ଜେନ୍ ଗୁରୁ ନେନେଙ୍କୁ ଥରେ ତାଙ୍କର ବନ୍ଧୁ କହିଲେ- ଆମେ ବନ୍ଧନମୁକ୍ତ ହେବା କିପରି?
ନେନେ କିଛି କହିଲେ ନାହିଁ। ସେତିକି ବେଳେ ସବୁ ଦିନ ଭଳି ସେ ବଗିଚାରେ ଥିଲେ ଓ ଫୁଲ ଗଛରେ ପାଣି ଦେଉଥିଲେ। କିଛି ନ କହି ସେ ତାଙ୍କର କାମରେ ଲାଗିଲେ। ତା ପରେ ସେ ଗୋଟିଏ ଗଛ ମୂଳରେ ବସିଲେ। ବନ୍ଧୁ ଜଣକ ମଧ୍ୟ ତାଙ୍କ ପଛେ ପଛେ ଗଲେ। ସେ ମଧ୍ୟ ନେନେଙ୍କ ପାଖରେ ବସି ପଡ଼ିଲେ। ନେନେ ବହୁତ କମ୍ କଥା କହୁଥିଲେ। ତେଣୁ ଉତ୍ତରଟିଏ ପାଇବା ଲାଗି ଅନେକ ସମୟରେ ନେନେଙ୍କ ପଛରେ ବୁଲିବାକୁ ପଡୁଥିଲା।
ଏବେ ନେନେ ଉପରକୁ ଚାହିଁଲେ। ତା ପରେ ସେ ଉଠିପଡ଼ି ବଗିଚା ଭିତରକୁ ଚାଲିଲେ।
ବନ୍ଧୁ ପଚାରିଲେ- ଇଆଡ଼େ କୁଅାଡ଼େ?
ନେନେ କହିଲେ- ମୁଁ ଏଠାକୁ ଆସିବା ମାତ୍ରକେ ଗୁଣ୍ଡୁଚି ମୂଷାଟିଏ ମୋ ପାଖକୁ ଆସେ। ଆଜି ଆସିନାହିଁ। ତାକୁ ଖୋଜୁଛି।
କିଛି ସମୟ ପରେ ସେ ଗୁଣ୍ଡୁଚିକୁ ଠାବ କରିପାରିଲେ। ଏଥର ପୁଣି ସେ ଫେରିଲେ।
ଏବେ ବନ୍ଧୁ ପୁଣି ପଚାରିଲେ- ନେନେ, ତୁମେ ତ ତୁମ ମୂଷାକୁ ଖୋଜି ପାଇଲ। କିନ୍ତୁ ମୁଁ ମୋ ଉତ୍ତର ପାଇଲି ନାହିଁ।
ନେନେ ବିସ୍ମିତ ହୋଇ କହିଲେ- ଉତ୍ତର ଏ ଯାଏଁ ପାଇଲ ନାହିଁ? ଏତେ କାଳ ଦେଖିଲଣି ଯେ ମୁଁ କେମିତି ବନ୍ଧନରେ ବନ୍ଧା ହୋଇଛି। କେମିତି ଗଛରେ ପାଣି ଦେଲି, କେମିତି ଗୁଣ୍ଡୁଚି ମୂଷାକୁ ଖୋଜିଲି। ତଥାପି ଅଦୃଶ୍ୟ ବନ୍ଧନ ସବୁକୁ ଦେଖିପାରୁନାହଁ? ଶୁଣ ସଂସାରରେ କେହି ହେଲେ ସଂପୂର୍ଣ୍ଣ ବନ୍ଧନ ମୁକ୍ତ ନୁହେଁ। କିଛି ନା କିଛି ବନ୍ଧନ ତ ସର୍ବଦା ରହିବ। ଯିଏ ବି କହିବ ଯେ ସେ ବନ୍ଧନ ମୁକ୍ତ ସେ ସେହି ବନ୍ଧନ ମୁକ୍ତିର ଧାରଣାର ବନ୍ଧନରେ ବନ୍ଧା ହୋଇ ରହିବ।
ବନ୍ଧନ ମୁକ୍ତିର କଥା
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)