କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗ ଦେବା ଲାଗି ନିକଟରେ ଭୁବନେଶ୍ବର ଆସିଥିଲେ। ଏହି ଅବସରରେ ଶ୍ରମ, ନିଯୁକ୍ତି ଓ କ୍ରୀଡ଼ା କ୍ଷେତ୍ରର ବିକାଶ ଲାଗି ଭାରତ ସରକାରଙ୍କ ଆଭିମୁଖ୍ୟ କ’ଣ, କେଉଁ କେଉଁ ନୂଆ କାର୍ଯ୍ୟକ୍ରମ ସଂପ୍ରତି ହାତକୁ ନିଆଯାଇଛି ଏବଂ ଓଡ଼ିଶା କିଭଳି ଏଥିରୁ ସୁଫଳ ପାଇବ, ସେ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଥିଲେ ବରିଷ୍ଠ ପ୍ରତିନିଧି ବିଭୂତି ପତି
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଏଥର ଓଡ଼ିଶାକୁ କାହିଁକି ବଛାଯାଇଛି? ଏହି ସମ୍ମିଳନୀ ଓଡ଼ିଶା ପାଇଁ କିପରି ଲାଭଦାୟକ ହେବ ବୋଲି ଆପଣ ଭାବୁଛନ୍ତି?
ପୂର୍ବୋଦୟ ନୀତିର ଅଂଶସ୍ବରୂପ ଭାରତ ସରକାର ଚଳିତବର୍ଷ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ଆୟୋଜନ କରିଛନ୍ତି। ସର୍ବୋପରି ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଦୃଷ୍ଟିଦେବେ ବୋଲି ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାରେ ଉପଲବ୍ଧ ବିଭିନ୍ନ ସୁଯୋଗ ସଂପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ। ଏଠାକୁ ଆସିଥିବା ପ୍ରତିଟି ପ୍ରବାସୀ ଭାରତୀୟ ଓଡ଼ିଶାକୁ ଭଲଭାବରେ ଜାଣିବାକୁ ପାଇବେ। ଏହାଦ୍ୱାରା ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ। ଓଡ଼ିଶାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି। ଏହାର ପ୍ରଚାର ପ୍ରସାର ଦିଗରେ କେନ୍ଦ୍ର ସରକାର ଧ୍ୟାନ ଦେଇଛନ୍ତି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ‘ବ୍ୟାବସାୟିକ ଅଧିବେଶନ’ ଦ୍ୱାରା ଓଡ଼ିଶାରେ ରହିଥିବା ନିଯୁକ୍ତି ସମ୍ଭାବନା ସଂପର୍କରେ ଉପସ୍ଥାପନ କରାଯିବ। ଏହା ନିଯୁକ୍ତି ସୁଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହି ସମ୍ମିଳନୀ ପ୍ରବାସୀଙ୍କ ମାତୃଭୂମି ଓ କର୍ମଭୂମି ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିବ। ଆମେ ଆଶା କରୁଛୁ, କାର୍ଯ୍ୟକ୍ରମରୁ ଓଡ଼ିଶାକୁ ଅନେକ ସୁଫଳ ମିଳିବ।
ଆପଣଙ୍କ ଶାସନକାଳରେ ଦେଶରେ ବେରୋଜଗାରି ବଢୁଛି ବୋଲି ବିରୋଧୀ ଦଳ ନେତା ରାହୁଲ୍ ଗାନ୍ଧୀ ଅଭିଯୋଗ କରୁଛନ୍ତି। ବାସ୍ତବରେ ମଧ୍ୟ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଆପଣଙ୍କ ମତ କ’ଣ?
ମୁଁ ଦୃଢ଼ତାର ସହିତ ଦାବି କରି କହିବି, ୟୁପିଏ ସରକାର ତୁଳନାରେ ଏନ୍ଡିଏ ଶାସନକାଳରେ ନିଯୁକ୍ତିରେ ଯଥେଷ୍ଟ ବୃଦ୍ଧି ଘଟିଛି ଏବଂ ଏଥିପାଇଁ ମୁଁ ଯେକୌଣସି ବିରୋଧୀ ଦଳ ନେତାଙ୍କ ସହିତ ବିତର୍କ ପାଇଁ ପ୍ରସ୍ତୁତ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ପ୍ରସ୍ତୁତ କେଏଲ୍ଏମ୍ଏସ୍ [କ୍ୟାପିଟାଲ୍ (ପୁଞ୍ଜି), ଲେବର୍ (ଶ୍ରମ), ଏନର୍ଜି (ଶକ୍ତି), ମ୍ୟାଟେରିଆଲସ୍ (କଞ୍ଚାମାଲ୍), ସର୍ଭିସେସ୍ (ସେବା)] ରିପୋର୍ଟ ପଢ଼ି ନିଯୁକ୍ତିର ପ୍ରକୃତ ସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ଆପଣମାନେ ଦେଖନ୍ତୁ। ଏହି ରିପୋର୍ଟ ମୁତାବକ ୨୦୧୪-୧୫ରେ ଦେଶରେ ନିଯୁକ୍ତି ୪୭.୧୫ କୋଟି ଥିବାବେଳେ ୨୦୨୩-୨୪ ବେଳକୁ ୩୬ ପ୍ରତିଶତ ବୃଦ୍ଧି ପାଇ ଏହା ୬୪.୩୩ କୋଟିରେ ପହଞ୍ଚିଛି। ୟୁପିଏ ଶାସନକାଳର ଦଶ ବର୍ଷ ମଧ୍ୟରେ ୨.୯ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ଏନଡିଏ ଶାସନର ଦଶବର୍ଷ ମଧ୍ୟରେ ୧୭.୧୯ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି ହୋଇଛି।
କୃଷି କ୍ଷେତ୍ରରେ ଆଶାନୁରୂପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଆପଣଙ୍କ ସରକାର କେତେ ସଫଳ ହୋଇଛନ୍ତି? ଶ୍ରମ ଶକ୍ତି ନିଯୁକ୍ତି ବ୍ୟବସ୍ଥା ବିଫଳ ହୋଇଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି?
ବିରୋଧୀ ଖାଲି ଅଭିଯୋଗ କରୁଛନ୍ତି, କିନ୍ତୁ ପ୍ରକୃତ ତଥ୍ୟ ସଂସଦରେ ଉପସ୍ଥାପନ କରି ଉତ୍ତର ମାଗନ୍ତୁ। ଏହା ନକରି ଖାଲି ଗଣମାଧ୍ୟମରେ ଅଭିଯୋଗ କଲେ ଆଜିର ନାଗରିକ ଗ୍ରହଣ କରିବେ ନାହିଁ ବୋଲି ମୁଁ ଭାବୁଛି। ମୁଁ ଆପଣଙ୍କ ମାଧ୍ୟମରେ ଏଠାରେ ପ୍ରକୃତ ତଥ୍ୟ ପ୍ରମାଣ ଦେଉଛି। ଏହାକୁ ବିରୋଧୀ ଖଣ୍ଡନ କରନ୍ତୁ। ୨୦୦୪ରୁ ୨୦୧୪ଯାଏ ୟୁପିଏ ଶାସନ କାଳରେ କୃଷି କ୍ଷେତ୍ରରେ ନିଯୁକ୍ତି ୧୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୪ରୁ ୨୦୨୩ ମଧ୍ୟରେ ମୋଦୀଙ୍କ ଶାସନ କାଳରେ ଏହା ୧୯ ପ୍ରତିଶତ ବୃଦ୍ଧି ପାଇଛି। ଅନୁରୂପ ଭାବେ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ୨୦୦୪-୨୦୧୪ରେ ୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୪ରୁ ୨୦୨୩ ଯାଏ ଏନ୍ଡିଏ ଶାସନ କାଳରେ ଏହା ୧୫ ପ୍ରତିଶତ ବୃଦ୍ଧି ପାଇଛି। ପୁଣି ୟୁପିଏ ଅମଳରେ ସେବା କ୍ଷେତ୍ରରେ ନିଯୁକ୍ତି ୨୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆମ ଶାସନକାଳରେ ଏହା ୩୬ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଆପଣ ଏନ୍ଡିଏ ସରକାରଙ୍କ ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲ୍ଏଫ୍ପିଆର୍)କୁ ଲକ୍ଷ୍ୟକରନ୍ତୁ। ୨୦୧୭-୧୮ରେ ଏହା ୪୯.୮ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୩-୨୪ରେ ୬୦.୧ ପ୍ରତିଶତରେ ପହଞ୍ଚିଥିଲା। ଯୁବକମାନେ ଆନୁଷ୍ଠାନିକ ଚାକିରି ବଜାରରେ ଗତ ୭ ବର୍ଷ ମଧ୍ୟରେ (ସେପ୍ଟେମ୍ବର ୨୦୧୭ରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ) ୪.୭ କୋଟିରୁ ଊର୍ଦ୍ଧ୍ବ ଯୁବକ (୧୮ରୁ ୨୮ ବର୍ଷ ମଧ୍ୟରେ) କର୍ମଚାରୀ ଭବିଷ୍ୟନିଧି (ଇ.ପି.ଏଫ୍.ଓ.)ରେ ସାମିଲ୍ ହୋଇଛନ୍ତି।
କ୍ରୀଡ଼ାକ୍ଷେତ୍ରର ବହୁଚର୍ଚ୍ଚିତ ‘କୀର୍ତ୍ତି’ ଯୋଜନା ଏବଂ ଶ୍ରମ ମନ୍ତ୍ରଣାଳୟର ‘ଇ-ଶ୍ରମ’ କାର୍ଯ୍ୟକ୍ରମ ପରିଚାଳନାର ସଫଳତାକୁ ନେଇ ଆପଣ କ’ଣ କହିବେ?
୨୦୨୪ ମସିହା ଜୁଲାଇ ମାସରେ ମୁଁ ‘ଖେଲୋ ଇଣ୍ଡିଆ ରାଇଜିଙ୍ଗ୍ ଟ୍ୟାଲେଣ୍ଟ୍ ଆଇଡେଣ୍ଟିଫିକେସନ୍ (କୀର୍ତି)’ ବା ଉଦୀୟମାନ ଖେଳାଳି ଚିହ୍ନଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲି। ଏହି କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଯୁବ କ୍ରୀଡ଼ାପ୍ରତିଭାଙ୍କୁ ଚିହ୍ନଟ କରିବା ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ଲକ୍ଷ୍ୟ ରଖାଯାଇଥିଲା ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ୍ ୨୦ ଲକ୍ଷ ଖେଳାଳିଙ୍କ ଯୋଗ୍ୟତା ଓ ପାରଦର୍ଶିତାର ଆକଳନ କରାଯିବ। ଏହାଦ୍ୱାରା ଭାରତୀୟ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଆଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମୁଁ ଭାବୁଛି କ୍ରୀଡ଼ାର ବିକାଶରେ ଏହା ନିଶ୍ଚିତ ସଫଳତା ଆଣିପାରିବ। ଆପଣ ଯଦି ଜାପାନ ଓ ଅନ୍ୟ ଦେଶମାନଙ୍କୁ ଲକ୍ଷ୍ୟ କରିବେ, ତେବେ ଦେଖିବେ ସେମାନେ ନିଜ ଦେଶରେ କ୍ରୀଡ଼ାର ଉନ୍ନତି ପାଇଁ ଏହିଭଳି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ୯ରୁ ୧୮ ବର୍ଷ ବୟସର ଯୁବ ଆଥ୍ଲେଟ୍ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଶାସେବନରୁ ବିରତ କରିବା ଏବଂ କ୍ରୀଡ଼ାବିତମାନଙ୍କୁ ମାତ୍ରାଧିକ ସମୟ ଧରି ମୋବାଇଲ୍ ବା ଟିଭି ଦେଖିବାରୁ ନିବୃତ୍ତ କରିବା। ଅନୁରୂପ ଭାବେ ୨୦୨୪ ଅକ୍ଟୋବର ମାସରେ ଆମେ ‘ଇ-ଶ୍ରମ-ଏକାକାଳୀନ ସମାଧାନ’ର ଶୁଭାରମ୍ଭ କରିଥିଲୁ। ଏହି ମଞ୍ଚର ଉଦ୍ଦେଶ୍ୟ ହେଲା ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନା ସହ ଯୋଡ଼ି ଅସୁବିଧାଶୂନ୍ୟ ସାମାଜିକ ସୁରକ୍ଷା ସୁବିଧାମାନ ଯୋଗାଇଦେବା। ଏହି ଉଦ୍ୟମ ମାଧ୍ୟମରେ ଏକାଧିକ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ଯୋଜନାରୁ ସଂଗୃହୀତ ତଥ୍ୟବଳି ସମନ୍ବିତ କରାଯାଏ। ୱାନ୍ ନେସନ୍, ୱାନ୍ ରେସନ୍ କାର୍ଡ ଏବଂ ମନରେଗା ଇତ୍ୟାଦି ଉତ୍ସରୁ ସଂଗୃହୀତ ତଥ୍ୟ ସବୁକୁ ଗୋଟିଏ ପୋର୍ଟାଲ୍ରେ ଏକତ୍ର କରାଯାଉଛି। ୨୦୨୪ ମସିହା ସୁଦ୍ଧା ୩୦ କୋଟିରୁ ଊର୍ଦ୍ଧ୍ବ ଶ୍ରମିକ ଏହି ଇ-ଶ୍ରମ ମଞ୍ଚରେ ପଞ୍ଜିକୃତ ହୋଇସାରିଛନ୍ତି। ଉଭୟ ଯୋଜନା ଓ କାର୍ଯ୍ୟକ୍ରମରୁ ଆମେ ଯଥେଷ୍ଟ ସଫଳତା ପାଇଛୁ। ଏହା ସମସ୍ତଙ୍କ ନିକଟରେ ଗ୍ରହଣୀୟ ମଧ୍ୟ ହୋଇଛି।
ଆପଣଙ୍କ ମନ୍ତ୍ରାଳୟର ଇପିଏଫ୍ଓ-୩ କାର୍ଯ୍ୟକ୍ରମ ଏବେ ଚର୍ଚ୍ଚାରେ ରହିଛି। ଏଥିରୁ କର୍ମଚାରୀ କିଭଳି ସୁବିଧା ପାଇବେ?
ଖୁବ୍ ଶୀଘ୍ର ‘ଇ.ପି.ଏଫ୍.ଓ.-୩’ କାର୍ଯ୍ୟକାରୀ ହେବ। ଆଗାମୀ ଜୁନ୍ ମାସ ସୁଦ୍ଧା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇ.ପି.ଏଫ୍.ଓ.) ତା’ର ନୂଆ ସଫ୍ଟୱେର୍ ‘ଇପିଏଫ୍ଓ-୩’ ଉନ୍ମୋଚନ କରିବାକୁ ଯାଉଛି। ଏହି ନୂଆ ବ୍ୟବସ୍ଥା ବ୍ୟାଙ୍କ୍ରେ ବ୍ୟବହୃତ ବ୍ୟବସ୍ଥା ସହ ସମକକ୍ଷ ହେବ ଏବଂ ବ୍ୟବହାରକାରୀମାନଙ୍କ ସକାଶେ ଅଧିକ ସହଜ ହେବ। ‘ଇପିଏଫ୍ଓ-୩’ ଲାଗୁ ହେବା ପରେ ଇ.ପି.ଏ.ଫ୍.ଓ. ପକ୍ଷରୁ ଏହାର ସଦସ୍ୟମାନଙ୍କୁ ଏଟିଏମ୍ କାର୍ଡ ମଧ୍ୟ ଯୋଗାଇଦେବ। ଏହା ମାଧ୍ୟମରେ ସେମାନେ ନେଣଦେଣ କରିପାରିବେ। ଚଳିତ ଜାନୁଆରି ଶେଷ ସୁଦ୍ଧା ୱେବ୍ସାଇଟ୍ ଏବଂ ବ୍ୟବସ୍ଥାର ପ୍ରଥମ ପର୍ଯ୍ୟାୟ ଉନ୍ନତୀକରଣ ଶେଷ ହୋଇଯିବ ବୋଲି ଆଶା କରୁଛି।