ମହାଭାରତର ବର୍ଣ୍ଣନା ଅନୁସାରେ, ଜମଦଗ୍ନି କୁମାର ପର୍ଶୁରାମ ଏକଦା ଏକ ମହାନ ଯଜ୍ଞ କରିଥିଲେ। ସେହି ଯଜ୍ଞରେ ସେ ଦେବରାଜ ଇନ୍ଦ୍ରଙ୍କୁ ତୃପ୍ତ କରିବା ସହିତ ଋତ୍ୱିକମାନଙ୍କୁ ଦକ୍ଷିଣା ସ୍ୱରୂପ ବିଶାଳ ଭୂଖଣ୍ଡ ଦାନ କରିଥିଲେ। ସେଥିରେ ସେ ମହାତ୍ମା କାଶ୍ୟପଙ୍କୁ ଏକ ସ୍ୱର୍ଣ୍ଣବେଦିକା ସମର୍ପଣ କରିଥିଲେ। ତାହାର ଲମ୍ବ ଓ ଓସାର ଥିଲା ୪୦ ହାତ ଏବଂ ଉଚ୍ଚତା ଥିଲା ଛତିଶ ହାତ। ମହର୍ଷି କାଶ୍ୟପଙ୍କ ଆଜ୍ଞା ଅନୁସାରେ, ବ୍ରାହ୍ମଣମାନେ ସେହି ସ୍ୱର୍ଣ୍ଣବେଦୀକୁ ଖଣ୍ଡଖଣ୍ଡ କରି କାଟି ବାଣ୍ଟି ନେଇଥିଲେ। ସେହିଦିନଠାରୁ ସେହି ଅଞ୍ଚଳ ଖାଣ୍ଡବାୟନ ନାମରେ ପ୍ରସିଦ୍ଧ ହେଲା। ସମୟାନୁକ୍ରମେ ତାହା ଖାଣ୍ଡବପ୍ରସ୍ଥ ହୋଇ ମହାରାଜ ନହୁଷ, ଯଯାତି ଆଦିଙ୍କର ରାଜଧାନୀ ହୋଇଥିଲା। ପରବର୍ତ୍ତୀ କାଳରେ ଯେତେବେଳେ ହସ୍ତିନା ରାଜ୍ୟର ବିଭାଜନ ହେଲା, ପାଣ୍ଡବମାନଙ୍କ ଭାଗରେ ଖାଣ୍ଡବପ୍ରସ୍ଥ ପଡ଼ିଲା। ସେମାନେ ଏଠାକୁ ଆସି ଇନ୍ଦ୍ରପ୍ରସ୍ଥ ନିର୍ମାଣ କଲେ। କିନ୍ତୁ ଖାଣ୍ଡବ ବନର ଦୀର୍ଘ ଅଂଶ ସେହିପରି ରହିଗଲା।

Advertisment

ଏକଦା ଗ୍ରୀଷ୍ମକାଳରେ ଯମୁନାରେ ଜଳକ୍ରୀଡ଼ା କରିବାକୁ ଆସି କୃଷ୍ଣ ଓ ଅର୍ଜୁନ ଖାଣ୍ଡବ ବନରେ ପ୍ରବେଶ କଲେ। ସେହି ସମୟରେ କୃଷ୍ଣ ଓ ଅର୍ଜୁନଙ୍କୁ ଖାଣ୍ଡବ ବନ ଦହନ କରିବାପାଇଁ ଅଗ୍ନି ଅନୁରୋଧ କଲେ। ବନ ଦହନ କାଳରେ ଦୈତ୍ୟଶିଳ୍ପୀ ମୟ କୃଷ୍ଣାର୍ଜୁନଙ୍କ ଶରଣକୁ ଆସିଲେ। କୃତଜ୍ଞତାବଶତଃ ମୟଦାନବ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଏକ ଅପୂର୍ବ ସଭାଗୃହ ନିର୍ମାଣ କଲେ। ଏହାପରେ ନାରଦଙ୍କ ପ୍ରେରଣାରେ ମହାରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞର ଆୟୋଜନ କଲେ। ଅନେକ ରାଜାଙ୍କ ସହ କୌରବମାନେ ମଧ୍ୟ ସେହି ଯଜ୍ଞକୁ ଆସିଲେ। ଖାଣ୍ଡବ ବନ ଦହନ କାଳରେ ଅଗ୍ନିଙ୍କ ଦ୍ୱାରା ଅର୍ଜୁନଙ୍କୁ ପ୍ରଦତ୍ତ ଦିବ୍ୟ ରଥ, ଗାଣ୍ଡିବ ଧନୁ, ଅକ୍ଷୟତୂଣୀର, ଦେବଦତ୍ତ ଶଙ୍ଖ, ଭୀମଙ୍କୁ ମୟ ଦାନବ ଦ୍ୱାରା ପ୍ରଦତ୍ତ ବୃଷପର୍ବାଙ୍କ ଗଦା ଆଦି ସହିତ ମୟଦାନବ ଦ୍ୱାରା ନିର୍ମିତ ସଭାଗୃହ ଦେଖି କୌରବମାନଙ୍କ ମନରେ ଈର୍ଷା ଜାତ ହେଲା। ତାର ଶେଷ ପରିଣତି ହେଲା ମହାଭାରତ ଯୁଦ୍ଧ। ଅତଏବ, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ, ଯେ ଏହି ଖାଣ୍ଡବପ୍ରସ୍ଥ ହିଁ କୁରୁବଂଶ ବିନାଶର ପଟ୍ଟଭୂମି।

କେତେକ ଭୂତତ୍ତ୍ୱବିତ୍‌ଙ୍କ ମତରେ, ଯାହା ଏକଦା ଖାଣ୍ଡବପ୍ରସ୍ଥ ଭାବରେ ଚିହ୍ନିତ ଥିଲା, ସଂପ୍ରତି ତାହା ଭାରତର ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ଲୀରେ ଯେଉଁ ପୁରୁଣା କିଲ୍ଲା ରହିଛି, ସେଠାରେ ଥିଲା ଖାଣ୍ଡବପ୍ରସ୍ଥର ରାଜଧାନୀ ଇନ୍ଦ୍ରପ୍ରସ୍ଥ।

-ଡକ୍ଟର ତୁଳସୀ ଓଝା