ଯେପରି କିଛି ଲୋକ କୃପଣତା ପାଇଁ କୁଖ୍ୟାତ, ଠିକ୍ ସେହିପରି କିଛି ଲୋକ ଅନ୍ୟମାନଙ୍କ ପାଇଁ ଅଯଥା ଖର୍ଚ୍ଚ କରି ଲୋକପ୍ରସିଦ୍ଧି ଅର୍ଜନ କରନ୍ତି। ସେଭଳି ଲୋକମାନଙ୍କ ମଧ୍ୟରେ ଏଥେନ୍ସ ନଗରୀର ରାଜା ତିମନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଉଦାର ବ୍ୟକ୍ତିତ୍ବମାନଙ୍କ ମଧ୍ୟରେ ସେ ପାଣି ପରି ଧନ ଖର୍ଚ୍ଚ କରୁଥିଲେ। ଯେଉଁଠାରେ ମହୁ, ସେଠାକୁ ମହୁମାଛି ଆସିବେ। ତିମନଙ୍କ କ୍ଷେତ୍ରରେ ମଧ୍ୟ ଏମିତି କିଛି ଘଟିଥିଲା। ତାଙ୍କର ଉଦାରତା ଦେଖି ଲୋକେ ତାଙ୍କୁ ‌େଖାସାମତ କରି କାର୍ଯ୍ୟ ହାସଲ କରୁଥିଲେ। ରାଜ୍ୟରେ ଏମିତି ଲୋକ ଥିଲେ ଯେଉଁମାନେ ପିଢ଼ି ପିଢ଼ି ଧରି ଦାରିଦ୍ର୍ୟରେ ଜୀବନ ବିତାଉଥିଲେ, କିନ୍ତୁ ତିମନଙ୍କୁ ଚାଟୁ କରି କିଛିଦିନ ମଧ୍ୟରେ ଧନୀ ହୋଇଗଲେ।

