ମହର୍ଷି ସୁମେଧାଙ୍କ ଉପଦେଶ ପ୍ରାପ୍ତ କରି ରାଜା ସୁରଥ ଓ ସମାଧି ବୈଶ୍ୟ ଦୁହେଁ ପବିତ୍ର ନଦୀ କୂଳରେ ଏକ ନିର୍ଜନ ସ୍ଥାନରେ ମାତା ଭଗବତୀଙ୍କ ମନ୍ତ୍ରର ଜପ ଓ ଧ୍ୟାନ କରିବା ଆରମ୍ଭ କରିଦେଲେ।ତପସ୍ୟା କରୁଥିବା ଅବସ୍ଥାରେ ପ୍ରାୟ ଏକ ବର୍ଷ ବିତିଗଲା। ସେ ଯାଏଁ ସେ ଦୁହେଁ କେବଳ ଫଳାହାର କରି ତପଶ୍ଚାରଣ କରୁଥିଲେ। ଦ୍ୱିତୀୟ ବର୍ଷ ସେ ଦୁହେଁ ଶୁଖିଲାପତ୍ର ଖାଇ ତପସ୍ୟା କରିଲେ। ତୃତୀୟ ବର୍ଷର ତପସ୍ୟା ବେଳେ ସେ ଦୁହେଁ ତା’କୁ ମଧ୍ୟ ତ୍ୟାଗ କରିଦେଲେ।
ରାଜା ସୁରଥ ଓ ସମାଧି ବୈଶ୍ୟଙ୍କ କଠୋର ତପସ୍ୟାରେ ମହାମାୟା ପ୍ରସନ୍ନ ହେଲେ।ସେ ଦୁହିଁଙ୍କୁ ଦର୍ଶନ ମଧ୍ୟ ଦେଲେ ଏବଂ କହିଲେ,ମୁଁ ତୁମ ଦୁହିଁଙ୍କ ତପସ୍ୟାରେ ସନ୍ତୁଷ୍ଟ। ତୁମ ଦୁହିଁଙ୍କର ମନ କାମନା ପୂରଣ କରିବାକୁ ମୁଁ ତତ୍ପର। ଏଣୁ ମୋତେ ବର ମାଗ।’’
ଦେବୀ ଭଗବତୀ ମହାମାୟାଙ୍କ କଥା ଶୁଣିବା ମାତ୍ରେ ରାଜା ସୁରଥଙ୍କ ସର୍ବାଙ୍ଗ ପ୍ରସନ୍ନତାରେ ଭରିଉଠିଲା। ସେ ମାତାଙ୍କଠୁଁ ଶତ୍ରୁମାନଙ୍କ ବିନାଶ ସହିତ ନିଷ୍କଣ୍ଟକ ରାଜ୍ୟ ଭୋଗର ବର ମାଗିଲେ। ଭଗବତୀ କହିଲେ,‘‘ରାଜନ୍!ଏବେ ତୁମେ ଘରକୁ ଫେରିଯାଅ।ତୁମର ଶତ୍ରୁ ତୁମକୁ ରାଜ୍ୟ ଫେରାଇ ଦେବେ। ଦଶ ହଜାରବର୍ଷ ଯାଏଁ ଅଖିଳ ଭୂମଣ୍ଡଳର ରାଜ୍ୟ କରିବା ପରେ ଆଗାମୀ ଜନ୍ମରେ ସୂର୍ଯ୍ୟଙ୍କ ପୁତ୍ର ମନୁ ପଦ ତୁମେ ପ୍ରାପ୍ତ କରିବ।’’ ଏହିପରି ଭାବେ ରାଜା ସୁରଥ ମାତା ଭଗବତୀଙ୍କ କୃପା ବଳରେ ସମୁଦ୍ର ପର୍ଯ୍ୟନ୍ତ ସମସ୍ତ ପୃଥିବୀର ରାଜ୍ୟ ଭୋଗିଲେ ।