ଭାରତର କେତେଟି ବିଶାଳ ରୋଷେଇଘର, ଯେଉଁଠି ପ୍ରତିଦିନ ମାଗଣାରେ ଭକ୍ତଙ୍କୁ ମିଳିଥାଏ ପ୍ରସାଦ

ଭାରତ ନିଜର ସଂସ୍କୃତି, ପରମ୍ପରା ଓ ଇତିହାସ ପାଇଁ ବିଶ୍ୱରେ ଲୋକପ୍ରି୍ରୟତା ହାସଲ କରିଛି। ଏତଦ୍‌ବ୍ୟତୀତ ଭାରତରେ ମନ୍ଦିରମାନଙ୍କରେ ପ୍ରସ୍ତୁତ ହେଉଥିବା ପ୍ରସାଦର ସ୍ୱାଦ ଓ ବାସ୍ନା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ପ୍ରସାଦ ସେବନ ପାଇଁ ଦେଶ ତଥା ବିଦେଶରୁ ବି ପର୍ଯ୍ୟଟକ ଆସିଥାଆନ୍ତି।

ଭାରତରେ ପ୍ରତ୍ୟେକଟି ମନ୍ଦିରରେ ଭିନ୍ନଭିନ୍ନ ପ୍ରକାରର ପ୍ରସାଦ ମିଳିଥାଏ, ଯାହାକୁ ଭକ୍ତମାନେ ଭଗବାନଙ୍କ ଆର୍ଶୀବାଦ ସ୍ୱରୂପ ତାହାକୁ ସେବନ କରିଥାଆନ୍ତି। ଏହି ପ୍ରସାଦ ଗ୍ରହଣ କରିବା ପରେ ଏକ ଅଦ୍ଭୁତ ଆନନ୍ଦ ମିଳିବା ସହିତ ଆତ୍ମାକୁ ତୃପ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭାରତର ଏଭଳି ବିଶାଳ ରୋଷେଇ ଘର ସମ୍ପର୍କରେ, ଯେଉଁଠାକୁ ପ୍ରତିଦିନ ୧୦,୦୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ଭାରତୀୟ ସଂସ୍କୃତିରେ ଅନ୍ନଦାନକୁ ମହାଦାନ ଭାବେ ବିଶ୍ୱାସ କରଯାଇଥାଏ। ଭୋକିଲାଙ୍କୁ ଖୁଆଇଲେ ପୁଣ୍ୟ ମିଳିଥାଏ ବୋଲି କି କଥାରେ ଅଛି।

ଅମୃତସରର ସ୍ୱର୍ଣ୍ଣ ମନ୍ଦିର

ଅମୃତସର ଭାରତର ଏକ ପ୍ରାଚୀନ ଓ ପବିତ୍ର ସହର ଅଟେ। ଏଠାରେ ଥିବା ସ୍ୱର୍ଣ୍ଣ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ଏହାର ଏକ ବିଶେଷତ୍ୱ ହେଉଛି ଏଠାରେ ଭକ୍ତଙ୍କୁ ମୁକ୍ତରେ ପ୍ରସାଦ ଦିଆଯାଇଥାଏ ।ଏହାକୁ ‘ଲଙ୍ଗର’ ବୋଲି କୁହାଯାଇଥାଏ। ଏହି ପରମ୍ପରା ଗୁରୁ ନାନକ ଆରମ୍ଭ କରିଥିଲେ। ଏଯାବତ୍‌ ତାଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ଚଳାଇ ଆସିଛନ୍ତି। ଏଠାକୁ ଆସୁଥିବା ୬୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗରରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଲଙ୍ଗରରେ ଡାଲି, ଅନ୍ନ, ରୁଟି, ତରକାରୀ ଓ କ୍ଷୀର ମୁଖ୍ୟ ବ୍ୟଞ୍ଜନ ଭାବେ ପ୍ରସ୍ତୁତ ହୋଇଥାଏ।

