ସାରା ବିଶ୍ବରେ ମାର୍ଚ୍ଚ ମାସକୁ କିଡ୍ନି ମାସ କୁହାଯାଏ। କିନ୍ତୁ ମାର୍ଚ୍ଚ ମାସ ଦ୍ବିତୀୟ ଗୁରୁବାରଟିକୁ ବିଶ୍ବ କିଡ୍ନି ଦିବସ ଭାବରେ ସାରା ବିଶ୍ବରେ ପାଳନ କରାଯାଏ। ବିଶ୍ବ କିଡ୍ନି ଦିବସ ବା ମାସ ପାଳନର ମୂଳ ଲକ୍ଷ୍ୟ ହେଉଛି କିଡ୍ନି (ବୃକ୍କ) ରୋଗ, ତା’ର କାରଣ ଓ ନିରାକରଣ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା।
ଆମେ ସମସ୍ତେ ଜାଣିଛୁ କିଡ୍ନି ରୋଗ ହେଉଛି ଏକ ଅସଂକ୍ରାମକ ରୋଗ, ସେଥିପାଇଁ ଏହା ଧ୍ୟାନକୁ ଆସି ନ ଥାଏ। କିନ୍ତୁ ବର୍ତ୍ତମାନ ବିଶ୍ବର ଯାହା ପରିସ୍ଥିତି ଏହାକୁ ଧୀରେ ଧୀରେ ପରୋକ୍ଷରେ ସଂକ୍ରାମକ ରୋଗ ରୂପେ ବିବେଚନା କରାଯାଉଛି।
ଆମ ପରିପାର୍ଶ୍ବରେ ବା ବିଶ୍ବରେ ଯେଉଁ ସବୁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ତା’ର ପ୍ରଭାବ ଆମର ସ୍ବାସ୍ଥ୍ୟ ଓ ଜୀବନ ଶୈଳୀ ଉପରେ ପଡ଼ୁଛି। ମହାମାରୀ କୋଭିଡ୍ରେ ସାରା ବିଶ୍ବ ପ୍ରଭାବିତ ହୋଇଛି। ଏହି ସମୟରେ ଆମର ସୀମିତ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଆମେ ଅନ୍ୟ ରୋଗ ପ୍ରତି ସଠିକ୍ ଧ୍ୟାନ ଦେଇପାରି ନାହୁଁ। ସେହିପରି ଯୁଦ୍ଧ, ବନ୍ୟା ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମ୍ଭେମାନେ ଏହି ଅସଂକ୍ରମଣ ରୋଗର ପ୍ରଗତିକୁ ଅଟକାଇବାରେ ବିଫଳ ହୋଇଥାଉ।
ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ଯେବେ ହୁଏ ରୋଗୀମାନଙ୍କର ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଥାଏ। ତେଣୁ ଆମେ ପ୍ରଥମେ ଏହାଦ୍ବାରା ପ୍ରଭାବିତ ଲୋକମାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ଚେଷ୍ଟା କରିଥାଉ। ଏହା ଫଳରେ ଆମେ ଆମ ଦୃଷ୍ଟି ଅଗୋଚରରେ ଅନ୍ୟ ରୋଗଗୁଡ଼ିକୁ ବୃଦ୍ଧି କରିଥାଉ। ଏହାର ପ୍ରତିକାର ପାଇଁ ନୀତି ନିର୍ଣ୍ଣୟକାରୀମାନେ ଏକୀକୃତ ସ୍ବାସ୍ଥ୍ୟ ରଣକୌଶଳ ଅବଲମ୍ବନ କରିବା ଆବଶ୍ୟକ, ଯାହା କିଡ୍ନି ରୋଗ ସମେତ ଏନ୍ସିଡିଗୁଡ଼ିକର ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ପରିଚାଳନାକୁ ପ୍ରାଧାନ୍ୟ ଦେଇଥାଏ। ଜରୁରିକାଳୀନ ସମୟରେ କ୍ରନିକ୍ ରୋଗୀଙ୍କ ଯତ୍ନ ନେବା ପାଇଁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ସମାନ ଓ ଉପଯୁକ୍ତ ସୁବିଧା ପ୍ରଦାନ କରାଯିବା ଉଚିତ। ଏନ୍ସିଡିଗୁଡ଼ିକର ପରିଚାଳନା ଓ ଚିହ୍ନଟରେ ସରକାର ଜରୁରିକାଳୀନ ପ୍ରସ୍ତୁତି ଯୋଜନା ଅନ୍ତର୍ଭୁକ୍ତ କରିବା ଉଚିତ ଏବଂ ଏହି ସର୍ତ୍ତଗୁଡ଼ିକର ପ୍ରତିରୋଧକୁ ସମର୍ଥନ କରିବା ଆବଶ୍ୟକ। ରୋଗୀମାନେ ମଧ୍ୟ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ଖାଦ୍ୟ, ଜଳ, ଚିକିତ୍ସା ସାମଗ୍ରୀ ଏବଂ ଚିକିତ୍ସା ରେକର୍ଡ ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/World-Kidney-day-anim.jpg)