ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୋହଲିଗଲା ଆପ୍ ର ଗଡ । ୨୦୨୫ରେ କାମ ଦେଲାନି ‘ଝାଡୁ’ ଝଡ । ଏଥର ‘ଝାଡୁ’କୁ ଝାଡୁ କରିଦେଲା ବିଜେପି ଆଉ ଦିଲ୍ଲୀ ଛାତିରେ ଦୀର୍ଘ ୨୭ ବର୍ଷ ପରେ ଫୁଟାଇଲା ଫୁଲ । ଦିଲ୍ଲୀବାସୀଙ୍କ ବିଶ୍ବାସ ଜିତି ଏଥର ଭାଜପା ଭୂକମ୍ପ କରିଛି, ଯେଉଁ ଭୂକମ୍ପରେ ଥରହର ହୋଇଛି ଆପ୍ ଗଡ ଆଉ ଭାଙ୍ଗିଛି ଦଶନ୍ଧିର କେଜ୍ରି ‘ୱାଲ୍’ । 

Advertisment

୧୯୯୮ରୁ ୨୦୨୫, ଦୀର୍ଘ ୨୭ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରୁଛି ବିଜେପି । ୧୧ ବର୍ଷ ଧରି ସରକାର ଚଳାଇବା ସତ୍ତ୍ବେ ପରାଜୟର ସ୍ବାଦ ଚାଖୁଛି ଆମ୍ ଆଦମୀ ପାର୍ଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ମନୀଷ ସିଶୋଦିଆ, ସତୈନ୍ଦ୍ର ଜୈନଙ୍କ ଭଳି ଦଳର ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି । ପୂର୍ବ ୩ଟି ନିର୍ବାନରେ ବଡ ବିଜୟ ସହ ଦିଲ୍ଲୀ ଦଖଲ କରିଥିଲା ଆପ୍ । ହେଲେ ଏଥର ଦିଲ୍ଲୀ ଦଖଲ କରିବାରେ ଅସମର୍ଥ ହେବା ସହ ହ୍ୟାଟ୍ରିକ ବିଜୟର ସ୍ବପ୍ନ ଚୁରମାର ହୋଇଛି ।

ସେପଟେ ବିଜେପିର ବିଜୟ ତାଲିକାରେ ଯୋଡି ହୋଇଛି ଦିଲ୍ଲୀର ନାଁ । ଆପର ବିଜୟ ରଥରେ ବ୍ରେକ ଦେଇଛି ବିଜେପି । ଝାଡୁକୁ ପର କରି, ପଦ୍ମକୁ ଆଦରି ନେଇଛନ୍ତି ଦିଲ୍ଲୀବାସୀ । ଏହାସହ ଦୀର୍ଘ ୨୭ ବର୍ଷ ପରେ ପୁଣିଥରେ ଜାତୀୟ ରାଜଧାନୀରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କଣ ପାଇଁ ଦିଲ୍ଲୀରେ ହାରିଲା ଆପ୍ ? ଜାଣନ୍ତୁ ପରାଜୟ ପଛର କାରଣ...

କାହିଁକି ଭାଙ୍ଗିଲା କେଜ୍ରି ‘ୱାଲ’ ? 
-ସରକାରଙ୍କ ଉପରେ ଦୁର୍ନୀତିର ଛିଟା
-ମଦ ଦୁର୍ନୀତିରେ କେଜ୍ରିୱାଲ ଓ ସରକାର ବଦନାମ ହେବା
-ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ଜେଲ୍ ଯିବା
-ଆପର ବଡ଼ ଚେହେରା ଜେଲ୍ ଯିବା 
- ସରକାରୀ ବାସଭବନକୁ କେଜ୍ରିୱାଲ ବିଳାସପୂର୍ଣ୍ଣ କରିବା
-ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆପ୍ ଛବି ମଳିନ ହେବା
- ଯମୁନା ପ୍ରଦୂଷିତ ହେବା, ଯେଉଁ ପ୍ରସଙ୍ଗରେ ବିଜେପି ରଣନୀତିକୁ କାଉଣ୍ଟର ନ କରିପାରିବା 
-ଭଲ ରାସ୍ତା ଓ ପିଇବା ପାଣି  ଦେବାରେ ବିଫଳ 
-ଶିକ୍ଷା ବ୍ୟବସ୍ଥା ଦୁର୍ବଳ
-ଏଲଜି, କେନ୍ଦ୍ର ସହ ବାରମ୍ୱାର ମୁହାଁମୁହିଁ ଓ ନକାରାତ୍ମକ ପ୍ରଚାର 
-କଂଗ୍ରେସ ସହ ମେଣ୍ଟ ନ କରିବା ବି ହାରିବାର ବଡ କାରଣ
-ଏହାଛଡା  ସରକାର ବିରୋଧୀ ହାୱା ଓ ଦିଲ୍ଲୀରେ ବିଜେପିର ରଣନୀତି ଆଗରେ ଆପ ଫେଲ ହେଲା 

ତେବେ କ୍ଷମତାରୁ ଯିବା ପରେ ଅରବିନ୍ଦ କେଜ୍ରିୱାଲ ଓ ଆପର ଭବିଷ୍ୟତ ନେଇ ଅନେକ ଅଙ୍କକଷା ଆରମ୍ଭ କରିଛନ୍ତି । କେବଳ ଅରବିନ୍ଦ କେଜ୍ରିୱାଲ ନୁହନ୍ତି , ଆପର ବଡ ବଡ ନେତା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ,ସୋମନାଥ ଭାରତୀ ବି ହାରିଯାଇଛନ୍ତି । ଏବେ ନିର୍ବାଚନ ହାରିବା ପରେ ଦଳରେ ଯେଉଁ ଗୋଷ୍ଠୀ କନ୍ଦଳ ଆରମ୍ଭ ହେବ ତାକୁ ମୁକାବିଲା କରିବାରେ କେଜ୍ରିୱାଲ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ୨୦୧୩ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କୁ ହରାଇଥିଲେ ଅରବିନ୍ଦ କେଜରିୱାଲ । ଏବେ  ସମୟଚକ୍ରରେରେ ସେ ସମଦଶା ଭୋଗିଛନ୍ତି । ଏବେ  ଦେଖିବାର କଥା,  ପରାଜୟ ପରେ  ଆପ୍ କି ପ୍ରକାର ଆଭିମୁଖ୍ୟ ନେଉଛି । ଆଉ କେଜ୍ରିୱାଲଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ।