୧୦ ବର୍ଷର ପୁଅ ସ୍ୱର୍ଗବାସୀ ପିତାଙ୍କୁ ଚିଠି ଲେଖିଲା; ‘ବାପା ରାତିରେ ମା’ ଓ ମୋତେ ବହୁତ ଭୟ ଲାଗୁଛି ତୁମେ ଶୀଘ୍ର ଘରକୁ ଫେରି ଆସ’

ମୁମ୍ବାଇ: ମହାରାଷ୍ଟ୍ରର ବିଡରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଏକ ନୀରିହ ବାଳକ ନିଜର ସ୍ୱର୍ଗବାସୀ ବାପାଙ୍କ ପାଇଁ ଏକ ଚିଠି ଲେଖିଛି। ଏହି ଚିଠିକୁ ଯିଏ ପଢ଼ୁଛି ସିଏ ଭାବୁକ ହୋଇଯାଉଛି। ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବାର ଦୁଃଖ କ’ଣ ତାହା ଏହି ନୀରିହ ପିଲାଟିର ଚିଠିରେ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

zeenews

ମହାରାଷ୍ଟ୍ରର ବିଡ ଜିଲ୍ଲାରେ ବାଲକେଓ୍ଵାଡ଼ି ଗ୍ରାମରେ ବସବାସ କରୁଥିବା ମଙ୍ଗେଶଙ୍କ ପିତାଙ୍କ କିଛିଦିନ ପୂର୍ବରୁ ନିଧନ ହୋଇଯାଇଛି । ତାଙ୍କ ପିତା ଯକ୍ଷ୍ମା ରୋଗରେ ପୀତିତ ହୋଇ ପ୍ରାଣତ୍ୟାଗ କରିବା ପରେ ଏବେ ମଙ୍ଗେଶ ତାଙ୍କ ଦିବ୍ୟାଙ୍ଗ ମା’ଙ୍କ ସହିତ ରହୁଛନ୍ତି।

ବାଲକେଓ୍ଵାଡିରେ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁ ଥିବା ମଙ୍ଗେଶଙ୍କୁ ତାଙ୍କ ସ୍କୁଲର ଶିକ୍ଷକ ପିତାଙ୍କ ବିଷୟରେ ଏକ ଚିଠି ଲେଖିବାକୁ କହିଥିଲେ। ଏହି ଚିଠିରେ ମଙ୍ଗେଶ ତାଙ୍କ ସ୍ୱର୍ଗବାସୀ ପିତାଙ୍କ ପାଇଁ ଯାହା ଲେଖିଥିଲେ ତାହାକୁ ଶିକ୍ଷକ ନଜମା ପଢ଼ିବା ପରେ ତାଙ୍କ ଆଖିରେ ଲୁହ ଭରି ଯାଇଥିଲା।

ଏହି ଚିଠିରେ ମେଙ୍ଗଶ ଲେଖିଥିଲେ…. ‘ମୋର ନାମ ମଙ୍ଗେଶ ପରମେଶ୍ୱର। ମୋର ବାପାଙ୍କ ନାମ ପରମେଶ୍ୱର ବାଲେକେ। ମୋର ବାପା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବାରୁ ମୋର ମା’ ମୋତେ ମାମୁ ଘରକୁ ପଠାଇ ଦେଇଥିଲେ। ମୋର ବାପା ଦିନମଜୁରିଆ ଭାବେ କାମ କରୁଥିଲେ। କାମ ସରିବା ପରେ ମୁଁ ଭଲ ପାଉଥିବା ଖାଦ୍ୟକୁ ବାପା ସବୁବେଳେ ଘରକୁ ନେଇ ଆସୁଥିଲେ। ଏଥିସହିତ ପାଠପଢ଼ିବା ପାଇଁ ଖାତା ଓ ବହି ବି ଯୋଗାଇ ଦେଉଥିଲେ। ସବୁବେଳେ ବାପା ମୋତେ ପାଠପଢ଼ି ଭଲ ମଣିଷଟେ ହେବାକୁ କହୁଥିଲେ।

ସେ ମୋତେ ବହୁତ ଭଲ ପାଉଥିଲେ। ମୁଁ ବି ବାପାଙ୍କୁ ବହୁତ ଭଲ ପାଉଥିଲି। କିନ୍ତୁ ଡିସେମ୍ବର ୧୮ ତାରିଖରେ ମୋର ବାପାଙ୍କ ନିଧନ ହୋଇଯାଇଥିଲା। ମା’ ବି ବାପାଙ୍କ ମୃତ୍ୟୁ ପରେ ବହୁତ ଭାଙ୍ଗି ପଡ଼ିଛନ୍ତି। ମୋର ବାପା ବହୁତ ଦୟାଳୁ ମଣିଷ ଥିଲେ। ପ୍ରତ୍ୟେକ ଲୋକଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରୁଥିଲେ। କିନ୍ତୁ ବାପା ଗଲାପରେ କେହି ବି କୌଣସି ପ୍ରକାର ସାହାଯ୍ୟ କରୁ ନାହାନ୍ତି। ଏଭଳି ଅବସ୍ଥାରେ ବାପା ଆମକୁ ପର କରି ଚାଲିଗଲେ। ବାପାଙ୍କ କଥା ମୋର ବହୁତ ମନେ ପଡ଼ୁଛି। ମୋତେ ଓ ମୋର ମା’ଙ୍କୁ ରାତିରେ ଘରେ ଶୋଇଲା ବେଳେ ଚୋର ଆସିବାର ବହୁତ ଭୟ ଲାଗୁଛି। ବାପା ତୁମେ ଶୀଘ୍ର ଘରକୁ ଫେରି ଆସ।’

ଏହି ଚିଠି ପଢ଼ି ମଙ୍ଗେଶଙ୍କ ଶିକ୍ଷକ ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ରେ ଏହାକୁ ସେୟାର କରି ଉକ୍ତ ବାଳକଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର