ଆକ୍ରମଣର ଦୀର୍ଘ ୩୦ଘଣ୍ଟା ପରେ ମହିଳାଙ୍କ ଛାତିରୁ ଡାକ୍ତର ବାହାର କଲେ ଛୁରୀ

ନୂଆଦିଲ୍ଲୀ: ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ହୋସୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରି ତାଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ। ଆକ୍ରମଣ ୩୦ ଘଣ୍ଟା ପରେ ଡାକ୍ତରମାନେ ମହିଳାଙ୍କ ଛାତିରେ ୩ଘଣ୍ଟା ଧରି ଅସ୍ତ୍ରୋପଚାର କରିବା ପରେ ଛୁରୀଟିକୁ ଛାତିରୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ହୋସୁରରେ ୪୦ବର୍ଷୀୟ ମଲ୍ଲିକା ବସବାସ କରନ୍ତି। ମଇ ୨୫ ତାରିଖରେ ମଲ୍ଲିକାଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମଲ୍ଲିକାଙ୍କ ଛାତିରେ ଦୁର୍ବୃତ୍ତ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଛାତିରେ ଛୁରୀ ଭୁସି ହୋଇଥିବା ଅବସ୍ଥାରେ ମହିଳାଜଣକ ରାତିସାରା ଛଟପଟ ହୋଇଥିଲେ। ସକାଳ ଯାଏଁ ସେ ବଞ୍ଚିବେ କି ନାହିଁ, ତାହା ବି ସେ ଜାଣି ନଥିଲେ। ଘଟଣା ଘଟିବାର ୩୦ଘଣ୍ଟା ପରେ ଯାଇ ସ୍ଥାନୀୟଲୋକଙ୍କ ପାଖରେ ଏହି ଖବର ପହଞ୍ଚିଥିଲା।

ସେମାନେ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାଲେମର ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଲ୍ଲିକାଙ୍କୁ କୋଏମ୍ବଟୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରି ଦିଆଯାଇଥିଲା। କୋଏମ୍ବଟୁର ମେଡିକାଲ କଲେଜ ହସ୍ପିଟାଲରେ ମହିଳାଙ୍କୁ ଭର୍ତ୍ତି କରିବା ପରେ ଡାକ୍ତରମାନେ ମଲ୍ଲିକାଙ୍କ ଛାତିରେ ୩ ଘଣ୍ଟା ଧରି ଅସ୍ତ୍ରୋପଚାର କରିବା ପରେ ଛୁରୀ ବାହାର କରିବାରେ ସଫଳ ହୋଇଥିଲେ। ଅସ୍ତ୍ରୋପଚାରର ୩ ଦିନ ପରେ ମହିଳାଙ୍କୁ ଡାକ୍ତରଖାନାରୁ ଘରୁ ଛୁଟି କରି ଦିଆଯାଇଥିଲା ବୋଲି ମଲ୍ଲିକାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ମଲ୍ଲିକାଙ୍କ ଛାତିରୁ ବାହାରିଥିବା ଛୁରୀର ଲମ୍ବ ୬ଇଞ୍ଚରୁ ଅଧିକ ଥିଲା। ଏହି ଛୁରାମାଡରେ ମହିଳାଙ୍କ ଫୁସଫୁସର ଏକ ଛୋଟ ଅଂଶକୁ କ୍ଷତି ପହଞ୍ଚିଥିବା ବେଳେ ସୌଭାଗ୍ୟବଶତଃ ତାଙ୍କ ହୃଦୟକୁ କୌଣସି ଆଘାତ ଲାଗି ନଥିଲ। କାର୍ଡିଓଥୋରେସିକ୍‌ ସର୍ଜରୀର ମୁଖ୍ୟ ଡାକ୍ତର ଇ ଶ୍ରୀନିବାସନ୍‌ ଏବଂ ଆନେସ୍ଥେସିଓଲୋଜିର ମୁଖ୍ୟ ଡକ୍ଟର ଜୟଶଙ୍କର ନାରାୟଣନଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ମହିଳାଙ୍କ ଛାତିର ଅସ୍ତ୍ରୋପଚାର କରିଥିଲେ।

ସମ୍ବନ୍ଧିତ ଖବର