ଛାତ୍ରଙ୍କ ପାଇଁ ରାସ୍ତା ମଝିକୁ ଯାଇ ବେସରକାରୀ ବସ୍‌କୁ ଅଟକାଇଲେ ପ୍ରିନ୍ସିପାଲ୍‌

ତିରୁବନନ୍ତପୁରମ: କେରଳର ମାଲାପୁରମ୍‌ରେ ଜଣେ ସ୍କୁଲ୍‌ ପ୍ରିନ୍ସିପାଲ୍‌ ତାଙ୍କ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ଭଳି ଭାବେ ରାସ୍ତା ମଝିରେ ଛିଡ଼ା ହୋଇ ଏକ ବେସରକାରୀ ବସ୍‌କୁ ଅଟକାଉଛନ୍ତି ତାହା ନିଶ୍ଚିତ ରୂପେ ଏକ ପ୍ରଶଂସାଯୋଗ୍ୟ କଥା। କୁହାଯାଏ ଗୁରୁ ହେଉଛନ୍ତି ଈଶ୍ବର। ନିଜ ଅନୁଷ୍ଠାନର ପିଲାଙ୍କ ପାଇଁ ରାସ୍ତାରେ ଛିଡ଼ା ହୋଇ ପ୍ରିନ୍ସିପାଲ୍‌ ଜଣକ ବସ୍‌ ଅଟକାଉ ନଥିବା ଡ୍ରାଇଭର୍‌ ସହ ଝଗଡ଼ା କରିବା ପରେ ତାହା ପୁଣି ଥରେ ପ୍ରମାଣିତ ହୋଇଛି।

ପ୍ରିନ୍ସିପାଲ୍‌ ଜଣକ ତାଙ୍କ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କଠାରୁ ଏକାଧିକ ଅଭିଯୋଗ ପାଇଥିଲେ ଯେ ତାଙ୍କ ସ୍କୁଲ୍‌ ସାମ୍ନାରେ ବସ୍‌ ଅଟକୁ ନାହିଁ ବୋଲି। ଫଳରେ ସେମାନଙ୍କୁ ଯିବାଆସିବା କରିବାକୁ ଖୁବ୍ ଅସୁବିଧା ହେଉଛି। ଏହି ଅଭିଯୋଗ ପାଇବା ପରେ ପ୍ରିନ୍ସିପାଲ୍‌ ଜଣକ ଏହାର ସମାଧାନ କାଢ଼ିବାକୁ ନିଜେ ରାସ୍ତା ଉପରକୁ ବାହାରିଥିଲେ।

ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ପ୍ରିନ୍ସିପାଲ୍‌ ବସ୍‌ ଚାଳକଙ୍କୁ ଅଟକାଇ ତାଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛନ୍ତି।

ସେ ହେଉଛନ୍ତି କେରଳସ୍ଥିତ ମାଲାପୁରମ୍‌ ଜିଲ୍ଲାର ପେରିନ୍ଥଲ୍‌ମନା ନିକଟସ୍ଥ ପିଟିଏମ୍‌ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ପ୍ରିନ୍ସିପାଲ୍‌। ସେ ରାସ୍ତାକୁ ଯାଇ ପ୍ରଥମେ ବସ୍‌ଟିକୁ ଅଟକାଇ ବସ୍‌ ଚାଳକଙ୍କୁ କାହିଁକି ସ୍କୁଲ୍‌ ସମ୍ମୁଖରେ ବସ୍‌ ରଖୁନାହାନ୍ତି ବୋଲି ପଚାରିଥିଲେ। ସେହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ପ୍ରିନ୍ସିପାଲ୍‌ ଯାଇ ବସ୍‌ ସମ୍ମୁଖରେ ଛିଡ଼ା ହୋଇ ଯାଉଥିବାର ଦେଖିବାକୁ ମିଳିଥିଲା। ପ୍ରିନ୍ସିପାଲ୍‌ଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ତାଳି ମାରି ଉତ୍ସାହିତ କରୁଥିବା ଭିଡିଓରେ ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର