ଭୁବନେଶ୍ବର: ଜନ୍ମାଷ୍ଟମୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ତାଙ୍କର ଜନ୍ମ ହୋଇଥିଲା ଆଜକୁ ପ୍ରାୟ ୫୨୫୦ ବର୍ଷ ତଳେ ମଥୁରାର ଏକ ଜେଲ୍ ପ୍ରକୋଷ୍ଠରେ। ତାଙ୍କର ଦିବ୍ୟ ଲୀଳା ଦେବତାମାନଙ୍କୁ ମଧ୍ୟ ଅଗୋଚର, ମନୁଷ୍ୟ ବା ତାଙ୍କୁ କିପରି ବୁଝିପାରିବ? ସେଥିପାଇଁ ଭାଗବତକାର ଲେଖିଛନ୍ତି: ‘‘ଲୀଳା-ବିଧୃତ କଳେବର। ଦେବଦାନବେ ଅଗୋଚର।।’’ ବାଳକାଳରୁ କେତେ ଲୀଳା ସେ ନ କରିଛନ୍ତି! କିନ୍ତୁ ତାହା ଦେଖି ମଧ୍ୟ ମଣିଷ ତାଙ୍କୁ ଚିହ୍ନିପାରିଲା ନାହିଁ। ଜନ୍ମ ହେବା ପରେ ପରେ ସେ ଯାଇ ରହିଲେ ଗୋପପୁରରେ ନନ୍ଦ ଓ ଯଶୋଦାଙ୍କ ଘରେ। ୩ ବର୍ଷ ପୂରିବା ପୂର୍ବରୁ ସେ ପୁତନା ଓ ତୃଣାବର୍ତ୍ତ ନାମକ ରାକ୍ଷସଙ୍କୁ ନିଧନ କରିଥିଲେ। ୩ରୁ ୭ ବର୍ଷ ବୟସ ଭିତରେ ସେ ବକାସୁର, ଅଘାସୁର ଓ ଧେନୁକାସୁରକୁ ବଧ କଲେ। ୭ ବର୍ଷ ବୟସରେ ସେ ବାମହାତ କାଣିଆଙ୍ଗୁଠିରେ ଗୋବର୍ଦ୍ଧନ ଗିରିକୁ ଧାରଣ କରି ପ୍ରଳୟଙ୍କରୀ ବର୍ଷାପବନରୁ ଗୋପନଗରବାସୀ ଓ ଗାଈଗୋରୁଙ୍କୁ ରକ୍ଷା କରିଥିଲେ। ଏହାର ପ୍ରମାଣ ଭାଗବତରେ ଅଛି। ଇନ୍ଦ୍ର କହୁଛନ୍ତି-- ସାତ ବର୍ଷର ବାଳକ କୃଷ୍ଣ। ତା’ର ଏଡ଼େ ସାହସ, ମୋର ପୂଜା ବନ୍ଦ କରିଦେଲା? ଏବେ ଦଉଚି ପାନେ। ତା’ କଥାରେ ମୋ ପୂଜା ବନ୍ଦ କରିଥିବା ଗୋପପୁରବାସୀଙ୍କୁ ମୋ ଦାଉରୁ କୃଷ୍ଣ କେମିତି ବଞ୍ଚାଇବେ ଦେଖିବା--

Advertisment

‘‘ବାଳକ ସପତ ବରଷ।  ତା’ ବୋଲେ କରିଲେ ବିଶ୍ୱାସ।।
ବାଳୁତ ପ୍ରାୟ ଖେଳୁଥାଇ।  ପାଠପଠନ ନ ଜାଣଇ।।
ଗାଈ ଚରାଇ ବନେ ବନେ।  ଗୋପାଳ ସଙ୍ଗେ ବେଣୁସ୍ବନେ।।
ପଣ୍ଡିତ ପ୍ରାୟ ତାକୁ ମଣି । ମୋହର ମହିମା ନ ଜାଣି।।
ଏଡ଼େ ଅନୀତି ଆଚରିଲେ।  ଆଜ ସଂଗ୍ରାମ କୃଷ୍ଣ ତୁଲେ।।
ଜାଣିବା କୃଷ୍ଣ ଆଶ୍ରେ କରି। କେମନ୍ତେ ଥିବେ ଗୋପପୁରୀ।।’’
(ଓଡ଼ିଆ ଭାଗବତ ୧୦ମ ସ୍କନ୍ଧ, ଗୋପଲୀଳା, ୨୬/୧୬-୨୧)

ଏହି ସାତ ବର୍ଷ ବୟସରେ ଗିରି ଗୋବର୍ଦ୍ଧନ ଧାରଣ ପୂର୍ବରୁ କୃଷ୍ଣ ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା କରିଥିଲେ। ଆଠନଅ ବର୍ଷ ବୟସରେ ସେ ଗୋପୀମାନଙ୍କ ସହ ରାସଲୀଳା କରିଥିଲେ। ତାଙ୍କୁ ମାରିବା ପାଇଁ କଂସର ସବୁ ଚକ୍ରାନ୍ତ ପଣ୍ଡ ହେବା ପରେ ସେ ଅକ୍ରୂରଙ୍କୁ ପଠାଇ ମଥୁରାରେ ଆୟୋଜିତ ଧନୁ ଉତ୍ସବରେ ଏକ ମଲ୍ଲଯୁଦ୍ଧ ପ୍ରତିଯୋଗିତାରେ ଭାଗ ନେବା ପାଇଁ କୃଷ୍ଣବଳରାମ ଦୁଇଭାଇଙ୍କୁ ଆମନ୍ତ୍ରଣ କଲେ। କଂସ ଭାବିଥିଲା କୃଷ୍ଣବଳରାମ ଆସିଲେ ତାଙ୍କୁ ମଥୁରାରେ ବଡ଼ ବଡ଼ ମଲ୍ଲଯୋଦ୍ଧାଙ୍କଦ୍ୱାରା ମରାଇବେ। ପ୍ରଥମେ ରାଜବାଟୀର ଫାଟକ ପାଖରେ କୁବଳୟା ନାମକ ହାତୀକୁ ଜଗାଇଲେ। ମାହୁନ୍ତକୁ କହିଲେ ହାତୀଦ୍ୱାରା ଦଳାଇ ଦୁଇଭାଇଙ୍କୁ ମାରିଦେବା ପାଇଁ। କିନ୍ତୁ କୃଷ୍ଣ ଅନାୟାସରେ ହାତୀକୁ ମାରି ଭିତରକୁ ଗଲେ। ଏଥିରେ ଭୟଭୀତ ହୋଇ କଂସ ଚାଣୁର ଓ ମୁଷ୍ଟିକ ନାମକ ଦୁଇ ଭୟଙ୍କର ମଲ୍ଲଯୋଦ୍ଧାଙ୍କ ସହ ଦୁଇ ଭାଇଙ୍କୁ ଲଢ଼ିବା ପାଇଁ କହିଲେ। ୧୦-୧୨ ବର୍ଷର ବାଳକ ହେଲେ ମଧ୍ୟ ସେମାନଙ୍କ ଶରୀରର ତାକତ ଏତେ ଥିଲା ଯେ ସେମାନେ ଚାଣୁର ଓ ମୁଷ୍ଟିକଙ୍କୁ ମଲ୍ଲଯୁଦ୍ଧରେ କେବଳ ପରାସ୍ତ ନୁହେଁ ହତ୍ୟା କରିଦେଲେ। ଏହା ଦେଖି କଂସର ହାର୍ଟଫେଲ୍ ହୋଇଗଲା। ରଙ୍ଗସଭାରେ ସେ ବସିବା ପାଇଁ ଯେଉଁ ବଡ଼ ମଞ୍ଚା ବନ୍ଧାହୋଇଥିଲା ସେଥିରୁ ଖସିପଡ଼ି ମରିଗଲା। ଏହା ପରେ କୃଷ୍ଣ ଯାଇ କଂସଙ୍କର ହେତୀ ଓ ପ୍ରହେତୀ ନାମକ ଦୁଇ ରାଣୀଙ୍କୁ ବୋଧ ଦେଇ କହିଲେ: ‘‘ମଞ୍ଚାରୁ ପଡ଼ି ମାମୁ ମଲା। ମୋତେ ତ ଦଇବ ରଖିଲା।।’’ କିନ୍ତୁ ଯେତେ ବୋଧ ଦେଲେ ମଧ୍ୟ ସେମାନେ ବୁଝିଲେ ନାହିଁ। ସେ ଦୁହେଁ (ଦୁଇ ଭଉଣୀ) ତାଙ୍କର ବାପା ଜରାସନ୍ଧଙ୍କ ଆଗରେ କୃଷ୍ଣଙ୍କ ବିରୋଧରେ କହି କାନ୍ଦିଲେ। ଦୁଇଝିଅଙ୍କର ବୈଧବ୍ୟ ରୂପ ଦେଖି କ୍ରୁଦ୍ଧ ଜରାସନ୍ଧ ୨୧ ଥର ଧାଡ଼ି ଦେଲା। ପ୍ରତିଥର ପରାସ୍ତ ହେଲେ ମଧ୍ୟ ଜରାସନ୍ଧ କୃଷ୍ଣଙ୍କୁ ଆକ୍ରମଣ କରିବା ଛାଡ଼ିଲା ନାହିଁ। କିନ୍ତୁ ବାରମ୍ବାର ଯୁଦ୍ଧ ହେବା ଫଳରେ ବହୁ ସୈନ୍ୟସାମନ୍ତ ଓ ସାଧାରଣ ଲୋକଙ୍କର ଧନଜୀବନ କ୍ଷୟ ହେବା ଯୋଗୁ ଜରାସନ୍ଧର ଆକ୍ରମଣରୁ ମଥୁରାବାସୀଙ୍କୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣ ସମୁଦ୍ର ମଧ୍ୟରେ ଏକ ନଗରୀ ସ୍ଥାପନ କଲେ ଓ ସେଠାକୁ ସପରିବାର ଚାଲିଗଲେ। ପରେ ଛଦ୍ମବେଶରେ ଭୀମ ଓ ଅର୍ଜୁନଙ୍କୁ ସାଙ୍ଗରେ ନେଇ ଜରାସନ୍ଧର ରାଜଧାନୀକୁ ଗଲେ। ସେଠାରେ ଭୀମଙ୍କ ସହ ଯୁଦ୍ଧ କରି ଜରାସନ୍ଧର ମୃତ୍ୟୁ ହେଲା। ଶ୍ରୀକୃଷ୍ଣ ଜରାସନ୍ଧର ମୃତ୍ୟୁଭେଦ କହି ନ ଥିଲେ ଭୀମ ତାଙ୍କୁ ମାରିବା ସମ୍ଭବ ହୋଇ ନ ଥାନ୍ତା। 