ବୃନ୍ଦାବନର ଇସ୍କନ ମନ୍ଦିର

ହିନ୍ଦୁଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ନଗରୀ ବୃନ୍ଦାବନରେ ଇସ୍କନର ଏକ କୃଷ୍ଣବଳରାମ ମନ୍ଦିର ରହିଛି। ଏହି ମନ୍ଦିରକୁ ପ୍ରତିଦିନ ଆସୁଥିବା ୧୦,୦୦୦ରୁ ଉର୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ରାତିଅଧରୁ ଭକ୍ତଙ୍କ ପାଇଁ ଏଠାରେ ପ୍ରସାଦ ତିଆରି ଆରମ୍ଭ କରାଯାଏ। ଏହି ପ୍ରସାଦ ସକାଳଠାରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ଭକ୍ତଙ୍କୁ ବିତରଣ କରାଯାଇଥାଏ। ଏହି ମନ୍ଦିରକୁ ଦେଶ ତଥା ଦେଶ ବାହାରୁ ବି ଶ୍ରଦ୍ଧାଳୁମାନେ ଆସି ପହଞ୍ଚି ଥାଆନ୍ତି।

ସିରିଡିର ସାଇ ମନ୍ଦିର

ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ସିରିଡି ସାଇବାବାଙ୍କ ମନ୍ଦିର ରହିଛି । ଏଠାରେ ରହିଛି ସୌରଶକ୍ତି ଚାଳିତ ଭାରତର ସବୁଠାରୁ ବଡ଼ ରୋଷେଇଘର । ଏହି ରୋଷେଇଶାଳକୁ ମହାପୁରଷ ସାଇ ବାବା ଆରମ୍ଭ କରିଥିଲେ ବୋଲି କୁହାଯାଏ । ସେଇ ପୁରୁଣା ରୋଷେଇଶାଳକୁ ବର୍ତ୍ତମାନ ଆଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ଏଠାକୁ ପ୍ରତିଦିନ ୬୦,୦୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ପ୍ରସାଦ ସେବନ ପାଇଁ ଆସିଥାଆନ୍ତି।

ଉଡପିର ମଞ୍ଜୁନାଥ ମନ୍ଦିର

କର୍ଣ୍ଣାଟକର ଉଡପିରେ ଲୋକପ୍ରିୟ ମନ୍ଦିର ଧର୍ମସ୍ଥଳ ମଞ୍ଜୁନାଥଙ୍କ ମନ୍ଦିର ରହିଛି। ଏଠାରେ ପ୍ରଭୁ ଶିବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କୁହାଯାଏ ଏହି ପବିତ୍ରସ୍ଥଳ ୮୦୦ବର୍ଷ ପୁରୁଣା ଇତିହାସ ସହିତ ଯୋଡ଼ି ହୋଇଛି। ଏଠାକୁ ପ୍ରତିଦିନ ପାଖାପାଖି ୧୦,୦୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାଆନ୍ତି। ଏଠାରେ ମାଗଣାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ପ୍ରସାଦ ସେବନ କରାଯାଇଥାଏ। ଏହାକୁ ‘ଅନ୍ନ ଦାନ’ କୁହାଯାଇଥାଏ। ବିନା କୌଣସି ଭେଦଭାବରେ ଧନୀକଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ ଏକାଠି ବସି ପ୍ରସାଦ ସେବନ କରିଥାଆନ୍ତି।

ତିରୁପତି ମନ୍ଦିର

ଦକ୍ଷିଣ ଭାରତରେ ତିରୁପତି ମନ୍ଦିର ପ୍ରସିଦ୍ଧ। ଏହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମାଗଣା ପ୍ରସାଦ ସେବନ କରିବାକୁ ଦିଆଯାଇଥାଏ। ଏଠାକାର ଅନ୍ନଦାନମ୍‌ ପରମ୍ପରା ଅନୁଯାୟୀ ଭକ୍ତଙ୍କୁ ଅନ୍ନ ଖାଇବାକୁ ଦେଇ ସେମାନଙ୍କଠାରୁ କିଛି ପ୍ରାପ୍ୟ ନ ନେବାର ଅର୍ଥ ଭକ୍ତି ବୋଲି ବିବେଚନା କରାଯାଏ। ସେହିପରି ବୈଷ୍ଣୋଦେବୀ ମନ୍ଦିରରେ ବି ଭକ୍ତଙ୍କୁ ଲଙ୍ଗରରେ ମାଗଣାରେ ଖାଇବାକୁ ଦିଆଯାଇଥାଏ।

ସମ୍ବନ୍ଧିତ ଖବର