ଭାତ ବିନା ଏସୀୟ ଲୋକେ ବଞ୍ଚି ପାରିବେ ନାହିଁ। ଭାତ ବୋଇଲେ ଆମେ ବୁଝୁ କାଣ୍ଡିଆ ଚାଉଳ ଅଥବା ଅକାଣ୍ଡିଆ ଚାଉଳରେ ରନ୍ଧା ଯାଇଥିବା ଭାତ। ଏ ଦୁଇଟି ଛଡ଼ା ‘କଳାଚାଉଳ’ ବୋଲି ଅନ୍ୟ ଏକ ଚାଉଳ ଅଛି। ସ୍ୱାସ୍ଥ୍ୟ ପାଇଁ ଏହା ଅମୃତ ତୁଲ୍ୟ ହେଲେ ବି କ୍ୱଚିତ୍ ଲୋକେ ଏ ଚାଉଳ କଥା ଜାଣନ୍ତି। ଏହା ଜନପ୍ରିୟ ନ ହେବାର ବି କାରଣ ଅଛି। କଳା ଚାଉଳ ସ୍ୱାସ୍ଥ୍ୟପ୍ରଦ ବୋଲି ପ୍ରାଚୀନ ଚୀନ୍ବାସୀ ଜାଣିଥିଲେ। ସେତେବେଳେ ଏହା ଚାଷ କରିବା ଥିଲା ବଡ଼ କୌଶଳର ବ୍ୟାପାର। ତେଣୁ ସମାଜର ଧନିକ ଶ୍ରେଣୀର ଲୋକେ ହିଁ ଏହାକୁ ଖାଉଥିଲେ ଏବଂ ସାଧାରଣ ଲୋକଙ୍କ ପାଇଁ ଏହାକୁ ନିଷିଦ୍ଧ କରିଥିଲେ। ତେଣୁ ‘କଳାଭାତ’ ରାଜାଙ୍କ ଭାତ ବୋଲି କୁହାଯାଉଥିଲା।
ଶହ ଶହ ବର୍ଷ ଧରି ଏସିଆ ମହାଦେଶରେ କଳା ଚାଉଳର ଧାନ ଚାଷ ହୋଇ ଆସୁଛି। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଏହି ଧାନ ଚାଷ ହୁଏ। ସେଠାରେ ଏହାକୁ ‘ଚକ୍-ହାଓ’ ନାଁ’ରେ ଜାଣନ୍ତି। ଦୁଇ କିସମର କଳା ଚାଉଳ ଅଛି: ଇଣ୍ଡୋନେସୀୟ କଳା ଚାଉଳ ଏବଂ ଥାଇ ଜାସ୍ମିନ୍ କଳା ଚାଉଳ।
ଏହି ଚାଉଳର ରଙ୍ଗ ଅତି କଳା। ପାଣି ତିନ୍ତାଇଲେ ବା ରାନ୍ଧିଲେ ଏହା ଗାଢ଼ ଜାମୁଆ ରଙ୍ଗ ପଡ଼ିଯାଏ। ଏଥିରେ ପ୍ରଚୁର ପରିମାଣରେ ଥିବା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ୍ ‘ଆନ୍ଥୋସିଆନିନ୍’ ଯୋଗୁଁ ହିଁ ଚାଉଳ କଳା ଦିଶେ।
ଏହି ଚାଉଳକୁ ରାନ୍ଧିବା ଅତି ସହଜ। ପାଣିରେ ୨୫ ରୁ ୩୫ ମିନିଟ୍ ତିନ୍ତାଇବା ପରେ ସାଦା ଭାତ ରାନ୍ଧିବା ପରି ଏ ଚାଉଳକୁ ଭାତ ରନ୍ଧାଯାଏ। କିନ୍ତୁ, ଚାଉଳ ପରିମାଣ ଠାରୁ ପାଣିର ପରିମାଣ ୨ ଗୁଣ ହେବା ଆବଶ୍ୟକ। ୨୦ ରୁ ୩୦ ମିନିଟ ରାନ୍ଧିଲେ ଭାତ ହୋଇଯାଏ।
କଳା ଚାଉଳର ଉପରସ୍ତରରେ ହିଁ ଥାଏ ସବୁଠୁ ଅଧିକ ପରିମାଣର ଆନ୍ଥୋସିଆନିନ୍। ଆନ୍ଥୋସିଆନିନ୍ ହୃଦ୍ରୋଗ, କର୍କଟ ରୋଗ ଆଦିରୁ ସୁରକ୍ଷା ଦିଏ। ଏହାଛଡ଼ା ଏଥିରେ ଥିବା ଫାଇଟୋନ୍ୟୁଟ୍ରିଏଣ୍ଟ୍ରେ ରହିଛି ଆଣ୍ଟି-ଇନ୍ଫ୍ଲାମାଟରି ଗୁଣ।
ଆନ୍ଥୋସିଆନିନ୍ରେ ଥିବା ସିୟାନାଇଡିନ୍-ଥ୍ରି-ଗ୍ଲୁକୋସାଇଡ୍ ଯୋଗୁଁ କଳାଭାତ ତୃପ୍ତିକର ହୋଇଥାଏ। ଅର୍ଥାତ୍ ଏହାକୁ ଖାଇଲେ ଅନେକ ସମୟ ଯାଏଁ ଆଉ ଭୋକ ଲାଗେ ନାହିଁ।
ଏଥିରେ ତନ୍ତୁଭାଗ ମଧ୍ୟ ବହୁ ପରିମାଣର ଥାଏ। ଏହା ବ୍ୟତିରେକେ, ଏଥିରେ ଥାଏ ପୁଷ୍ଟିସାର ଓ ଲୌହ।