କୋଲକାତା: ଜୀବନକୁ ଅବା କି ଭରସା, ଆଜି ଅଛି କାଲି କି ନାହିଁ; ଏହି ଗୀତଟି ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥ(କେକେ)ଙ୍କ କ୍ଷେତ୍ରରେ ପ୍ରମାଣ ହୋଇଛି। ଯେଉଁ ଷ୍ଟେଜକୁ ସେ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିବା ପାଇଁ ଯାଇଥିଲେ, ସେଠାରୁ ଯେ ତାଙ୍କର ମରଶରୀର ଆସିବ ତାହା କେହି ଜାଣିନଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଛାତ୍ରଛାତ୍ରୀଙ୍କୁ ଭଲପାଇବା ଦେଖି ହାଏ ମେଁ ମର ଯାଉଁ ୟେହିଁ ପେ’ କହିଥିଲେ। ହେଲେ ତାଙ୍କୁ ଜଣାନଥିଲା, ଆଉ ମାତ୍ର କିଛି ଘଣ୍ଟା ପରେ ତାଙ୍କ ଜୀବନ ଚାଲିଯିବ।

Advertisment

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେକେ ହାଏ ମେଁ ମର ଯାଉଁ ୟେହିଁ ପେ’ କହୁଥିବାର ଦେଖାଯାଇଛି। ଭିଡିଓକୁ ଟ୍ବିଟ କରି କଣ୍ଠଶିଳ୍ପୀ ‌ଅଙ୍କିତ ତିୱାରୀ କହିଛନ୍ତି ଯ, କେକେ କହିଥିଲେ ହାଏ ମେଁ ମର ଯାଉଁ ୟେହିଁ ପେ’। ଦୁର୍ଭାଗ୍ୟବଶତଃ ତାହା ହିଁ ହେଲା। ବିଶ୍ବାସ କରିପାରୁନାହିଁ।

ଅଙ୍କିତ ତିୱାରୀ ଟ୍ବିଟ କରିଥିବା ଭିଡିଓ‌ରେ ଦେଖାଯାଇଛି ‌ଯେ, କେ.କେ ରୋମାଣ୍ଟିକ୍ ଗୀତ ଆଙ୍ଖୋନ ମେଁ ତେରି ଗୀତ ଗାଉଛନ୍ତି। ଏହା ପରେ ମାଇକକୁ ଆଗରେ ବସିଥିବା ଛାତ୍ରୀମାନଙ୍କ ଆଡ଼କୁ କରି ଗାଇବାକୁ କହୁଛନ୍ତି। କେ‌କେଙ୍କ କଥା ଶୁଣି ଆଗରେ ଥିବା ଛାତ୍ରଛାତ୍ରୀ ଗୀତ ଗାଉଛନ୍ତି। ଏହା ଶୁଣି କେ.କେ କହୁଛନ୍ତି; ହାଏ ମେଁ ମର ଯାଉଁ ୟେହିଁ ପେ’। କେକେଙ୍କ ପାଟିରୁ ବାହାରୁଥିବା ଏହି କଥାକୁ ସେ ସମୟରେ କେହି ଗମ୍ଭୀରତାର ସହ ନେଇନଥିବା ବେଳେ କିଛି ଘଣ୍ଟା ପରେ ଏହା ସତ ହୋଇଯିବ ବୋଲି କେହି ଭାବିନଥିଲେ।