ମୁମ୍ବାଇ: ରକିଂ ଷ୍ଟାର୍ ୟଶ୍ଙ୍କ ବ୍ଲକ୍ବାଷ୍ଟର୍ ଚଳଚ୍ଚିତ୍ର କେଜିଏଫ୍ ଚାପ୍ଟର-୨ରେ ନଜର ଆସିଥିବା କଳାକାର ହରିଷ ରାୟ କର୍କଟ ପରି ଏକ ମାରାତ୍ମକ ରୋଗର ଆକ୍ରାନ୍ତ। ନିକଟରେ ନିଜର କର୍କଟକୁ ନେଇ ବଡ଼ ଖୁଲାସା କରିଛନ୍ତି ହରିଷ। ସେ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ଗଳାରେ କର୍କଟ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ତାଙ୍କର ଏହି ବଡ଼ ରୋଗର ସାମ୍ନା କେଜିଏଫ୍-୨ ସୁଟିଂ ସମୟରେ ବି କରିଥିଲେ। ତାଙ୍କ ଗଳା ଫୁଲିଥିବା ବେଳେ ସେ ତାହାକୁ ଲୁଚାଇବା ପାଇଁ ଦାଢ଼ି ବଢ଼ାଇଥିବା କଥା କହିଛନ୍ତି।
ଜଣେ ୟୁଟ୍ୟୁବର୍ଙ୍କୁ ସାକ୍ଷାତ୍କାର ଦେଇ ହରିଷ ରାୟ ତାଙ୍କର ଏହି ରୋଗ ସଂପର୍କରେ କହିଛନ୍ତି। ସେ କହିଛନ୍ତି କି ‘କେବେ କେବେ ପରିସ୍ଥିତି ଆପଣଙ୍କ ଉପରେ ଦୟା କରେ ତ ପୁଣି କେତେବେଳେ ଆପଣଙ୍କଠାରୁ ଅନେକ କିଛି ଛଡ଼ାଇ ନିଏ। ଭାଗ୍ୟ କବଳରୁ ଆମେ କେବେ ନିଜକୁ ବଞ୍ଚାଇ ପାରିବା ନାହିଁ। କେଜିଏଫ୍ରେ କାମ କରିବା ବେଳେ ମୋର ଦାଢ଼ି ରଖିବା ପଛରେ ଏକ କାରଣ ରହିଛି। ମୁଁ ମୋର ଗଳା କର୍କଟକୁ ଲୁଚେଇବା ପାଇଁ ଦାଢ଼ି ବଢ଼ାଇଥିଲି।’
ସେ ଆହୁରି ବି କହିଛନ୍ତି ଯେ ତାଙ୍କ ନିକଟରେ ଟଙ୍କା ନଥିବା କାରଣରୁ ସେ ସର୍ଜରୀକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେଇଥିଲେ। ସେ ଭାବିଥିଲେ ଫିଲ୍ମ ରିଲିଜ୍ ହେବା ପରେ ନିଜ ସର୍ଜରୀ କରିବେ। ମାତ୍ର ଏବେ ଫିଲ୍ମ ରିଜିଲ୍ ହେବା ପରେ ତାଙ୍କ କର୍କଟ ୪ର୍ଥ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏବେ ଅନେକ କିଛି ନିୟନ୍ତ୍ରଣ ବାହାରେ।