ଖୁଣର ଗୁଣ

ଜଣେ ମହିଳା ପ୍ରତି ଦିନ ଦୁଇଟି ପାତ୍ରରେ, ନଦୀରୁ ପାଣି ଆଣନ୍ତି। ଗୋଟିଏ ପାତ୍ର ଭଲ ଏବ˚ ଆରଟି ଫୁଟା। ପ୍ରତି ଦିନ ଗୋଟିଏ ରାସ୍ତାରେ ହିଁ ସେ ଫେରନ୍ତି। ଘରେ ପହଞ୍ଚିଲା ବେଳକୁ ଭଲ ପାତ୍ରରେ ପାଣି ଥାଏ। ଆରଟିରୁ ପାଣି ବୋହିବୋହି ସରିଯାଇଥାଏ। ସବୁ ବେଳେ ପାଣି ପୂରିରହୁଥିବାରୁ ଭଲ ପାତ୍ରର ଭାରି ଗର୍ବ। ସେ ଫୁଟା ପାତ୍ରକୁ ଦେଖି ହସେ, ଥଟ୍ଟା କରେ। ଫୁଟା ପାତ୍ର ଲାଜରେ, କିଛି କହିପାରେନାହିଁ। ନିଜ ଦୁର୍ଭାଗ୍ୟକୁ ନିନ୍ଦି ଦୁଃଖିତ ହୁଏ।

ଦିନେ ଆଉ ସହି ନ ପାରି ମହିଳାଙ୍କୁ କହିଲା- ମାଆ, ଏ ଦୟନୀୟ ଜୀବନକୁ ନେଇ ମୋତେ ଅତି ଖରାପ ଲାଗୁଛି। ଦୟାକରି, ମତେ ସଜାଡ଼ନ୍ତୁ, ନ ହେଲେ ଫିଙ୍ଗିଦିଅନ୍ତୁ। ମୁଁ ଆପଣଙ୍କର କୌଣସି କାମରେ ଆସୁନାହିଁ। ମହିଳା କହିଲେ- ଆରେ ଫୁଟା ପାତ୍ର, ମନ ଦୁଃଖ କରନା। ମୁଁ ପ୍ରତି ଦିନ ତତେ ବାମ କାନ୍ଧରେ ଝୁଲାଇ ଘରକୁ ଫେରେ। କେବେ ବାମ କଡ଼ର ରାସ୍ତାକୁ ଦେଖିଛୁ? ବାମ କଡ଼ର ରାସ୍ତା ଘାସ ଓ ଫୁଲ ପରିପୂର୍ଣ୍ଣ। ଡାହାଣ ପଟ ରାସ୍ତାରେ କିଛି ନାହିଁ। ତୁ ଫୁଟା ବୋଲି ମୁଁ ଭଲ ଭାବେ ଜାଣିଛି। ତୋ ଯୋଗୁଁ ରାସ୍ତା କଡ଼ ଘାସ ଓ ଫୁଲରେ ଭରା। ତୋ ବିନା ସେଗୁଡ଼ିକ ନ ଥାଆନ୍ତେ! ତୋ’ଠାରୁ ପାଣି ପାଇ ବଢ଼ିଥିବା ଗଛର ଫୁଲରେ ମୁଁ ପୂଜା କରେ। ତୁ ନ ଥିଲେ, ମୋ ଘର ଏତେ ସୁନ୍ଦର ଦିଶୁ ନ ଥାଆନ୍ତା! ଅର୍ଥାତ୍‌, ଖୁଣ ସବୁ ବେଳେ ମୂଲ୍ୟହୀନ ହୋଇ ନ ପାରେ। ଖୁଣର ବି ଗୁଣ ସମ୍ଭବ।

ସମ୍ବନ୍ଧିତ ଖବର