ଶାଢି ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ; କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ବିବାହ କଲେ ମହିଳା

ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ ସାଜିଲା କୋଭିଡ ହସ୍ପିଟାଲ

ଥିରୁବନନ୍ତପୁୁରମ: ନା ଥିଲା ହୋମନିଆଁ, ନା ଥିଲା ବାହାବେଦୀ । ନଥିଲା ବ୍ରାହ୍ମଣର ମନ୍ତ୍ରପାଠ । ବିନା ବେଦୀରେ ହେଲା ବାହାଘର, ବିନା ହୋମନିଆଁରେ ପଡ଼ିଲା ହାତଗଣ୍ଠି । ବର କନିଆଁ ବେକରେ ଫୁଲମାଳ ଦେଇ ଦୁହେଁ ସାଜିଲେ ସାତ ଜନମର ସାଥୀ । ଆଉ କୋଭିଡ ହସ୍ପିଟାଲ ରହିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ । ହଁ କୋଭିଡ ହସ୍ପିଟାଲରେ ଥିଲେ ବର, ପିପିଇ କିଟ୍ ପିନ୍ଧି ଆସିଲେ କନିଆଁ । ଆଉ ମା’ଙ୍କ ଆଶୀର୍ବାଦ ନେଇ ଉଭୟଙ୍କର ହେଲା ବାହାଘର । କରୋନା କାଳରେ ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି ।

ତେବେ କରୋନାରେ ଆକ୍ରାନ୍ତ ହୋଇ କେରଳ ଆଲ୍ଲାପୂଜା କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବର । ଆଉ କନିଆଁ ମୁହଁରେ ମାସ୍କ, ହାତରେ ଗ୍ଲୋଭ୍ସ ପିନ୍ଧି ପିପିଇ କିଟ୍ ସହ କୋଭିଡ ୱାର୍ଡକୁ ପ୍ରବେଶ କରିଥିଲେ, ଯାହା ପରେ ଆକ୍ରାନ୍ତ ବର ଶରତ ଓ କନିଆଁ ଅଭିରାମୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବରର ମା’ ମଧ୍ୟ କରୋନା ସଂକ୍ରମିତ ହୋଇଥିବାରୁ ସେ ସେହି ହସ୍ପିଟାଲରେ ଥିଲେ । ମା’ ପୁଅ ଗୋଟିଏ ହସ୍ପିଟାଲରେ ଥିବାରୁ ବାହାଘର ସେଇଠି ହେବାକୁ ସ୍ଥିର ହୋଇଥିଲା । ଆଉ ମା’ଙ୍କ ଉପସ୍ଥିତିରେ ମହାମାରୀ ଭିତରେ ଅଭିରାମୀଙ୍କୁ ନିଜର କରିଥିଲେ ଶରତ ।

ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା ଟେଷ୍ଟ୍‌ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗୋଟିଏ ପଟେ ବାହାଘର ପାଇଁ ହାତରେ ଖୁବ କମ ସମୟ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଥିଲା, ଆଉ ଏତିକି ବେଳେ ହିଁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ପରେ ତାଙ୍କ ମା’ କରୋନା ସଂକ୍ରମିତ ହୋଇଥିଲେ । ଉଭୟ ମା’ ଓ ପୁଅଙ୍କୁ କେରଳର ଆଲାପୁଜା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ସେପଟେ ପୂର୍ବରୁ ଏପ୍ରିଲ୍‌ ୨୫ ତାରିଖରେ ଶରତ ଓ ଅଭିରାମୀଙ୍କର ବିବାହ ସ୍ଥିର ହୋଇସାରିଥିବାରୁ ଉଭୟ ପକ୍ଷର ପରିବାର ଲୋକେ ସେହି ଦିନରେ ବିବାହ କରିବାର ନିଷ୍ପତ୍ତି ‌ନେଇଥିଲେ। ଆଉ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଠାରୁ ଅନୁମତି ନେଇ କୋଭିଡ ୱାର୍ଡ ଭିତରେ ବାହାଘର ହୋଇଥିଲେ । ସମ୍ପର୍କୀୟମାନେ ପିପିଇ କିଟ୍‌ ପିନ୍ଧି କୋଭିଡ୍‌ ୱାର୍ଡ ଭିତରେ ନବ ଦମ୍ପତ୍ତିଙ୍କୁ ନୂଆ ସମ୍ପର୍କ ପାଇଁ ଆଶୀର୍ବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର