ଭୁବନେଶ୍ବର: ୨୦୨୩ ମସିହା ଅକ୍ଟୋବରରେ ଭୁବନେଶ୍ବର ଦୁର୍ଗନ୍ଧରେ ଫାଟିପଡ଼ିଲା। ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଭିଏସ୍ଏସ୍ ନଗର, ଗଜପତିନଗର, ସୁବାସ ଏନ୍କ୍ଲେଭ, ଶକ୍ତିବିହାର, ଗଜପତିନଗର, ଲକ୍ଷ୍ମୀବିହାର, ପ୍ରଗତିବିହାର ଆଦି ଅଞ୍ଚଳର ଲୋକେ ଘରେ ରହିବା ଓ ବାହାରକୁ ବାହାରିବା ଦୁର୍ବିଷହ ହୋଇପଡ଼ିଥିଲା। ସୈନିକ ସ୍କୁଲ ପଛ ପାର୍ଶ୍ବରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ(ଟିଟିଏସ୍)ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ରୁ ଏହି ଦୁର୍ଗନ୍ଧ ବ୍ୟାପୁଛି ବୋଲି ଜଣାପଡ଼ିଥିଲା। ସହରାଞ୍ଚଳର ଅଳିଆ ପରିଚାଳନା ଯେ ସବୁଠାରୁ ବଡ଼ ସମସ୍ୟା ତାହା ଏହି ଘଟଣା ସମସ୍ତଙ୍କୁ ଚେତାଇ ଦେବା ସହ କିଚେନ୍ ଗାର୍ଡେନ ଏ ଦିଗରେ କେତେ ଉପକାରୀ ଜଣାପଡ଼ିଥିଲା।
କେବଳ ଭୁବନେଶ୍ବରରୁ ଦୈନିକ ପ୍ରାୟ ୧୦୦୦ ମେଟ୍ରିକ୍ ଟନ୍ ଓଦା ଓ କଠିନ ବର୍ଜ୍ୟ ବାହାରିଥାଏ। ସେଥିରୁ ୫୦୦ ମେଟ୍ରିକ୍ ଟନ୍ରୁ ଅଧିକ ତରଳ ବର୍ଜ୍ୟ ବାହାରୁଥିବା ବେଳେ ଏହାର ପରିଚାଳନା ପାଇଁ ଖତ ରୂପରେ ଏହାର ବ୍ୟବହାର ଅଧିକ ଲାଭପ୍ରଦ ହୋଇପାରିବ। ବର୍ତ୍ତମାନ ସୁଦ୍ଧା କିଚେନ ଗାର୍ଡେନ ଆସୋସିଏସନ୍ରେ ୨୦୦ରୁ ଅଧିକ କିଚେନ୍ ଗାର୍ଡେନ ପଞ୍ଜୀକୃତ ହୋଇଥିବା ବେଳେ ଅନେକ ଅଣପଞ୍ଜୀକୃତ କିଚେନ ଗାର୍ଡେନ ମଧ୍ୟ ରହିଛି। ଏଥିସହ ସରକାରୀ ସ୍ତରରେ ମଧ୍ୟ ଗତବର୍ଷଠାରୁ କିଚେନ୍ ଗାର୍ଡେନ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ରାଜ୍ୟର ୫ଟି ସହର ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ‘ସେଣ୍ଟ୍ରାଲ ହର୍ଟିକଲ୍ଚର୍ ଏକ୍ସପେରିମେଣ୍ଟ୍ ସେଣ୍ଟର’ ମାଧ୍ୟମରେ ‘ରାଜ୍ୟ ଯୋଜନା, ଛାତ ଉପର ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଛାତ ଉପରେ ବଗିଚା ତିଆରି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ଘରର ଓଦା ଅଳିଆରୁ କିଭଳି ବିନା ଦୁର୍ଗନ୍ଧରେ ଖତ ପ୍ରସ୍ତୁତ ହୋଇପାରିବ, ଗଛ ଲଗାଇ ପରିବେଶ ସବୁଜୀକରଣ ଓ ନିଜ ଘରର ସୌନ୍ଦର୍ଯ୍ୟୀକରଣ କରିହେବ ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି।