ତିରୁଅନନ୍ତପୁରମ୍‌: ଅନେକ ସମୟରେ ଆପଣ ମହିଳାମାନଙ୍କୁ ଏକ ସମୟରେ ଏକାଧିକ କାମ କରୁଥିବାର ଦେଖିଥିବେ। କିଛି ମହିଳାଙ୍କୁ ନିଜ ପିଲାକୁ ଧରି କର୍ମକ୍ଷେତ୍ରକୁ ଯାଉଥିବାର ଦୃଶ୍ୟ ଆପଣ ଦେଖିଥିବେ ତ ପୁଣି କିଛି ମହିଳାଙ୍କୁ ଆପଣ ନିଜ କୁନି ପିଲାକୁ ଧରି ମଞ୍ଚ ଉପରେ ଗୀତ ଗାଉଥିବାର ବି ଦେଖିଥିବେ।

Advertisment

ଜଣେ ମହିଳା ଯେଉଁ ବି ପଦପଦବୀରେ ରହନ୍ତୁ, ଯେତେ ବି ଧନୀ କି ଗରିବ ହୁଅନ୍ତୁ; ସବୁପରେ ସେ ଜଣେ ମାଆ ଏହାର ଉଦାହରଣ ଆପଣ ଅନେକ ସମୟରେ ପାଇଥିବେ। ନିକଟରେ ବି ସେପରି ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓଟିରେ ଜଣେ ମହିଳା ଆଇଏଏସ୍‌ ଅଧିକାରୀ ନିଜ ସାଢ଼େ ୩ ବର୍ଷର ପୁଅକୁ ଧରି ଏକ ସିନେ ଉତ୍ସବରେ ଭାଷଣ ଦେଉଥିବାର ନଜର ଆସିଛନ୍ତି ।

ମହିଳା ଆଇଏଏସ୍‌ ଜଣକ ଏପରି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବି ନିଜ ପିଲା ପ୍ରତି ଥିବା କର୍ତ୍ତବ୍ୟକୁ ନଭୁଲିଥିବାରୁ କେହି କେହି ତାଙ୍କୁ ପ୍ରଶଂସା କରିଥିବା ବେଳେ ଜଣେ କର୍ତ୍ତବ୍ୟବାନ୍‌ ଅଧିକାରୀ ହୋଇ ଏପରି ଅଣପେଶାଦାର ବ୍ୟବହାର କରିଥିବାରୁ କେହି କେହି ତାଙ୍କର ସମାଲୋଚନା ବି କରିଛନ୍ତି।

ଆମେ କହୁଛୁ ପଠାନାମିଥିତ୍ତା ଜିଲ୍ଲା କଲେକ୍ଟର ଦିବ୍ୟା ଏସ୍‌ ଆୟରଙ୍କ ବିଷୟରେ। ସେ ଏକ ଘରୋଇ ସିନେମହୋତ୍ସବରେ ଭାଷଣ ଦେବା ବେଳେ ନିଜ ପୁଅକୁ କାଖେଇଥିବା ଦୃଶ୍ୟ ଭାଇରାଲ୍‌ ହେବା ପରେ ତାଙ୍କର ଉଭୟ ପ୍ରଶଂସକ ଓ ସମାଲୋଚକ ବୃଦ୍ଧି ପାଇଛନ୍ତି। ମହିଳାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି ତାଙ୍କ ସ୍ବାମୀ, ଯିଏକି ନାରୀମାନଙ୍କର ଅନେକ ସ୍ବରୁପ ସପକ୍ଷରେ ନିଜର ମତ ବାଢ଼ିଛନ୍ତି। କିନ୍ତୁ ପ୍ରାଶାସନିକ ସ୍ତରରେ ଅନେକ ଏହାକୁ ନାପସନ୍ଦ କରିଛନ୍ତି।