ସବୁ ମହିଳା ଚାହାନ୍ତି ତାଙ୍କର କେଶ ଲମ୍ବା, କଳା ଓ ଘନ ହେଉ। କିନ୍ତୁ ପାରିପାର୍ଶ୍ବିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର କେଶ ଝଡ଼ି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ କେଶ ବଢ଼ୁ ନ ଥିବା ମଧ୍ୟ ଦେଖାଯାଉଛି। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଏଭଳି ଲମ୍ବା କେଶ ଯୋଗୁଁ ଏହି ଗାଁ ନିଜ ନାମରେ ଏକ ସ୍ୱତନ୍ତ୍ର ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଦକ୍ଷିଣ ଚୀନ୍ରେ ରହିଛି ଏହି ଗ୍ରାମ। ଏହାର ନାମ ହେଉଛି ହୁଆଙ୍ଗଲୁଓ। ଏହା ଗୁଇଲିନ୍ ସହରଠାରୁ ମାତ୍ର ୨ ଘଣ୍ଟାର ରାସ୍ତା। ଯଦିଓ ଏହା ଏକ ସାଧାରଣ ଗାଁ ତଥାପି ଏହାର ବିଶେଷତ୍ୱ ହେଉଛି ଏଠାରେ ଥିବା ମହିଳାମାନଙ୍କର କେଶ ଖୁବ୍ ଲମ୍ବା। ଏଥିପାଇଁ ଏହି ଗାଁର ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ‘ଦୁନିଆର ଲମ୍ବା କେଶ ଗାଁ’ ଭାବରେ ସ୍ଥାନ ପାଇଛି। ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ପ୍ରାୟ ମହିଳାଙ୍କର କେଶ ୫ ଫୁଟ ପର୍ଯ୍ୟନ୍ତ ଲମ୍ବା। ଏପରି କିଛି ମହିଳା ମଧ୍ୟ ଅଛନ୍ତି ଯାହାଙ୍କ କେଶ ୬ ଫୁଟ ଲମ୍ବା। ଆଉଟ୍ଲୁକ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ୨୦୦୪ ମସିହାରେ ଜଣେ ମହିଳାଙ୍କ କେଶର ଲମ୍ବ ୭ ଫୁଟ ବୋଲି ମାପ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରେ ଥିବା ମହିଳାମାନଙ୍କର କେଶର ଓଜନ ୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏମାନଙ୍କୁ ୟାଓ ମହିଳା ବୋଲି କୁହାଯାଏ।
ଏଠାକାର ମହିଳାମାନେ ବିଶ୍ୱାସ କରନ୍ତି ଯେ, ସେମାନଙ୍କ ପୂର୍ବପୁରୁଷଙ୍କ ମଧ୍ୟରେ ‘କେଶ’ ଯୋଗାଯୋଗର ଏକ ମାଧ୍ୟମ। ଏଣୁ ସେମାନେ ତାଙ୍କ ପୂର୍ବପୁରୁଷମାନଙ୍କୁ ଖୁସି କରିବା ପାଇଁ କେବେ ବି କେଶ କାଟନ୍ତି ନାହିଁ। ଏଠାକାର ଲୋକମାନେ ମହିଳାଙ୍କ କେଶ ପାଇଁ ସ୍ୱତନ୍ତ୍ର ଧରଣ ସାମ୍ପୁ ମଧ୍ୟ ତିଆରି କରନ୍ତି। ଏହି ସାମ୍ପୁକୁ କେମିକାଲ୍ ବିନା କେବଳ ପ୍ରାକୃତିକ ଉପାଦାନରେ ତିଆରି କରାଯାଏ। ଏହାକୁ ଚା’, ପଶୁ ଲୋମ ଓ କେତେକ ଜଡ଼ିବୁଟି ମିଶ୍ରଣରେ ପ୍ରସ୍ତୁତ କରାଯାଏ। ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ମହିଳାମାନେ ୧୭ କିମ୍ବା ୧୮ ବର୍ଷରେ ଥରେ କେଶ କାଟନ୍ତି। କିନ୍ତୁ ଏହି କେଶ ଏମିତି ସେମିତି ସେଲୁନ୍ କି ପାର୍ଲର ଯାଇ କଟାଯାଏ ନାହିଁ। କେଶ କାଟିବା ପାଇଁ ଏଠାରେ ଏକ ଉତ୍ସବ ପାଳନ କରାଯାଏ। ଏଥିରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ସାମିଲ ହୁଅନ୍ତି। ଏହି ଉତ୍ସବରେ ଥରେ କେଶ କଟା ହେବା ପରେ ମହିଳାମାନେ ଆଉ କେବେ ବି କେଶ କାଟନ୍ତି ନାହିଁ।