ବର୍ଷା ଦିନେ ମଶା, ମାଛିଙ୍କ ସହ ବହୁ କୀଟପତଙ୍ଗଙ୍କ ବଂଶ ବୃଦ୍ଧି ପାଏ। ଏଥିସହ ଜମି ରହିଥିବା ପାଣି, ଲାଗି ରହିଥିବା ବର୍ଷା ଓ ସନ୍ତସନ୍ତିଆ ପରିବେଶ ଅନେକ ରୋଗର କାରଣ ହୁଏ। ଏହି ଋତୁରେ ଥଣ୍ଡା, ଜ୍ବର ଓ କାଶ ଭଳି ରୋଗ ପ୍ରାୟ ସମସ୍ତଙ୍କୁ ହୋଇଥାଏ। କିନ୍ତୁ ଶିଶୁମାନଙ୍କଠାରେ ବର୍ଷା ଋତୁରେ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବର୍ଷା ଦିନେ ଶିଶୁମାନଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ଦେହୁରୀଙ୍କ ସହ ଏହି ସଂକ୍ଷିପ୍ତ ଆଲୋଚନା।
ବର୍ଷା ଦିନେ ଶିଶୁମାନଙ୍କ ତ୍ବଚା ଲାଲ୍ ହୋଇ ଫଳିଯାଏ। ଏଭଳି କାହିଁକି ହୁଏ?
ବର୍ଷା ଦିନେ ଆର୍ଦ୍ରତା ଓ ଝାଳ ଯୋଗୁଁ ଶିଶୁମାନେ ପିନ୍ଧିଥିବା ଡାଇପର ସ୍ଥାନଗୁଡ଼ିକରେ କୁଣ୍ଡାଇ ହୋଇ ଫଳିଯାଏ। ବେଳେବେଳେ ଫଙ୍ଗାଲ୍ ସଂକ୍ରମଣ ବି ହୋଇଥାଏ। ଏଥିସହ ଶରୀରରେ ବି ସେଇ ସମାନ ସମସ୍ୟା ଦେଖାଯାଏ। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଛୁଆମାନଙ୍କୁ ସୂତା ତଥା ଢିଲା ପୋଷାକ ପିନ୍ଧାଇବା ସହ ନିୟମିତ ବ୍ୟବଧାନରେ ଡାଇପର୍ ବଦଳାଇବା, ଏସିକୁ ୨୫-୨୭ ଡିଗ୍ରି ସେଲ୍ସିୟସ୍ରେ ରଖିବା ବା ଡ୍ରାଏ କୁଲର ବ୍ୟବହାର କରିବା, ଶିଶୁକୁ କିଛି ଘଣ୍ଟା ବ୍ୟବଧାନରେ ଗାଧୋଇବା, ସଫାସୁତୁରା ରଖିବା ଏବଂ ବେବି କ୍ରିମ୍ ବା ପାଉଡ଼ର ବ୍ୟବହାର ନ କରିବା ଭଲ।
ମଶାବାହିତ ରୋଗ ଡେଙ୍ଗୁ, ମ୍ୟାଲେରିଆ ଓ ଚିକନ୍ଗୁନିଆରୁ ଶିଶୁଙ୍କୁ କେମିତି ରକ୍ଷା କରିବା?
ପ୍ରଥମତଃ ମଶାରି ବାନ୍ଧି ଶୋଇବା ଅତ୍ୟନ୍ତ ଜରୁରି। ଘର ଚାରିପାଖେ ଓ ଘରେ ପ୍ରାକୃତିକ ମଶା ନିରୋଧକର ବ୍ୟବହାର କରିବା। ସ୍କୁଲ, ବଜାର ଯିବା ବେଳେ କିମ୍ବା ଖେଳିବା ସମୟରେ ପିଲାମାନଙ୍କୁ ଫୁଲ୍ ହାତ ଡ୍ରେସ୍ ଓ ଫୁଲ୍ପ୍ୟାଣ୍ଟ୍ ପିନ୍ଧାଇବା ଉଚିତ।
ବର୍ଷା ଦିନେ ଶିଶୁଙ୍କ ବଦ୍ହଜମି ଓ ଫୁଡ୍ ପଏଜନିଂ ସମସ୍ୟାର ସମାଧାନ କ’ଣ?
ବର୍ଷା ଦିନେ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଫଳରେ ଅଧିକରୁ ଅଧିକ ବଦ୍ହଜମି ସମସ୍ୟା ସହ ଶିଶୁମାନଙ୍କୁ ଫୁଡ୍ ପଏଜନିଂ ହୋଇଥାଏ। ଏଣୁ ବର୍ଷା ଦିନେ ବାହାର ଖାଦ୍ୟ ଖାଇବାରୁ ନିବୃତ୍ତ ରହିବା ସହ ଘରେ ସଦ୍ୟ ତିଆରି ଗରମ ଖାଦ୍ୟ ଖାଇବା ଓ ଶିଶୁଙ୍କୁ ଖୁଆଇବା ଲାଭପ୍ରଦ।
ଏ ଦିନେ ଝାଡ଼ାବାନ୍ତି, ଜ୍ବର, ଥଣ୍ଡା, କାଶ ଓ ନିମୋନିଆ ଆଦି ସମସ୍ୟାରୁ କେମିତି ଦୂରେଇ ରହିବା?
ବର୍ଷା ଦିନେ ନିଜେ ସଫାସୁତୁରା ରହିବା ସହ ନିଜ ଆଖପାଖ ପରିବେଶକୁ ବି ସଫା ରଖିବାର ଆବଶ୍ୟକତା ରହିଛି। ଫଳରେ ବିଭିନ୍ନ ଜୀବାଣୁ ଓ ଭୂତାଣୁଜନିତ ସଂକ୍ରମଣରୁ ଆମେ ରକ୍ଷା ପାଇପାରିବା। ସ୍ବଚ୍ଛ ପାନୀୟଜଳ ସେବନ, ହାତ ସବୁବେଳେ ସଫା ରଖିବା ତଥା ପିଲାମାନଙ୍କୁ ଫ୍ଲୁ, ନିମୋନିଆ ଆଦି ଟିକା ଦେବା ଭଳି ପଦକ୍ଷେପ ଗ୍ରହଣୀୟ।
ସରୀସୃପ ଓ ବିଛା କାମୁଡ଼ା ସମସ୍ୟା ବର୍ଷା ଦିନେ ଅଧିକ। ଏଥିରୁ କିଭଳି ବର୍ତ୍ତିପାରିବା?
ତଳେ ଶୋଇବାରୁ ପ୍ରଥମେ ଦୂରେଇ ରହିବାକୁ ପଡ଼ିବ। ପ୍ରବେଶ ଦ୍ବାର ଓ ପ୍ରସ୍ଥାନ ଦ୍ବାର ତଥା ଝରକାଗୁଡ଼ିକରେ ଫାଙ୍କ ସ୍ଥାନ ନ ରଖି ସେ ସବୁକୁ ବନ୍ଦ ରଖିବା ଉଚିତ। ପିଲାମାନେ ନିତିଦିନ ଖେଳୁଥିବା ଅଞ୍ଚଳ ସଫାସୁତୁରା ରଖିବା ସହ ସେହି ସବୁ ସ୍ଥାନ ଉପରେ ନଜର ରଖିବା ଦ୍ବାରା ଏସବୁ ସମସ୍ୟାକୁ ଆମେ ଦୂରେଇ ପାରିବା।