ଅଧିକ ପଢନ୍ତୁ-

ବ୍ରତ ନକରି ବି ଏହି ସବୁ କାର୍ଯ୍ୟ କରି ପାଇହେବ କୃଷ୍ଣଙ୍କ କରୁଣା

ଏଠାରେ ଶ୍ରୀକୃଷ୍ଣବଳାରାମଙ୍କର ବିଦ୍ୟାଶିକ୍ଷା ବିଷୟରେ ସଂକ୍ଷେପରେ କହୁଛି। ସେ ଯୁଗରେ ୮ରୁ ୧୨ ବର୍ଷ ବୟସ ଭିତରେ ପିଲା ଗୁରୁକୁଳକୁ ପାଠ ପଢ଼ିବାକୁ ଯାଉଥିଲେ। ମଥୁରାକୁ ଆସିବା ପୂର୍ବରୁ ଦୁଇଭାଇଙ୍କର ପାଠପଢ଼ା ଆରମ୍ଭ ହୋଇ ନ ଥିଲା। ମଥୁରାରେ ରହିବା ପରେ ପିତା ବସୁଦେବ ଦୁଇଭାଇଙ୍କୁ ଗୁରୁ ସାନ୍ଦୀପନି ଋଷିଙ୍କ ଆଶ୍ରମକୁ ବିଦ୍ୟାର୍ଜନ ପାଇଁ ପଠାଇଲେ। ଆଶ୍ଚର୍ଯ୍ୟର କଥା ପ୍ରଚଣ୍ଡ ଧୀଶକ୍ତି ଯୋଗୁ ଅତି ଅଳ୍ପ ଦିନ ଭିତରେ ଶ୍ରୀକୃଷ୍ଣ ସମସ୍ତ ବେଦ, ବେଦାନ୍ତ, ଚତୁର୍ଦ୍ଦଶ ମହାବିଦ୍ୟା ଓ ୬୪ ପ୍ରକାର ବିଦ୍ୟା ଅର୍ଜନ କରିପାରିଥିଲେ। 

