ପୁରୀ: ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ‘‘କୀଳା’’ ବି ଦେବତା। ମୃଣ୍ମୟ ମୂର୍ତ୍ତିର ମେରୁ ହାଡ଼ ସ୍ବରୂପ ଯୋଖା ଯାଉଥିବା ‘କୀଳା’କୁ ନିତ୍ୟ ପୂଜା କରାଯିବାର ବିଧି ଶ୍ରୀକ୍ଷେତ୍ର ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ। ଅଗ୍ରପୂଜ୍ୟ ଗଣେଶ ହୁଅନ୍ତୁ ଅବା ଅଶିଣରେ ଧରାବତରଣ କରୁଥିବା ଦେବୀ ମୂର୍ତ୍ତି। ମୂର୍ତ୍ତିକାରମାନେ ‘କୀଳା’ ପୂଜା କରି ସେଇଥିରେ ଦେବଦେବୀଙ୍କୁ ଆବାହନ କରନ୍ତି। ଏହି କ୍ରମରେ ଚିତାଲାଗି ଅମାବାସ୍ୟାରେ ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ‘କୀଳା’ ପୂଜନ କରାଯାଇ କାମ ଆଗେଇ ଚାଲିଛି। ବିଭିନ୍ନ କ୍ଲବ, ଅନୁଷ୍ଠାନ ପକ୍ଷରୁ ବର୍ଷବର୍ଷ ଧରି ପୂଜା ପାଉଥିବା ‘କୀଳା’କୁ ବୈଦିକ ବିଧି ବିଧାନ ଅନୁଯାୟୀ ପୂଜା କରାଯାଇଥିଲା। ମହାରଣା ଓ ମୂର୍ତ୍ତି କାରିଗରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି, ଅଗ୍ରପୂଜ୍ୟଙ୍କୁ ବିରାଜମାନ କରିବାକୁ ଆବାହନ କରାଯାଇଥିଲା। କିଛି ପୂଜାନୁଷ୍ଠାନ ପ୍ରତିବର୍ଷ ନୂଆ ‘କୀଳା’ କିଣି ପୂଜା କରୁଥିବା ବେଳେ ଆଉ କିଛି ଅନୁଷ୍ଠାନ ‘କୀଳା’କୁ ସାଇତି ରଖି ସେଇଥିରେ ପ୍ରଭୁଙ୍କୁ ଆବାହନ କରନ୍ତି।
ଗଣେଶ ପୂଜା ପରିପ୍ରେକ୍ଷୀରେ ମୋତିଚାନ୍ଦ ବଜାରରେ ମଧ୍ୟ ରହିଛି ‘କୀଳା’ ପୂଜନର ବିଧି। ମୂର୍ତ୍ତିକାରମାନେ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରି ଆଜ୍ଞା ଆଣି ପୂଜା କରନ୍ତି। ମହାପ୍ରଭୁ ହିଁ ତାଙ୍କ ହାତ ଧରି ମୂର୍ତ୍ତି ଗଢ଼ି ଦିଅନ୍ତି ବୋଲି ଏହି ବିଶ୍ବାସ ଏବେ ବି ବଳବତ୍ତର ରହିଛି। ସେଥିପାଇଁ ମୋତିଚାନ୍ଦ ବଜାରରେ ଗଣେଶ ପୂଜା ପୂର୍ବରୁ ମୂର୍ତ୍ତିକାର ଶ୍ରୀମନ୍ଦିରରେ ଥିବା ବିମଳାଙ୍କ ମନ୍ଦିରକୁ ଯାଇ ମା’ଙ୍କଠାରୁ ଆଜ୍ଞା ଆଣିବା ପରେ ସେଠାରେ ଅବସ୍ଥାନ କରିଥିବା ପ୍ରଭୁ ଗଣେଶଙ୍କୁ ଆରାଧନା କରନ୍ତି। ଗଣେଶଙ୍କ ନିକଟରେ ଥିବା ଫୁଲ ଅବା ପ୍ରସାଦ ଆଣି ‘କୀଳା’ ସହ ସଂଯୋଗ କରି ଛଣ ଲାଗି କରି ମାଟିର ପ୍ରଲେପ ଦେବା ଆରମ୍ଭ କରନ୍ତି। ଅଶୋକ ବଜାରରେ ମଧ୍ୟ ‘କୀଳା’ ପୂଜାନ ସହ ଶ୍ରୀମନ୍ଦିରରେ ଶ୍ରୀଗଣେଶଙ୍କୁ ପୂଜା କରି ଆଜ୍ଞାମାଳ ଆଣି ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରାଯାଇ ଆସୁଛି। ବାଲିସାହିସ୍ଥିତ ନୀଳମାଧବ ବିନାୟକ ସମିତିର ସଦସ୍ୟଙ୍କ କହିବା ଅନୁଯାୟୀ, ଚିତାଲାଗି ଅମାବାସ୍ୟାରେ ‘କୀଳା’ ପୂଜନ ସହ ଅଗ୍ରପୂଜ୍ୟଙ୍କୁ ଆବାହନ କରାଯାଇଛି। ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏଠାରେ ନୂଆ ‘କୀଳା’ ପୂଜା ହେବାର ବିଧି ପ୍ରଚଳିତ। ମୂର୍ତ୍ତି କାରିଗର ପ୍ରଥମେ ନଡ଼ା ବାନ୍ଧି କାମ ଆରମ୍ଭ କରିଛନ୍ତି। କ୍ରମାନ୍ବୟରେ ମାଟି ଲେସି ମୂର୍ତ୍ତି ନିର୍ମାଣ ଚାଲିବ।
ଏନେଇ ମୋତିଚାନ୍ଦ ବଜାରରେ ଗଣେଶଙ୍କ ମୂର୍ତ୍ତି ଗଢ଼ି ଆସୁଥିବା ମୂର୍ତ୍ତିକାର ତଥା ମହାପ୍ରଭୁଙ୍କ ଚିତ୍ରକର ସେବାୟତ ଚିତ୍ତରଂଜନ ମହାରଣା କହିଛନ୍ତି, ଶ୍ରୀକ୍ଷେତ୍ରରେ ଜଣେ ଚିତ୍ରକର ସେବକ କୂଳରେ ଜନ୍ମ ନେବାଠୁ ବଡ଼ ଭାଗ୍ୟ ଆଉ କିଛି ହୋଇ ନପାରେ। ସେଥିରେ ପୁଣି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଗଢ଼ିବାଠାରୁ କାକୁଡ଼ି ଖାଇ ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଗଢ଼ି ଆସୁଛି। ମାତ୍ର ମହାପ୍ରଭୁ ହିଁ ଏସବୁ କରାନ୍ତି। ଶ୍ରୀକ୍ଷେତ୍ରରେ ମୃଣ୍ମୟ ମୂର୍ତ୍ତି ପୂଜନରେ ‘କୀଳା’ ପୂଜା ବିଧି ସମ୍ପର୍କରେ ତାଙ୍କ ମତ ହେଲା, ମହାପ୍ରଭୁ ସ୍ବୟଂ ଦାରୁ ଦେବତା। ଦାରୁ ଭିତରେ ଥିବା ବ୍ରହ୍ମ କେହି ଦେଖିନାହାନ୍ତି କି ଜାଣନ୍ତି ନାହିଁ। କିନ୍ତୁ ଏହା ମହାପ୍ରଭୁଙ୍କ ମେରୁ ହାଡ଼ ସଦୃଶ। ତେଣୁ ଯେଉଁଠାରେ ସ୍ବୟଂ ମହାପ୍ରଭୁ ଦାରୁରେ ନିର୍ମିତ, ସେଠାରେ ମୃଣ୍ମୟ ମୂର୍ତ୍ତିରେ ବିନିଯୋଗ ହେଉଥିବା ‘କୀଳା’କୁ ବି ଦେବ ଦେବୀ ସଦୃଶ ପୂଜା କରାଯାଏ। ସେଥିପାଇଁ ପୂଜା କମିଟି ପକ୍ଷରୁ ବର୍ଷବର୍ଷ ଧରି ‘କୀଳା’ ପୂଜା ହୋଇ ଆସୁଛି। ଗଣେଶ ପୂଜାରେ ‘କୀଳା’ ପୂଜନ ବିଧି ସହ ଶାରଦୀୟ ଦୁର୍ଗା ପୂଜା ଅବସରରେ ପୂଜା ପାଉଥିବା ମୃଣ୍ମୟ ମୂର୍ତ୍ତିରେ ବ୍ୟବହୃତ ‘କୀଳା’ ଦେବୀଙ୍କ ସଦୃଶ ପୂଜା ପାଏ।
ବର୍ଷବର୍ଷ ଧରି ପୂଜାପାଏ ‘କୀଳା’…. ଅଗ୍ରପୂଜ୍ୟଙ୍କୁ ସ୍ବାଗତ ପାଇଁ ସଜବାଜ
ପୁରୀ: ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ‘‘କୀଳା’’ ବି ଦେବତା। ମୃଣ୍ମୟ ମୂର୍ତ୍ତିର ମେରୁ ହାଡ଼ ସ୍ବରୂପ ଯୋଖା ଯାଉଥିବା ‘କୀଳା’କୁ ନିତ୍ୟ ପୂଜା କରାଯିବାର ବିଧି ଶ୍ରୀକ୍ଷେତ୍ର ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ।
/sambad/media/media_files/2025/08/20/puri-2025-08-20-11-48-34.jpg)