥିଲେ। ଏଣୁ ଏହିଦିନ ଦାନ କଲେ ଦଶଗୋଟି ଯଜ୍ଞର ପୁଣ୍ୟଫଳ ମିଳିଥାଏ।
‘ସ୍କନ୍ଦପୁରାଣ-କାଶୀଖଣ୍ଡ’ର ବର୍ଣ୍ଣନା ମଧ୍ୟ ଏ ଦୃଷ୍ଟିରୁ ଉଲ୍ଳେଖନୀୟ। ସେଥିରେ କୁହାଯାଇଛି- ଯଦି କୌଣସି ବ୍ରାହ୍ମଣ କୃତ୍ତିକା ନକ୍ଷତ୍ରଯୁକ୍ତ କାର୍ତ୍ତିକ ପୂର୍ଣ୍ଣିମାରେ ବିଶ୍ବନାଥଙ୍କୁ ଦର୍ଶନ କରନ୍ତି, ତେବେ ସେ ସାତଜନ୍ମ ଯାଏ ବେଦଜ୍ଞ ଓ ଧନବାନ୍ ହୁଅନ୍ତି। ‘ବ୍ରହ୍ମାଣ୍ଡ ପୁରାଣ’ ଅନୁସାରେ, ଛଅ ତପସ୍ବିନୀ କୃତ୍ତିକା ହେଉଛନ୍ତି- ଶିବା, ସଂଭୃତି, ପ୍ରୀତି, ସଂନତି, ଅନସୂୟା ଓ କ୍ଷମା। କାର୍ତ୍ତିକ ପୂର୍ଣ୍ଣିମାର ଚନ୍ଦ୍ରୋଦୟ ସମୟରେ ଯେ ଏହି ଷଡ଼କୃତ୍ତିକାଙ୍କୁ ପୂଜା କରନ୍ତି, ସେ ଶୌର୍ଯ୍ୟ, ବୀର୍ଯ୍ୟ ଓ ଧନବାନ ହୁଅନ୍ତି। ଦୀପ ଦାନ ପରି, କାର୍ତ୍ତିକ ପୂର୍ଣ୍ଣିମାରେ ବୃଷଦାନ ଏବଂ ଗୋ, ଗଜ, ରଥ (ଯାନ), ଅଶ୍ୱ ଓ ଘୃତଦାନର ଫଳ ମଧ୍ୟ ପୁରାଣରେ ବର୍ଣ୍ଣିତ ଅଛି। ‘ମତ୍ସ୍ୟପୁରାଣ’ ଅନୁସାରେ, କାର୍ତ୍ତିକ ବ୍ରତ କରି ପୂର୍ଣ୍ଣିମା ଦିନ ବୃଷ ଦାନ କଲେ ଶିବପଦ ପ୍ରାପ୍ତ ହୁଏ । ‘ବ୍ରହ୍ମାଣ୍ଡ ପୁରାଣ’ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରେ ଉପବାସ କରି ହରିଙ୍କୁ ସ୍ମରଣ କଲେ, ଅଗ୍ନିଷ୍ଟୋମ ଯଜ୍ଞର ଫଳ ମିଳିବା ସହିତ ସୂର୍ଯ୍ୟଲୋକ ପ୍ରାପ୍ତି ହୁଏ। ‘ଭବିଷ୍ୟ ପୁରାଣ’ ଅନୁସାରେ, ଏହି ଦିନ ସୁବର୍ଣ୍ଣର ମେଷ ପ୍ରତିମା ଦାନ କଲେ, ଗ୍ରହ ଅବଳଜନିତ ଦୁର୍ଦ୍ଦଶା ଦୂର ହୋଇ ବ୍ୟକ୍ତି ସୁଖଶାନ୍ତିରେ କାଳାତିପାତ କରିଥାଏ।