ବିଭିନ୍ନ ସମୟରେ ଶ୍ରୀକୃଷ୍ଣଙ୍କୁ ମଥୁରାପତି, ଦ୍ୱାରିକାଧୀଶ ଇତ୍ୟାଦି କୁହାଗଲେ ମଧ୍ୟ ସେ କେବେ ରାଜା ହୋଇ ନ ଥିଲେ କିମ୍ବା ରାଜା ହେବା ଓ କ୍ଷମତା ଉପଭୋଗ କରିବା ପାଇଁ ତାଙ୍କର କେବେ ଲାଳସା ନ ଥିଲା। ମଥୁରାରେ କଂସକୁ ମାରି ସେ ତାଙ୍କର ପିତା ଉଗ୍ରସେନଙ୍କୁ ରାଜା କଲେ। ଦ୍ୱାରିକା ନଗରୀ ନିର୍ମାଣ କରି ସେଠାରେ ନିଜର ବଡ଼ଭାଇ ବଳରାମଙ୍କୁ ରାଜା କଲେ। ମଗଧରେ ଜରାସନ୍ଧକୁ ଭୀମଦ୍ବାରା ମରାଇ ସେଠାରେ ତା’ର ପୁଅକୁ ରାଜା କଲେ।

ତାଙ୍କ ଜୀବନର ସବୁଠାରୁ ବଡ଼ ଘଟଣା ହେଲା ମହାଭାରତ ଯୁଦ୍ଧ। ଜୀବନରେ ଅନେକ ଯୁଦ୍ଧ କରି ବହୁ ଅସୁର ବା ଦୁରାଚାରୀ ଲୋକଙ୍କୁ ମାରିଲେ ମଧ୍ୟ ସେ ଥିଲେ ସର୍ବଦା ଶାନ୍ତିର ଉପାସକ। ଯୁଦ୍ଧ ମଧ୍ୟ ସେ କରୁଥିଲେ କେବଳ ଶାନ୍ତି ପ୍ରତିଷ୍ଠା ପାଇଁ। ମହାଭାରତ ଯୁଦ୍ଧକୁ ଟାଳିବା ପାଇଁ ସେ ଅନେକ ଚେଷ୍ଟା କରିଛନ୍ତି। କିନ୍ତୁ ଅହଂକାରୀ ଓ ମହାମାନୀ ଦୁର୍ଯ୍ୟୋଧନ ତାଙ୍କର କୌଣସି ଶାନ୍ତି ପ୍ରସ୍ତାବ ରଖିଲା ନାହିଁ। ଏଣୁ ବାଧ୍ୟ ହୋଇ ଯୁଦ୍ଧ କରିବାକୁ ସେ ଅଣ୍ଟା ଭିଡ଼ିଲେ। ଦୁର୍ଯ୍ୟୋଧନର ଅନୁରୋଧରେ ସେ ତାଙ୍କୁ ନିଜର ନାରାୟଣୀ ସେନା ଦେଇ ନିଜେ ରହିଲେ ପାଣ୍ଡବଙ୍କ ପଟେ ଅସ୍ତ୍ରଧାରଣ ନ କରିବା ସର୍ତ୍ତରେ। ଏହା ମଧ୍ୟ ଥିଲା ତାଙ୍କର ଏକପ୍ରକାର କୂଟନୀତି। ରାଜନୀତି ଓ କୂଟନୀତି ବିଦ୍ୟାରେ ତାଙ୍କ ପରି ଚତୁର ବିରଳ। ଶେଷରେ ତାଙ୍କର ମାର୍ଗଦର୍ଶନରେ ପାଣ୍ଡବମାନେ ଯୁଦ୍ଧରେ ବିଜୟ ହାସଲ କଲେ। 