Advertisment

ଦିନକର କଥା। ତିମନ ଦରବାରରେ ବସିଥିବା ବେଳେ ଜଣେ ଯୁବକ ଆସି କହିଲା, ‘ମହାରାଜାଙ୍କର ଜୟହେଉ! ମହାରାଜ! ମୁଁ ଜଣେ ସେଠ୍‌ଙ୍କ ଝିଅକୁ ଭଲପାଉଛି। ତାକୁ ବିବାହ କରିବାକୁ ମୋର ଇଚ୍ଛା। କିନ୍ତୁ, ତା’ ବାପାଙ୍କ ସର୍ତ୍ତ, ଯିଏ ତାଙ୍କଠାରୁ ଅଧିକ ଧନୀ ତା’ ସହିତ ଝିଅର ବିବାହ କରାଇବେ। ମହାରାଜ! ମୋର ଆର୍ଥିକ ଅବସ୍ଥା ଏତେ ଖରାପ ଯେ, ନିଜର ଭରଣପୋଷଣ ଠିକ୍‌ ଭାବରେ କରିପାରୁ ନାହିଁ। ଏଣୁ ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ। ମୁଁ ମୋର ଆଶାଆକାଂକ୍ଷା ପୂରଣ କରିବି। ବଡ଼ ଆଶା ନେଇ ମୁଁ ଆପଣଙ୍କ ପାଖକୁ ଆସିଛି। ରାଜା ତିମନ ଖୁସି ହୋଇ କହିଲେ, ବାଃ.. ଯୁବକ! ତୁମର ଏଭଳି ସାହସକୁ ମୁଁ ଆନ୍ତରିକ ପ୍ରଶଂସା କରୁଛି। ତୁମକୁ ଭଣ୍ଡାରର ସବୁ ଧନସମ୍ପତ୍ତି ଏବଂ ରାଜ୍ୟ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛି। ଯାଅ! ଯେତେ ଧନ ଚାହୁଛ ଭଣ୍ଡାରରୁ ନେଇ ଧୁମ୍‌ଧାମ୍‌ରେ ବିବାହ କର। ବିବାହ ପରେ ଅବଶ୍ୟ ନିଶ୍ଚୟ ମୋ ପାଖକୁ ଆସିବ। ତୁମ ଭଳି ସାହସୀ ଏବଂ ଉଦାର ବ୍ୟକ୍ତିତ୍ବସମ୍ପନ୍ନ ଲୋକଙ୍କର ଆବଶ୍ୟକତା ଅଛି। ଆଦେଶ ମିଳିବା ମାତ୍ରେ ଯୁବକ କୋଷାଧ୍ୟକ୍ଷଙ୍କ ପାଖକୁ ଯାଇ ଅର୍ଥ ନେଇ ଚାଲିଗଲା। ଏଭଳି ଘଟଣା ଗୋଟିଏ କି, ଦୁଇଟି ନୁହେଁ। ଏମିତିକା କୌଶଳ ଅବଲମ୍ବନ କରି କେତେ ଗରିବ ମାଲାମାଲ୍ ହୋଇ ସାରିଥିଲେ। ଅବସ୍ଥା ଏପରି ହେଲା ଯେ, ଦିନକୁ ଦିନ ରାଜକୋଷ ଖାଲି ହୋଇ ଚାଲିଲା। ଦିନେ ଜଣେ ବିଦେଶୀ ବ୍ୟବସାୟୀ ଦରବାରକୁ ଆସି ରାଜାଙ୍କୁ ଗୋଟାଏ ଘୋଡ଼ା ଉପହାର ଦେଲା। ଉପହାର ପ୍ରତିବଦଳରେ ପଚାଶ ହଜାର ଟଙ୍କା ଆଣି ତାଙ୍କୁ ଦେବାକୁ ରାଜା ତିମନ ଆଦେଶ ଦେଲେ। କୋଷାଧ୍ୟକ୍ଷ ହାତ ଯୋଡ଼ି କହିଲେ, ‘‘ମହାରାଜ! ଲଗାତାର ଦାନ ଯୋଗୁଁ ରାଜକୋଷ ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ପଚାଶ ହଜାର ତ ଦୂରର କଥା ଟଙ୍କାଟିଏ ବି ନାହିଁ। ବର୍ତ୍ତମାନ ଆଉ ପର୍ଯ୍ୟାପ୍ତ ପରିମାଣର ସମ୍ପତ୍ତି ମଧ୍ୟ ନାହିଁ, ଯାହାକୁ ବିକ୍ରିକରି ବ୍ୟବସାୟୀଙ୍କୁ ପଚାଶ ହଜାର ଟଙ୍କା ଦିଆଯାଇ ପାରିବ।’’

ଏଭଳି ଘଟଣା ଗୋଟିଏ କି,
ଦୁଇଟି ନୁହେଁ। ଏମିତିକା କୌଶଳ ଅବଲମ୍ବନ କରି କେତେ ଗରିବ
ମାଲାମାଲ୍ ହୋଇ ସାରିଥିଲେ। ଅବସ୍ଥା ଏପରି ହେଲା ଯେ, ଦିନକୁ ଦିନ ରାଜକୋଷ ଖାଲି ହୋଇ ଚାଲିଲା।

