ମୁମ୍ବାଇ: ଅମିତାଭ ବଚ୍ଚନଙ୍କ କ୍ବିଜ୍ ସୋ’ ‘କୌନ୍ ବନେଗା କରୋଡ଼ପତି’ର ସିଜିନ୍-୧୪ର ପ୍ରଥମ କୋଟିପତି ମିଳି ଯାଇଛନ୍ତି। ମହାରାଷ୍ଟ୍ରର କୋଲ୍ହାପୁରର ଗୃହିଣୀ କବିତା ଚାୱଲା ହୋଇଛନ୍ତି ସୋ’ର ପ୍ରଥମ କୋଟିପତି। କବିତା ହଟ୍ ସିଟ୍ରେ ବସିଥିବା ବେଳର ଏକ ନୂଆ ପ୍ରମୋ ଭିଡିଓ ଏବେ ଦେଖିବାକୁ ମିଳୁଛି।
ଭିଡିଓରେ କବିତା ବସିଥିବା ବେଳେ ଉତ୍ସାହିତ ହୋଇ ବିଗ୍ ବି ଅମିତାଭ୍ ଚିଲାଇବାକୁ ଲାଗୁଛନ୍ତି। କବିତା ୧ କୋଟି ଟଙ୍କା ଜିତି ଯାଉଛନ୍ତି ବୋଲି କହି ବିଗ୍ ବି ଉତ୍ସାହିତ ହେବା ବେଳେ କବିତା ବି ଖୁସିରେ ଝୁମି ଉଠୁଛନ୍ତି। ତାପରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ଉଠିପଡ଼ି ତାଳି ମାରି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି।
ତାପରେ ବିଗ୍ ବି କବିତାଙ୍କ ସାମ୍ନାରେ ୧୭ ନମ୍ବର ପ୍ରଶ୍ନ ରଖୁଛନ୍ତି। ଯାହା ପାଇଁ ପୁରସ୍କାର ରାଶି ରହିଛି ୭.୫ କୋଟି ଟଙ୍କା। ଏବେ ଦେଖିବାକୁ ବାକି ରହିଲା କବିତା ସେହି ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି କି ନାହିଁ। ପରବର୍ତ୍ତୀ ଅଧ୍ୟାୟରେ ବିଗ୍ ବି ତାଙ୍କୁ ସେହି ପ୍ରଶ୍ନ ପଚାରିବେ।
ଏହି ପ୍ରମୋ ଭିଡିଓ ସେୟାର କରି କେବିସି-୧୪ ଟିମ୍ ଲେଖିଛି, ‘ଗୃହିଣୀ କବିତା କେବିସିରେ ୧ କୋଟି ଟଙ୍କା ଜିତି ଏକ ଇତିହାସ ରଚିଛନ୍ତି। ଦେଖନ୍ତୁ ‘କୌନ୍ ବନେଗା କରୋଡ଼ପତି’ ଏହି ସୋମବାର ଓ ମଙ୍ଗଳବାରରେ।’
କବିତାଙ୍କ ପୂର୍ବରୁ ଅନ୍ୟ ଜଣେ ପ୍ରତିଯୋଗୀ ୧ କୋଟି ଟଙ୍କିଆ ପ୍ରଶ୍ନର ଉତ୍ତର ଦେଇନପାରି ହାରି ଯାଇଥିଲେ। କବିତା ୧ କୋଟି ଟଙ୍କା ଜିତି ସିଜିନ୍ର ପ୍ରଥମ କୋଟିପତି ହୋଇଛନ୍ତି।