‘କେବିସି’ରୁ ୫ କୋଟି ଜିତି ଚମ୍ପା ଗଛ ଲଗାଉଛନ୍ତି ଏହି ବ୍ୟକ୍ତି

ପାଟନା: ୨୦୧୧ ମସିହାର କଥା | ଖବରର ଶିରୋନାମା ପାଲଟିଯାଇଥିଲେ ବିହାରର ଏହି ଯୁବକ | ନିଜର ବୁଦ୍ଧି ବଳରେ କୋଟିପତି ହୋଇଯାଇଥିଲେ | ଯୁବକ ସୁଶୀଲ କୁମାର ରିୟାଲିଟି ସୋ ‘କୌନ ବନେଗା କରୋଡପତି’ରେ ୫ କୋଟି ଟଙ୍କା ଜିତି ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିଲେ | ତେବେ ଏବେ ଏହି ଯୁବକଙ୍କ ପରିଚୟ ବଦଳିଛି | କାରଣ ବର୍ଷକ ମଧ୍ୟରେ ୭୦ ହଜାର ଚମ୍ପା ଗଛ ଲଗାଇ ରେକର୍ଡ ସୃଷ୍ଟି କରିଛନ୍ତି | କେବଳ ଚମ୍ପାଗଛ ନୁହେଁ ବରଂ ବର ଓ ଅଶ୍ୱତ୍ଥ ଗଛ ଲଗାଇ ସବୁଜ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି | ପଢନ୍ତୁ କୋଟିପତିରୁ ଗଛପତି ହୋଇଥିବା ଏହି ଯୁବକଙ୍କ କାହାଣୀ |

ବିହାରର ଚମ୍ପାରଣରେ ଜନ୍ମଗ୍ରହଣ କରିଥିବା ସୁଶୀଲ ପାଠ ବହିରେ ପଢିଥିଲେ ତାଙ୍କ ଗାଁର ପ୍ରକୃତ ନାମ ଚମ୍ପକାରଣ୍ୟ ଥିଲା | ଶୁଣିଥିଲେ ଦିନେ ପ୍ରବଳ ଚମ୍ପାଗଛରେ ଭରପୁର ଥିଲା ଚମ୍ପକାରଣ୍ୟ | କିନ୍ତୁ ନିଜ ଗାଁରେ ଗୋଟିଏ ବି ଚମ୍ପା ଗଛ ନ ଦେଖି ବେଶ ବାଧିଥିଲା | ଏହା ପରେ ଚମ୍ପାଗଛ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ ସୁଶୀଲ କୁମାର | ୨୦୧୮ ଏପ୍ରିଲ ୨୨ରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ | ଲୋକଙ୍କ ପାଖକୁ ଯାଇ ନିଜ ଉଦ୍ଦେଶ୍ୟ ବାବଦରେ କହିଥିଲେ |

Photo-BetterIndia

ଧୀରେ ଧୀରେ ଲୋକଙ୍କ ସାହାଯ୍ୟ ମିଳିଥିଲା | ଜୁନ ୫, ୨୦୧୮ରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସ୍ଥାନୀୟ ଲୋକ ଶୁଶିଲଙ୍କ ନେତୃତ୍ୱରେ ୨୧ ହଜାର ଚମ୍ପାଗଛ ଲଗାଇଥିଲେ | ବିଭିନ୍ନ ନର୍ସରୀରୁ ଚମ୍ପାଗଛ କିଣି ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ | ପାଖାପାଖି ୫୦ ହଜାର ଚମ୍ପାଗଛ କିଣାଯାଇଥିବାବେଳେ ୨୦ ହଜାର ଗଛ ଅନ୍ୟ ସ୍ଥାନରୁ ସଂଗ୍ରହ କରାଯାଇଥିଲା |

Photo-BetterIndia

ଯେଉଁମାନେ ବି ଗଛଟିଏ ଲଗାନ୍ତି କିଭଳି ତାହାର ରକ୍ଷଣାବେକ୍ଷଣ କରିବେ ତାହା ବାବଦରେ ଲୋକଙ୍କୁ ବୁଝାଇଥାନ୍ତି ସୁଶୀଲ କୁମାର | ସୁଶୀଲଙ୍କର ଏହି ପ୍ରୟାସକୁ ବେଶ ପସନ୍ଦ କରିଛନ୍ତି ପରିବେଶବିତ | ଚମ୍ପାରଣ ଏବେ ଅମ୍ଳଜାନ ଭଣ୍ଡାର ପାଲଟିଥିବା ପରିବେଶବିତ ପ୍ରକାଶ କରିଛନ୍ତି |

ସମ୍ବନ୍ଧିତ ଖବର