ହୃଦୟସ୍ପର୍ଶୀ ଦୃଶ୍ୟ! ପିତା-ମାତା ଦୁର୍ଘଟଣାର ଶିକାର ହେବା ପରେ ହସ୍ପିଟାଲ ବାହାରେ ଶିଶୁକୁ ଧରି ବୁଲାଉଛନ୍ତି ହୋମଗାର୍ଡ

ନୂଆଦିଲ୍ଲୀ: କେରଳର ଜଣେ ହୋମଗାର୍ଡ ସମସ୍ତଙ୍କ ହୃଦୟ ଜିଣି ନେଇଛନ୍ତି। ହୋମଗାର୍ଡଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସେ ଜଣେ ନୀରିହ ଶିଶୁକୁ ନିଜ କୋଳକୁ ନେଇ ବୁଲାଉଥିବା ଦେଖିବାକୁ ମିଳୁଛି। କେରଳ ପୁଲିସ ଏହି ଘଟଣାର ଭିଡିଓ ନିଜର ଫେସବୁକ ପେଜରେ ସେୟାର କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ୭ମାସର ଶିଶୁ ଏକ ସଡ଼କ ଦୁର୍ଘଟଣାରେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲା। ଏହି ଦୁର୍ଘଟଣାରେ ଶିଶୁଟିର ମାତା-ପିତାଙ୍କୁ ଗଭୀର ଆଘାତ ଲାଗିଥିଲା। ତେଣୁ ସେମାନଙ୍କୁ ହସ୍ପିଟା‌ଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଶିଶୁ ବଡ଼ ଭଉଣୀର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ଦୁର୍ଘଟଣାର ଶିକାର ହୋଇଥିବା ଏହି ପରିବାର କାର ଯୋଗେ ନିଜ ଘର କୟାନକୁଲମ ଯାଉଥିଲେ। ଏହି ସମୟରେ ତାଙ୍କ କାର ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା।

ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆହତ ପିତା-ମାତାଙ୍କ ଶିଶୁଟି କିଛି ନଜାଣି ପାରି ରାହା ଧରି ହସ୍ପିଟା‌ଲରେ କାନ୍ଦିବାକୁ ଲାଗିଥିଲା। ଏହି ସମୟରେ ହସ୍ପିଟାଲ ପରିସରରେ  ହୋମକାର୍ଡ ସୁରେଶ ଡିୟୁଟିରେ ଥିଲେ। ସେ ଶିଶୁର କାନ୍ଦ ଦେଖି ନପାରି ତାକୁ କୋଳେଇ ନେଇ ବୁଲାଇ ଥିଲେ। ଏହାପରେ ଶିଶୁଟିର କାନ୍ଦ ବନ୍ଦ ହୋଇ ଯାଇଥିଲା। ସେ ଶିଶୁକୁ ସେମିତି ଧରି ବୁଲାଉଥିଲେ ଯେପର୍ଯ୍ୟନ୍ତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟ ହସ୍ପିଟାଲରେ ପହଞ୍ଚି ନଥିଲେ।

ସମ୍ବନ୍ଧିତ ଖବର