ନାରାୟଣ କୁମାର ରାଉତରାୟ

ଯାତ୍ରା ନାଟକରେ କିନ୍ନର ଚରିତ୍ର ସଂଯୋଜନାର ଧାରା ବହୁ ପୁରୁଣା। ତେବେ ସାଧାରଣ ଭାବେ ନାଟକଗୁଡ଼ିକରେ କିନ୍ନରମାନଙ୍କୁ ହାସ୍ୟରସାତ୍ମକ କିମ୍ବା ଖଳ ଚରିତ୍ରରେ ଦେଖିବାକୁ ମିଳିଥାଏ। କିନ୍ତୁ କିନ୍ନରଙ୍କୁ କେନ୍ଦ୍ରୀୟ ଚରିତ୍ରରେ ରଖି ଖୁବ୍‌ କମ୍ ନାଟକ ରଚନା କରାଯାଇଛି। ସେମାନଙ୍କ ଜୀବନର ସମସ୍ୟା, ସଂଘର୍ଷ ଓ ସାମାଜିକ ବିଦ୍ୱେଷ ଆଦି ପ୍ରସଙ୍ଗକୁ ନେଇ ପୂର୍ଣ୍ଣାଙ୍ଗ ନାଟକ ସଂଖ୍ୟା ବି ନଗଣ୍ୟ। ଏବେ କିନ୍ତୁ କ୍ରମଶଃ ଏହି ଧାରା ଗ୍ରହଣୀୟ ହେଉଛି ଓ କିନ୍ନରକୈନ୍ଦ୍ରିକ କାହାଣୀର ସଂଖ୍ୟା ବଢ଼ୁଛି।

Advertisment

ପ୍ରାୟ ୨୦ ବର୍ଷ ତଳେ ଅଭିନୀତ ‘କଂସେଇ ଖାନା’କୁ ଆମେ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିପାରିବା। ବାଣେଶ୍ବରୀ ଗଣନାଟ୍ୟ ପ୍ରଯୋଜିତ ତଥା ଅନନ୍ତ ଓଝାଙ୍କ ରଚିତ ଏହି ନାଟକର ମୁଖ୍ୟ ଖଳନାୟକ ଥିଲେ ଜଣେ କିନ୍ନର। ଅଭିନେତା ଦୈତ୍ୟାରୀ ପଣ୍ଡା ଏହି ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ଜିଣିଥିଲେ। ସେହିପରି କୋଣାର୍କ ଗଣନାଟ୍ୟର ନାଟକ ‘ମାଇଚିଆ ଗୋଖେଇ ସାହୁ’ ମଧ୍ୟ ଦୈତ୍ୟାରୀଙ୍କ କିନ୍ନର ଅଭିନୟର ଏକ ମାଇଲଖୁଣ୍ଟ। ଅନନ୍ତ ଓଝାଙ୍କ ରଚିତ ଏହି ନାଟକରେ ଶୀର୍ଷକ ଚରିତ୍ରରେ ଥିଲେ ସେ। ବିବାହ ପରେ ସ୍ତ୍ରୀକୁ ସ୍ବାମୀ ସୁଖ ଦେଇପାରି ନଥିବା ଗୋଖେଇକୁ ସ୍ତ୍ରୀ ମାଇଚିଆ ବୋଲି ତାତ୍ସଲ୍ୟ କରି ଛାଡ଼ି ପଳାଏ। ଏହି ଘଟଣାରେ ଲଜ୍ଜିତ ଓ ଅପମାନିତ ଗୋଖେଇ ପ୍ରତିଶୋଧ ପରାୟଣ ହୋଇ ମହିଳାମାନଙ୍କ ଉପରେ ଅତ୍ୟାଚାର କରେ। ଶେଷରେ ତା’ର ପୂର୍ବ ପତ୍ନୀକୁ ବି ଦଣ୍ଡିତ କରେ।

୨୦୨୨ ମସିହାରେ ରଙ୍ଗମହଲ ପ୍ରଯୋଜିତ ନାଟକ ‘ଭଦ୍ରକିଆ ଟୋକା’ର ମୁଖ୍ୟ ଖଳନାୟକ ଥିଲା ଜଣେ କିନ୍ନର। ଅରୁଣ ବାରିକଙ୍କ ରଚିତ ତଥା ତାପସ ସ୍ବାଇଁଙ୍କ ନିର୍ଦ୍ଦେଶିତ ଏହି ନାଟକରେ କିନ୍ନର ଚରିତ୍ରକୁ ଜୀବନ୍ତ ଭାବେ ତୋଳି ଧରିଥିଲେ ଅଭିନେତା ନିଶାନ୍ତ ଜେନା (ଟାହିଆ)। ୨୦୨୩ରେ ଅଭିନୀତ ‘ପୁରୁଷର ଦେହ ନାରୀର ମନ’ ଜଣେ କିନ୍ନରର ଜୀବନ-ଯନ୍ତ୍ରଣା କାହାଣୀ ଉପରେ ପର୍ଯ୍ୟବସିତ। ଦିନେଶ ଦାସଙ୍କ ରଚିତ-ନିର୍ଦ୍ଦେଶିତ ଏହି ନାଟକଟି ବ୍ୟାବସାୟିକ ସଫଳତା ହାସଲ କରିଥିଲା। ଚିରାଚରିତ ଯାତ୍ରା ନାଟକର ଧାରା ଠାରୁ ଅଲଗା ଢଙ୍ଗରେ ଏହି ନାଟକ ପ୍ରସ୍ତୁତ ହୋଇଥିଲା। ନାଟକର ମୁଖ୍ୟଚରିତ୍ର ଚନ୍ଦନା କିନ୍ନର ଭୂମିକାରେ ଅଭିନେତା ଟାହିଆଙ୍କ ଅଭିନୟ ଖୁବ୍‌ ପ୍ରଶଂସିତ ହୋଇଥିଲା।

ବିଶିଷ୍ଟ ଶିଳ୍ପପତି ମାନଗୋବିନ୍ଦ ମହାପାତ୍ର ଓ ମାଳତୀ ମହାପାତ୍ରଙ୍କ ଏକମାତ୍ର ପୁଅ ଚନ୍ଦ୍ରର ଶରୀରରେ ୧୨ ବର୍ଷ ପରେ ପରିବର୍ତ୍ତନ ଆସେ ଏବଂ ସେ ନିଜକୁ ଝିଅ ଭାବରେ ସଜାଉ ସଜାଉ କିନ୍ନର ଆଖ୍ୟା ପାଏ। ଚନ୍ଦ୍ର ପାଲଟି ଯାଏ ଚନ୍ଦନା। ପ୍ରତିପତିର ଦାମ୍ଭିକତାରେ ବାପା-ମା’ ଚନ୍ଦ୍ରକୁ ଜଣେ ଝିଅ ସହିତ ଜବରଦସ୍ତ ବିବାହ କରିଦେବା ପରେ ସୃଷ୍ଟି ହୁଏ ଝଡ଼। ଯେଉଁ ଝଡ଼ରେ ବିପର୍ଯ୍ୟସ୍ତ ହୁଅନ୍ତି ଚନ୍ଦ୍ରର ପରିବାର। ତେବେ କିନ୍ନର ଚନ୍ଦନା କିପରି ପରିସ୍ଥିତିକୁ ଉଚିତ ଢଙ୍ଗରେ ସାମ୍ନା କରିବା ସହିତ ପିତାମାତାଙ୍କର ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାରେ ସମର୍ଥ ହୋଇଛି, ତାହାହିଁ ନାଟକର ମୁଖ୍ୟ ବିଷୟବସ୍ତୁ। କିନ୍ନରମାନଙ୍କୁ ନାଟକୀୟ କଥାବସ୍ତୁରେ କେବଳ ବ୍ୟଙ୍ଗାତ୍ମକ ଓ ଖଳଚରିତ୍ରରେ ଉପସ୍ଥାପନ କରାନଯାଇ ସକାରାତ୍ମକ ଭୂମିକାରେ ଦର୍ଶାଯିବାର ଆବଶ୍ୟକତା ରହିଛି। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ ହେବା ବି ଜରୁରି।