ମୁମ୍ବାଇ: ‘କୌନ ବନେଗା କରୋଡ଼ପତି-୧୫’କୁ କୋଟିପତି ମିଳିସାରିଛି। ପାକିସ୍ତାନ ସୀମା ନିକଟବର୍ତ୍ତୀ  ପଞ୍ଜାବର ଖାଲଡା ଗାଁର ଜାସ୍କରନ୍ ସିଂ ଏହି ସୋ’ରେ ୧ କୋଟି ଟଙ୍କା ଜିତିଛନ୍ତି।  ଅମିତାଭ ବଚ୍ଚନଙ୍କ ଏହି ସୋ’କୁ ଜିତିଥିବା ଜାସ୍କରନ ସୋମବାର-ମଙ୍ଗଳବାର ଦିନର ଏପିସୋଡରେ  ଟିଭିରେ ଦେଖିବାକୁ ମିଳିବେ।

Advertisment

କେବଳ ସେତେବେଳେ ଆମେ ଜାଣିବା ୭ କୋଟି ଟଙ୍କା ପ୍ରଶ୍ନର ଫଳାଫଳ କ’ଣ ହେଲା? କିନ୍ତୁ ଏହାପୂର୍ବରୁ, ଜାସ୍କାରନ୍ କହିଥିଲେ ଯେ ସେ ଗତ ୪ଟି ସିଜିନ୍‌ରୁ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ।

‘ଦୈନିକ ଭାସ୍କର’ ସହିତ କଥାବାର୍ତ୍ତା କରି ୨୧ ବର୍ଷୀୟ ଜାସ୍କରନ୍ ସିଂ କହିଛନ୍ତି ଯେ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଆଇଏଏସ୍ ଅଧିକାରୀ ହେବା ତାଙ୍କର ସ୍ୱପ୍ନ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜାସ୍କରନ୍ ଏଥିପାଇଁ କୌଣସି କୋଚିଂ ନେଉନାହାନ୍ତି।

ସେ ଲାଇବ୍ରେରିରେ ଘଣ୍ଟା ଘଣ୍ଟା ବହି ସହିତ ବୁଡ଼ି ରହନ୍ତି। କିଛି ସନ୍ଦେହ ଥିଲେ ଗୁଗୁଲ୍‌ର ସହାୟତା ନେଇ ତାହାକୁ ସମାଧାନ କରନ୍ତି। ‘କୌନ ବନେଗା କରୋଡ଼ପତି-୧୫’ ପର୍ଯ୍ୟନ୍ତ ଯାତ୍ରା ଜାସ୍କରନ୍ ସିଂଙ୍କ ପାଇଁ ଏତେ ସହଜ ନଥିଲା।

ସେ ଏହାକୁ ବର୍ଣ୍ଣନା କରି କହିଛନ୍ତି ଯେ, '‘ମୁଁ ଏହି କାର୍ଯ୍ୟକ୍ରମ ପାଇଁ ଗତ ୪ ଥର ହେବ ପ୍ରସ୍ତୁତ ହୋଇ ଆସୁଛି। ହେଲେ କେବେ ବି ସୁଯୋଗ ମିଳିନଥିଲା। ତଥାପି ଆଶା ଥିଲା।’’ ତାଙ୍କର ବିଶ୍ବାସ ଥିଲା ଯେ ସେ ଦିନେ ନା ଦିନେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିବାର ସୁଯୋଗ ପାଇବେ।

'କେବିସି ୧୫' ପାଇଁ ଜାସ୍କରନଙ୍କ ଏପିସୋଡ୍ ଦୁଇ ସପ୍ତାହ ପୂର୍ବରୁ ସୁଟିଂ କରାଯାଇଥିଲା। ବର୍ତ୍ତମାନ ଏପିସୋଡର ପ୍ରୋମୋ ଭିଡିଓ ଦେଖିବାକୁ ମିଳିଛି। ଅନେକ ନେତା ଓ ବରିଷ୍ଠ ଅଧିକାରୀ ତାଙ୍କ ଘରକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।