ଆଧୁନିକତାକୁ ଗ୍ରହଣ କଲେ ବି ଭାରତୀୟ ମହିଳାଙ୍କର ଶାଢ଼ି ପ୍ରତି ରହିଥିବା ଦୁର୍ବଳତା ଅଛପା ନୁହେଁ। ତାହାର ପ୍ରମାଣ ସ୍ବରୂପ କିଛି ବର୍ଷ ହେଲା ଭାରତୀୟ ମହିଳାମାନେ ବିଭିନ୍ନ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଶାଢ଼ି ପରିଧାନ କରି ନିଜ ଦେଶର ପ୍ରତିନିଧିତ୍ବ କରିବା ଦେଖାଯାଇଛି। ଏପରିକି ମାରାଥନ୍‌ରେ ଯୋଗଦେବା ଠାରୁ ଆରମ୍ଭ କରି ହୁଲା ହୁପିଂ ପରି କ୍ରୀଡ଼ା ପ୍ରଦର୍ଶନ ଓ ସ୍କେଟ୍‌ବୋର୍ଡିଂ ପରି ଦୁଃସାହସିକ କ୍ରୀଡ଼ାରେ ଭାଗ ନେବା ଅବସରରେ ମଧ୍ୟ ସେମାନେ ଶାଢ଼ି ପିନ୍ଧିବାକୁ ଭୁଲିନାହାନ୍ତି। ତାମିଲନାଡୁରେ ଜଣେ ମହିଳା ନିକଟରେ ଶାଢ଼ି ପିନ୍ଧି ପ୍ରଥମ ଥର ଦୁଃସାହସିକ ଜଳକ୍ରୀଡ଼ା ‘କାଇଟ୍‌ବୋର୍ଡିଂ’ କରିବାର ଦେଖାଯାଇଛି।

Advertisment

ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହୋଇଥିବା ଏକ ଭିଡିଓରେ କାତ୍ୟା ସାଇନି ନାମ୍ନୀ ସ୍କୁବା ଡାଇଭିଂ ଇନ୍‌ଷ୍ଟ୍ରକ୍ଟର ଶାଢ଼ି ପିନ୍ଧି କାଇଟ୍‌ବୋର୍ଡିଂ କରୁଥିବା ଦେଖାଯାଇଛି। ତାମିଲନାଡୁର ଟୁଟିକୋନ୍‌ର ଉପକୂଳରେ ସୁଟିଂ ହୋଇଥିବା ଏହି ଭିଡିଓରେ କାତ୍ୟା ସ୍ବାଭାବିକ ଭାବେ ଶାଢ଼ିକୁ ପିନ୍ଧି ନିଜ ଅଣ୍ଟାରେ ସ୍କାଇଟ୍‌ବୋର୍ଡର ପଟିକୁ ବାନ୍ଧିଛନ୍ତି ଏବଂ ଅନାୟାସରେ କାଇଟ୍‌ବୋର୍ଡିଂ କରିପାରୁଛନ୍ତି। ଉକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ପରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଏକ କୋଟି ଦର୍ଶକ ତାହାକୁ ଦେଖିସାରିଲେଣି।