ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ ଭୋଗ ବ୍ୟବସ୍ଥା ଅତ୍ୟନ୍ତ ଉପାଦେୟ। ଋତୁ ଅନୁରୂପେ ଶ୍ରୀମନ୍ଦିରରେ ଅନେକ ପ୍ରକାରର ଭୋଗର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ପହିଲି ଭୋଗ’। ଶ୍ରୀମନ୍ଦିରର ବ୍ୟବସ୍ଥା ଅନୁସାରେ, ଧନୁ ସ˚କ୍ରାନ୍ତିଠାରୁ ମକର ସ˚କ୍ରାନ୍ତି ପର୍ଯ୍ୟନ୍ତ ଏହି ଭୋଗ ହୋଇଥାଏ।

Advertisment

ଶ୍ରୀମନ୍ଦିରରେ ସବୁଦିନ ସକାଳେ ହେଉଥିବା ପ୍ରଥମ ଭୋଗ ହେଉଛି ‘ଗୋପାଳ ବଲ୍ଲଭ’। ଏହା ପରର ପ୍ରଥମ ଅନ୍ନଭୋଗ ହେଉଛି, ‘ସକାଳ ଧୂପ’। କିନ୍ତୁ ଧନୁ ସ˚କ୍ରାନ୍ତିଠାରୁ ମକର ସ˚କ୍ରାନ୍ତି ପର୍ଯ୍ୟନ୍ତ ‘ଗୋପାଳବଲ୍ଲଭ’ ସହିତ ‘ପହିଲି ଭୋଗ’ ହୋଇଥାଏ।

ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଅନୁସାରେ, ଏହି ଏକମାସ ବ୍ୟାପୀ, ରାତି ଦୁଇଘଡ଼ି ଥାଇ ଶ୍ରୀମନ୍ଦିରର ଦ୍ୱାର ଫିଟେ ଏବ˚ ଆଳତି ଓ ଅବକାଶ ହୁଏ। ଏହି ମଙ୍ଗଳ ଆଳତି ପରେ, ରୋଷହୋମ କରାଯାଇ ପ୍ରାୟ ୨୭ ପ୍ରକାରର ପିଠା ପ୍ରସ୍ତୁତ ହୋଇ ଗୋପାଳବଲ୍ଲଭ ସହିତ ଭୋଗ ହୁଏ। ଏହା ‘ପହିଲି ଭୋଗ’।

publive-image

ଏହା ପରର ଅନ୍ନଭୋଗ ସହଳ ପ୍ରସ୍ତୁତ ହୋଇଥାଏ। ଏଥିରେ ସାଦା ଅନ୍ନ ସହିତ ଖେଚୁଡ଼ି, ଶାଗ ଓ ଭଜା ଇତ୍ୟାଦି ପ୍ରସ୍ତୁତ ହୋଇ ଭୋଗ ହୁଏ। ଏହା ସକାଳ ଧୂପ। ତତ୍ପରେ ବିକ୍ରୟ ପାଇଁ ଓ ବରାଦ ଅନୁସାରେ ଖେଚୁଡ଼ି, ରାଇତା, ଡାଲମା, ଶାଗ, ବେସର ଇତ୍ୟାଦି ପ୍ରସ୍ତୁତ ହୋଇ ଭୋଗମଣ୍ତପରେ ଭୋଗ ହୁଏ। ଏହା ସର୍ବସାଧାରଣରେ ‘ପହିଲିଭୋଗ’ ଭାବରେ ପରିଚିତ। ଏହି ଭୋଗରେ ‘ଏକବର୍ଣ୍ଣି ଖେଚୁଡ଼ି’ ନୈବେଦ୍ୟ ହୋଇଥାଏ। ଅରୁଆ ଚାଉଳ, ଜାଇ ମୁଗ, ଫାଳ ସୋଲା, ଦେଶୀ ଆଳୁ, କଷି ମୂଳା, କୋଶଳା ଶାଗ ଓ ପଟା ଶିମ୍ବ ଆଦି ପଡ଼ି ଏହି ‘ଏକବର୍ଣ୍ଣି’ ଖେଚୁଡ଼ି ପ୍ରସ୍ତୁତ ହୋଇଥାଏ। ଏଥିରେ ନଡ଼ିଆ, ଧନିଆପତ୍ର, ଅଦା, ହେଙ୍ଗୁ ଓ ଗୁଆଘିଅ ମଧ୍ୟ ପଡେ଼। ତାହା ସାଙ୍ଗକୁ ମୂଳା ରାଇତା ମଧ୍ୟ ପ୍ରସ୍ତୁତ କରାଯାଏ। ମୂଳାକୁ କୋରି ଓ ସିଝାଇ, ସେଥିରେ ସଜ ଦହି ମିଶାଇ ଏହି ରାଇତା ପ୍ରସ୍ତୁତ କରାଯାଏ। ଖୁଆ, ଖଣ୍ତ ଓ ଧନିଆପତ୍ର ସହିତ ଅଦା ଓ ଗୋଲମରିଚ ଛେଚା ମଧ୍ୟ

ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାରେ ଶୃଙ୍ଗାର, ବୀର ଓ ବାତ୍ସଲ୍ୟ ଆଦି ବିଭିନ୍ନ ରସର ସେବା ରହିଛି। ସେହି ବିବେଚନାରେ ଏହା ବାତ୍ସଲ୍ୟରସର ସେବା। କାରଣ, ଲୋକବିଶ୍ବାସ ଅନୁସାରେ ଏହି ସମୟରେ, ଅର୍ଥାତ୍‌ ଧନୁ ସ˚କ୍ରାନ୍ତିଠାରୁ ମକର ସ˚କ୍ରାନ୍ତି ପର୍ଯ୍ୟନ୍ତ ମା’ ଲକ୍ଷ୍ମୀ ତାଙ୍କର ବାପଘର, ବରୁଣ ଦେବତାଙ୍କ ଆଳୟକୁ ଯାଇଥାଆନ୍ତି। ତେଣୁ ସ୍ତ୍ରୀର ଅନୁପସ୍ଥିତିରେ ମାଆ ନିଜ ପୁଅକୁ ଶୀତୁଆ ସକାଳରେ ଏହି ଗରମ ଖେଚୁଡ଼ି, ଡାଲମା ଓ ରାଇତା ସହଳ ସହଳ ରାନ୍ଧି ଖୁଆଇଥାଆନ୍ତି।

ତେବେ ପ୍ରସ୍ତୁତି ବିଧିରୁ ସ୍ପଷ୍ଟ ଯେ ‘ପହିଲି ଭୋଗ’ ସମୟର ଏହି ଖେଚୁଡ଼ି ଓ ରାଇତା ଆମ ପାଇଁ ଶୀତ ଦିନର ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ।

-ବିଶ୍ବନାଥ ସାମନ୍ତରାୟ