‘‘କ’ଣ କହୁଛ? ରାଜକୋଷ ଖାଲି ହେଲା କେମିତି? ଆମେ ବ୍ୟବସାୟୀଙ୍କୁ ଦେବା କ’ଣ?’’ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ତିମନ। ବଡ଼ ଧର୍ମସଙ୍କଟରେ ପଡ଼ିଲେ ତିମନ। ବହୁତ ଚିନ୍ତା କରିବା ପରେ କୋଷାଧ୍ୟକ୍ଷଙ୍କୁ କହିଲେ- ‘‘ଯାଅ.. ନଗରୀର ଧନୀବ୍ୟକ୍ତିଙ୍କଠାରୁ ପଚାଶ ହଜାର ଟଙ୍କା ଧାର ଆଣି ତାହାକୁ ବ୍ୟବସାୟୀଙ୍କୁ ଉପହାର ଦେଇଦିଅ।’’ କୋଷାଧ୍ୟକ୍ଷ ସହରର ସବୁଠାରୁ ଧନୀବ୍ୟକ୍ତିଙ୍କ ପାଖକୁ ଗଲେ। ତାଙ୍କ ନାଁ ଲୁସିୟସ୍। କୋଷାଧ୍ୟକ୍ଷ ତାଙ୍କୁ ପୂରା ଘଟଣାଟି ଜଣାଇ ଋଣ ମାଗିଲେ। ଲୁସିୟସ୍ କୁଟିଳ ହସ ହସି କହିଲେ, ‘‘ମୋର ବଡ଼ ସୌଭାଗ୍ୟ, ମହାରାଜା ମୋତେ ଏହି ତୁଚ୍ଛ ସେବା ପାଇଁ ସ୍ମରଣ କଲେ। ରାଜାଙ୍କ କାମ କରିବା ପାଇଁ ମୁଁ ଖୁବ୍‌ ଖୁସି, କିନ୍ତୁ ଆପଣଙ୍କ ଆସିବା ଟିକେ ବିଳମ୍ବ ହୋଇଗଲା। ଅଳ୍ପ ସମୟ ହେବ ବ୍ୟବସାୟ ପାଇଁ ଜଣେ ବେପାରୀଙ୍କୁ ସବୁ ଟଙ୍କା ଦେଇଦେଲି। ଏବେ ମୋ ପାଖରେ ଆଉ ଟଙ୍କା ନାହିଁ। ରାଜାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ। ମୋ ପାଖକୁ ଅର୍ଥ ଆସିବାକ୍ଷଣି ମୁଁ ରାଜାଙ୍କ ସେବାରେ ଉପସ୍ଥିତ ହେବି। ଏକଥା ଆପଣ ରାଜାଙ୍କୁ ଜଣାଇ ଦେବେ।’’ କୋଷାଧ୍ୟକ୍ଷ ଅନ୍ୟ ସେଠମାନଙ୍କ ପାଖକୁ ଗଲେ। ଋଣ କଥା ଶୁଣିବାମାତ୍ରେ ସେମାନେ ସାପ ଗାତ ଭିତରକୁ ପଶିଗଲା ପରି, ଘର ଭିତରକୁ ପଶିଗଲେ। କୋଷାଧ୍ୟକ୍ଷ ନଗରୀର ସବୁ ଧନୀବ୍ୟକ୍ତିଙ୍କ ପାଖକୁ ଗଲେ ଋଣ ପାଇଁ, କିନ୍ତୁ ଦେଖିଲେ ଯେଉଁମାନେ କାଲିପର୍ଯ୍ୟନ୍ତ ରାଜା ତିମନଙ୍କୁ ‘‘ଆଜ୍ଞା, ଆଜ୍ଞା’’ କହୁଥିଲେ, ସେମାନେ ଆଜି ଧରାକୁ ଶରା ମଣୁଛନ୍ତି।

ଶେଷରେ ‌କ୍ଳାନ୍ତ ହୋଇ କୋଷାଧ୍ୟକ୍ଷ ଦରବାରକୁ ଫେରିଲେ। ତିମନ ପଚାରିଲେ, ‘‘ମୋର କେହି ପ୍ରିୟଜନ ତୁମକୁ ଅର୍ଥ ଦେଲେ?’’
କୋଷାଧ୍ୟକ୍ଷ ଅତି ଶାନ୍ତକ୍ଳାନ୍ତ ସ୍ୱରରେ କହିଲେ, ‘‘ମହାରାଜ! ସାପ ସବୁ କେବଳ ଦଂଶନ କରନ୍ତି। ସେମାନଙ୍କଠାରୁ ବନ୍ଧୁତା, ଉଦାରତା ଆଶା କରିବା ମୂର୍ଖତା। ମୁଁ ନଗରୀର ପ୍ରତ୍ୟେକ ଧନୀବ୍ୟକ୍ତିଙ୍କ ଦ୍ୱାର ଠକ୍ ଠକ୍ କଲି, କିନ୍ତୁ କେହି ସାହାଯ୍ୟ କଲେନାହିଁ। ଋଣ କଥା ଶୁଣୁ ଶୁଣୁ ମୁହଁ ଫେରାଇ ନେଲେ।’’
ରାଜା ତିମନ ଆଶ୍ଚର୍ଯ୍ୟ ହୋଇଗଲେ। ମନେ ହେଉଥିଲା ସେ ପ୍ରଭାବଶୂନ୍ୟ ହୋଇଯାଇଛନ୍ତି। ଭୀଷଣ କ୍ରୋଧରେ ତାଙ୍କ ଆଖି ଲାଲ୍‌ ପଡ଼ିଯାଇଥିଲା।
ହାତରେ ଖଣ୍ଡା ଧରି ସେ ସମସ୍ତଙ୍କ ମୁଣ୍ଡ କାଟି ଦେବାକୁ ଚାହୁଥିଲେ। ଭାବୁଥିଲେ, ସମସ୍ତଙ୍କୁ ଦଣ୍ଡ ଦେବେ। କିନ୍ତୁ, ସେ ସିଂହାସନରୁ ଉଠି ତାଙ୍କ କୋଠରିକୁ ଚାଲିଗଲେ। ଦୁଇ ଦିନ ପରେ ନଗରୀରେ ଗୋଟାଏ ଉତ୍ସବ ଆୟୋଜନ ହେଲା। ସେହି ଉତ୍ସବକୁ ନିମନ୍ତ୍ରିତ ହୋଇଥିବା ନଗରୀର ସମସ୍ତ ଧନୀଲୋକ ବେଶ୍‌ ଉତ୍ସାହିତ ଦିଶୁଥିଲେ। ଚାଟୁକାର ଧନିକମାନେ ରାଜାଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ବେଳେ, ସେ ଉତ୍ସବସ୍ଥଳୀକୁ ପ୍ରବେଶ କରି ଆସନରେ ବସିପଡ଼ିଲେ। ତାଙ୍କ ନିର୍ଦ୍ଦେଶରେ ସେବକମାନେ ବିଶାଳ ହାତୀଦାନ୍ତ ଟେବୁଲ୍‌ ଉପରେ ପ୍ରୀତିଭୋଜନ ପରିବେଷଣ କଲେ। ସବୁ ବ୍ୟଞ୍ଜନ ଘୋଡ଼ା ଯାଇଥିଲା। ଘୋଡ଼ା ଯାଇଥିବା ପାତ୍ରଗୁଡ଼ିକରେ କି ପ୍ରକାର ସ୍ୱାଦିଷ୍ଠ ଖାଦ୍ୟ ଅଛି ବୋଲି ଉପସ୍ଥିତ ଅତିଥିମାନେ କଳ୍ପନା କରୁଥିଲେ। ସେମାନଙ୍କ ପାଟିରୁ ଲାଳ ଗଡ଼ି ଆସୁଥିଲା। କ୍ଷୁଧା ବି ବଢୁଥିଲା। ତିମନ ଭୋଜନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ। ଅତିଥିମାନେ ତରବର ହୋଇ ଘୋଡ଼ଣୀ ବାହାର କରି ନିଜ ଆଡ଼କୁ ଭୋଜନ ଟାଣି ନେଲେ। କିନ୍ତୁ, ଯାହା ଦେଖିଲେ ସେଥିରେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଗଲେ। ଦୁଇଟି ମାଟିପାତ୍ରରେ ଥିଲା ଖାଲି ହାଡ଼ ଆଉ ପାଣି। ରାଜା ତିମନ କହିଲେ, ‘‘ଆଉ ବିଳମ୍ବ କାହିଁକି! ଆଗରୁ ମୋ ପାଖରେ ଯାହା ଥିଲା ସେତେବେଳେ ତାହା ମୁଁ ଆପଣମାନଙ୍କୁ ଖାଇବାକୁ ଦେଉଥିଲି। ଏ‌େବ ମୋ ପାଖରେ ଏହା ବ୍ୟତୀତ ଆଉ କିଛି ନାହିଁ।’’ ଏକଥା ଶୁଣି ଅତିଥିମା‌ନେ ଧୀରେ ଧୀରେ ସେ ସ୍ଥାନ ଛାଡ଼ି ଚାଲିଗଲେ।

ଅରବିନ୍ଦ ନଗର, ନୟାଗଡ଼
ମୋ: ୯୪୩୭୯୮୫୮୬୬

ମୂଳ ଇଂରାଜୀ: ୱିଲିୟମ୍ ସେକ୍ସପିୟର୍‌
ଅନୁସୃଜନ: ଲଳିତ ମୋହନ ମିଶ୍ର