ଗୋଟିଏ ଜନପଦରେ ଥିବା ଶିବାଳୟ ପରିସର ଥିଲା, ଏକ ବୃଷଭର ବାସସ୍ଥାନ। ଶିବଙ୍କ ବାହନ ହୋଇଥିବାରୁ ଗ୍ରାମବାସୀଙ୍କ ଦ୍ବାରା ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ପାଇ ବେଶ୍ ହୃଷ୍ଟପୁଷ୍ଟ ହୋଇଥିଲା। ବୃଷଭଟିର ମୁଖ୍ୟ ବଦ୍ଗୁଣ- କାହାକୁ ପାଖ ମାଡ଼ିବାକୁ ଦିଏନାହିଁ। ମଣିଷ ପାଖକୁ ଆସିଲେ ସେମାନଙ୍କୁ ଭୀତତ୍ରସ୍ତ କରି ବୃଷଭ ମାଡ଼ିଆସେ। ତେବେ ଗୋଟିଏ ବାଟରେ ତାକୁ ଶାନ୍ତ କରାଯାଇ ପାରୁଥିଲା। ତାହା ହେଉଛି ତା’ ସମ୍ମୁଖରେ ଜୟ ଶିବଶଙ୍କର ଧ୍ବନିର ଉଚ୍ଚାରଣ। ଏହା ଶୁଣିଲେ ସେ ଅଟକି ଯାଉଥିଲା ଏବଂ ସ୍ଥାନୀୟ ଲୋକେ ଏହି ଇଲମ ବାବଦରେ ଜାଣିଥିଲେ। ସ୍ଥାନୀୟ ଜମିଦାରଙ୍କ ପୁତ୍ର ଦୂର ସ୍ଥାନରେ ଶିକ୍ଷାର୍ଥୀ ଜୀବନ ବିତାଉଥିବାରୁ ତାଙ୍କୁ ବୃଷଭର ପ୍ରକୃତି ବିଷୟରେ ଜଣା ନ ଥିଲା। ସଂଯୋଗ କ୍ରମେ ତାଙ୍କ ନାମ ମଧ୍ୟ ଥିଲା ଶିବଶଙ୍କର। ଶିକ୍ଷା ଶେଷରେ ସେ ଗ୍ରାମକୁ ଫେରିବା ବାଟେର ବୃଷଭ ସହ ମୁହଁାମୁହିଁ ହୋଇଗଲେ। ବୃଷଭଟି ମାଡ଼ି ଆସିବାରୁ ଦଉଡୁଥିବା ବେଳେ ସେ ତଳେ ମଧ୍ୟ ପଡ଼ିଗଲେ। ସେହି ଦୃଶ୍ୟ ଦେଖି କିଛି ପଥଚାରୀ ହସିଲେ। ଶିବଶଙ୍କରଙ୍କୁ ଏହା ବଡ଼ ବାଧିଲା। ସେ ଥିଲେ ଜମିଦାରଙ୍କ ପୁଅ ଓ ସ୍ବାଭବଗତ ଭାବେ କିଞ୍ଚିତ ଅହଂକାରୀ!
ଏବେ ସେ ବୃଷଭକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିଲେ। ଜଣେ ଗ୍ରାମବାସୀ ତାଙ୍କୁ ଇଲମଟି ବତାଇ ଦେଲେ। ସେ ଜାଣିଲେ ଯେ ଜୟ ଶିବଶଙ୍କର ବୋଲି କହିଲେ ବୃଷଭଟି ଶାନ୍ତ ପଡ଼ିଯାଏ। ଏହା ତାଙ୍କୁ ଆହୁରି ଖୁସି କଲା। କାରଣ ତାଙ୍କ ନାମ ଧରିବା ମାତ୍ରକେ ବୃଷଭ ସ୍ଥିର ଭାବରେ ଛିଡ଼ା ହୋଇଯାଉଛି। ଏବେ ସେ ବୃଷଭ ଆଗକୁ ଦର୍ପ ଭରେ ଗଲେ। ବୃଷମ ସ୍ବାଭବତଃ ମାଡ଼ି ଆସିଲା। ଶିବଶଙ୍କର ଏବେ କହିବାକୁ ଲାଗିଲେ - ‘ମୁଁ, ମୁଁ, ମୁଁ’। ପରିଣାମ ସ୍ବରୂପ ପୁଣି ବୃଷଭ ତାଙ୍କ ଆଡ଼କୁ ଗୋଡ଼ାଇ ଆସିଲା ଏବଂ ସେ ଊର୍ଦ୍ଧ୍ବ ଶ୍ବାସରେ ପୁଣି ଦୌଡ଼ିଲେ।