ମୁମ୍ବାଇ: ବଡ଼ଭାଇଙ୍କୁ ହତ୍ୟା କରାଯାଇଥିବା ମାମଲାର ଲଢ଼ିବା ପାଇଁ ଜୀବନର ଲକ୍ଷ୍ୟ ବଦଳାଇ ଜଣେ ସାନଭାଇ ଓକିଲାତି ବୃତ୍ତି ଆରମ୍ଭ କରିଥିବା କଥା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୧, ଅକ୍ଟୋବର ୨୦ ତାରିଖ ରାତିରେ କୀନାନ୍ ସାଣ୍ଟୋସ୍ ଓ ତାଙ୍କ ବନ୍ଧୁ ରୁବେନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସମ୍ପ୍ରତି ଓକିଲ ହୋଇ ଦୁହିଁଙ୍କ ତରଫରୁ ମାମଲା ଲଢ଼ିବାକୁ ବାହାରିଥିବା ଶେନ୍ଙ୍କ ସେତେବେଳେ ମାତ୍ର ୧୯ ବର୍ଷ ହୋଇଥିଲା।
ହୋଟେଲ୍ ଶିଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଶେନ୍ ଏହି ଘଟଣା ପରେ ତାଙ୍କ ବୃତ୍ତିଗତ ଲକ୍ଷ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ଠିକ୍ କରିଥିଲେ ଆଇନ ପଢ଼ିବେ ଏବଂ ସେ ବର୍ଷରୁ ଅଦାଲତରେ ଚାଲିଥିବା ଏହି ମାମଲାରେ ବାପା ଭାଲେରିୟାନ୍ଙ୍କ ତରଫରୁ ଓକିଲ ହୋଇ ଲଢ଼ିବେ।
ତେଣୁ, ଭାଇ ଓ ଭାଇଙ୍କ ସାଙ୍ଗଙ୍କ ହତ୍ୟାକାଣ୍ଡରେ ଦଣ୍ଡାଦେଶ ପାଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କରିଥିବା ଜାମିନ ଆବେଦନକୁ ବିରୋଧ କରିବା ଲାଗି ସେ ଶେନ୍ ବୁଧବାର ଦିନ ସୁପ୍ରିମ୍ କୋର୍ଟରେ ହାଜର ହୋଇଥିଲେ।
/sambad/media/post_attachments/d1b5917f5a1fa0889854ce5ca43e6ef294fa397bde89a586073069b4b1cfd456.jpg)
୨୦୧୧ ଅକ୍ଟୋବର ରାତିର ଘଟଣାଟି ଥିଲା ଏମିତି: ଅନ୍ଧେରୀସ୍ଥିତ ‘ଆମ୍ବୋଲି ବାର୍ ଆଣ୍ଡ୍ କିଚେନ୍ ରେସ୍ତୋରାଁ’ରେ ୨୪ ବର୍ଷୀୟ କୀନାନ୍ ଓ ୨୯ ବର୍ଷିୟ ରୁବେନ୍ ଓ ସେମାନଙ୍କର ଦଳେ ବନ୍ଧୁ ପାର୍ଟି କରୁଥିଲେ। ପାର୍ଟି ଶେଷରେ ସେମାନେ ଫେରୁଥିବା ବେଳେ ଘଟଣାସ୍ଥଳରେ ଜିତେନ୍ଦ୍ର ରାଣା, ସତୀଶ ଦୁଲ୍ଗଜ୍, ସୁନୀଲ ଭୋତ୍ ଓ ଦୀପକ ତିୱାଲ୍ ପାର୍ଟିରେ ଯୋଗ ଦେଇଥିବା ଦୁଇଜଣ ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲେ। କୀନାନ୍ ବାଧା ଦେବାରୁ ୪ଜଣଯାକ ଘଟଣାସ୍ଥଳରୁ ଚାଲିଯାଇଥିଲେ, କିନ୍ତୁ ଅଧିକ ଲୋକ ଓ ଅସ୍ତ୍ରଶସ୍ତ୍ର ଧରି ଘଟଣାସ୍ଥଳକୁ ଫେରି କୀନାନ୍ ଓ ରୁବେନ୍ଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କୀନାନ୍ଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ହୋଇଥିବା ରୁବେନ୍ଙ୍କର ୧୦ ଦିନ ପରେ ମୃତ୍ୟୁ ଘଟିଲା।
କିନ୍ତୁ, ବିଚାର ବ୍ୟବସ୍ଥା ଓ ତଦନ୍ତକାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଅଭିଯୁକ୍ତମାନେ ୫ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। କିନ୍ତୁ, ଅଳ୍ପ କେତେ ମାସ ପରେ ସେମାନେ ଏହି ଆଦେଶକୁ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। ସେମାନେ ଦର୍ଶାଇ ଥିଲେ କି, ଅଦାଲତ ଏହି ‘ଡବଲ୍ ମର୍ଡର୍’ର ଉଦ୍ଦେଶ୍ୟ ଦର୍ଶାଇବାରେ ନିମ୍ନ ଅଦାଲତ ବିଫଳ ହୋଇଛନ୍ତି। କିନ୍ତୁ, ମାମଲାର ସମାଧାନ ନ ହୋଇ ବିଚାର ତାରିଖ ପରେ ତାରିଖ ଗଡ଼ିଚାଲିଲା।
କେବଳ ଏହି କଥାରୁ ହିଁ ଶେନ୍ ଓକିଲାତି ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ।