ନିରବ ଓ ନିବିଡ଼ ଆବେଗ ପରିପ୍ରକାଶର ମାଧ୍ୟମ ରୂପେ ଆଦିମ କାଳରୁ ଚଳି ଆସୁଛି ଚୁମ୍ବନ ଆଦାନପ୍ରଦାନ ଧାରା। ଶ୍ରଦ୍ଧାରେ ବାପାମାଆ ପିଲାଙ୍କୁ ଚୁମ୍ବନ ଦିଅନ୍ତି। ପୁଣି ଚୁମ୍ବନ ଦିଆନିଆ ହୁଅନ୍ତି ପତି-ପତ୍ନୀ ଅଥବା ପ୍ରେମିକ-ପ୍ରେମିକା। ମୋଟାମୋଟି, ଆବହମାନ କାଳରୁ ଚୁମ୍ବନ ସାମାଜିକ ବନ୍ଧନ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଆସୁଛି। ପ୍ରତ୍ୟେକ ବର୍ଷ ୬ ଜୁଲାଇରେ ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପାଳନ କରାଯାଏ। ପ୍ରଥମେ ଆମେରିକାରେ ଏହା ପାଳନ କରାଯାଇଥିବା ବେଳେ ୨୦୦୦ ମସିହା ପରେ ଏହା ବିଶ୍ବବ୍ୟାପୀ ପାଳନ କରାଯାଇଥିଲା। ସାମାଜିକ ଔପଚାରିକତାଠାରୁ ଆରମ୍ଭ କରି ଚୁମ୍ବନ ପଛରେ ଅନେକ ଗୁଢ଼ ତତ୍ତ୍ବ ରହିଛି।
‘ଇଣ୍ଡିଆ ଟିଭି ନ୍ୟୁଜ୍’ର ଗବେଷଣା ଅନୁୟାୟୀ, ଓଠରେ ଓଠ ଛୁଆଁଇ ଚୁମ୍ବନ ଦେବାର ପ୍ରଥମ ଦସ୍ତାବିଜ୍ ପ୍ରାୟ ୪,୫୦୦ ବର୍ଷ ପୁରୁଣା। ପ୍ରାଚୀନ ମେସୋପଟେମିଆ ସଭ୍ୟତାରୁ ଏହା ଆରମ୍ଭ ହୋଇଥିବା କୁହାଯାଇଛି। ଏହାର ପ୍ରମାଣ ସେହି ଯୁଗର କ୍ୟୁନିଫର୍ମ ଟାବଲେଟ୍ ଓ ଅନ୍ୟାନ୍ୟ ଲେଖାରୁ ମିଳିଥିଲା, ଯାହା ଉଭୟ ସାମାଜିକ ଓ ପ୍ରେମର ଗଭୀରତାକୁ ସୂଚାଉଥିଲା। ପୂର୍ବରୁ କରାଯାଇଥିବା କେତେକ ଅଧ୍ୟୟନରୁ ଜଣାଯାଏ ଯେ ପ୍ରଥମ ଚୁମ୍ବନର ପ୍ରମାଣ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ଦକ୍ଷିଣ ଏସିଆରୁ ମିଳିଥିଲା। ପ୍ରାଚୀନ ମେସୋପଟେମିଆ ଅର୍ଥାତ୍ ବର୍ତ୍ତମାନର ଇରାକ ଓ ସିରିଆର ୟୁଫ୍ରେଟିସ୍ ଓ ଟାଇଗ୍ରିସ୍ ନଦୀ ମଧ୍ୟରେ ସୃଷ୍ଟି ହୋଇଥିବା ସଭ୍ୟତାରେ ମାନବିକ ଆବେଗର ମାଧ୍ୟମ ଭାବେ ଚୁମ୍ବନ ବ୍ୟବହାର ହେଉଥିଲା। ସେଠାରୁ ମିଳିଥିବା ମାଟିର ଚିତ୍ରପଟ୍ଟ ଓ ଲିପି ଥିବା ପ୍ରତ୍ନତାତ୍ତ୍ବିକ ଦ୍ରବ୍ୟରେ ଚୁମ୍ବନର ପ୍ରମାଣ ରହିଛି। ପ୍ରାଚୀନ କାଳରେ ବି ଚୁମ୍ବନକୁ ଅନ୍ତରଙ୍ଗତାର ମାଧ୍ୟମ ବୋଲି ବିବେଚନା କରାଯାଉଥିଲା।
ଯେତେବେଳେ ଜଣେ ଚୁମ୍ବନ କରିଥାଏ, ସେତେବେଳେ ମସ୍ତିଷ୍କରୁ ଅକ୍ସିଟୋସିନ୍, ଡୋପାମାଇନ୍ ଓ ସେରୋଟୋନିନ୍ ପରି ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ। ଯାହାଦ୍ବାରା ଖୁସି ଦ୍ବିଗୁଣିତ ହୋଇଥାଏ। ହାପି ହର୍ମୋନ୍ର ଏହି ମିଶ୍ରଣ ମନୋଭାବ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଚୁମ୍ବନ ସମୟରେ ହୃଦ୍ସ୍ପନ୍ଦନ ବୃଦ୍ଧି ପାଇଥାଏ। ଯାହା ରକ୍ତ ପ୍ରବାହକୁ ବଢ଼ାଇଥାଏ ଏବଂ ରକ୍ତଚାପକୁ ହ୍ରାସ କରିଥାଏ। ଚୁମ୍ବନ ସମୟରେ କର୍ଟିସୋଲ୍ସ୍ତର ହ୍ରାସ ହେବା ସହିତ କୋଲେଷ୍ଟ୍ରଲ୍ସ୍ତର ମଧ୍ୟ କମିଯାଏ କାରଣ ଚାପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।