ଶ୍ରୀକୃଷ୍ଣଙ୍କର ଲୀଳା ଆଜିଯାଏ କେହି ବୁଝି ନାହାନ୍ତି। ନ ହେଲେ ରାଧା ଓ ଗୋପୀମାନଙ୍କ ସହ ସମ୍ପର୍କକୁ ନେଇ ଏତେ ବିକୃତ ବହି ଲେଖାଯାଆନ୍ତା ନାହିଁ କି ସର୍ବୋଚ୍ଚ ନ୍ୟାୟାଳୟ ରାଧାକୃଷ୍ଣ ବି ବାହା ନ ହୋଇ ଏକାଠି ରହୁଥିଲେ ବୋଲି ମତ ଦିଅନ୍ତେ ନାହିଁ। ଶ୍ରୀକୃଷ୍ଣ ଥିଲେ ଜିତେନ୍ଦ୍ରିୟ ପୁରୁଷ। ସେଥିପାଇଁ ତାଙ୍କର ଅନ୍ୟ ନାମ ହୃଷୀକେଶ। ହୃଷୀକ ଶବ୍ଦର ଅର୍ଥ ଇନ୍ଦ୍ରିୟ ଓ ଈଶ ଶବ୍ଦର ଅର୍ଥ ଅଧିପତି। ସେ ଥିଲେ ଇନ୍ଦ୍ରିୟମାନଙ୍କର ଅଧିପତି ଓ ଇନ୍ଦ୍ରିୟମାନେ ଥିଲେ ତାଙ୍କର ଦାସ। ତାଙ୍କ ଜାତକରେ ଲଗ୍ନ ଓ ଚନ୍ଦ୍ରଙ୍କ ପ୍ରତି ଶନି ଓ ବୃହସ୍ପତିଙ୍କ ଦୃଷ୍ଟି ଏହାର ପ୍ରମାଣ ଦିଏ। ଗୋପୀମାନଙ୍କର ବସ୍ତ୍ରହରଣ ଓ ରାସକେଳିକୁ ନେଇ ଶ୍ରୀକୃଷ୍ଣଙ୍କୁ ଲମ୍ପଟ ଆଖ୍ୟା ଦିଆଯାଏ। କିନ୍ତୁ ସେତେବେଳେ ତାଙ୍କର ବୟସ କେତେ ହୋଇଥିଲା? ଭାଗବତ ଓ ଗବେଷକମାନଙ୍କ ମତରେ ଗୋପୀଙ୍କ ବସ୍ତ୍ରହରଣ ବେଳେ ତାଙ୍କୁ ମାତ୍ର ୭ ବର୍ଷ ବୟସ ହୋଇଥିଲା ଓ ରାସଲୀଳାବେଳେ ୯ବର୍ଷ। ଯୁବାବସ୍ଥାର ପ୍ରଥମ ପାହାଚରେ ଯେତେବେଳେ ସେ ପଦାର୍ପଣ କରିନାହାନ୍ତି ସେତେବେଳେ ତାଙ୍କ ମନରେ କୌଣସି ପ୍ରକାର ଯୌନବିକାର ଆସିବା ସମ୍ଭବ କି? ଅସଲ କଥା ହେଉଛି ସେ ଯୁଗରେ ନାରୀମାନେ ଅତିସକାଳୁ ଉଲ୍ଲଗ୍ନ ହୋଇ ନଦୀରେ ସ୍ନାନ କରୁଥିଲେ। ଏହି ପରମ୍ପରା ଆର୍ଯ୍ୟସଂସ୍କୃତିବିରୋଧୀ ହୋଇଥିବାରୁ ଶ୍ରୀକୃଷ୍ଣ ଏହାର ପରିସମାପ୍ତି ଘଟାଇବା ପାଇଁ ବସ୍ତ୍ରହରଣ ନାଟକ କରିଥିଲେ ଓ ସେଥିରେ ସଫଳ ହୋଇଥିଲେ। ସେହିଦିନଠାରୁ ଉଲ୍ଲଗ୍ନ ହୋଇ ସ୍ନାନ କରିବାର ପରମ୍ପରା ବନ୍ଦ ହୋଇଥିଲା। ଗୋପୀମାନଙ୍କ ବସ୍ତ୍ରହରଣ କରିଥିବା ସେଇ କୃଷ୍ଣ ପୁଣି କୁରୁସଭାରେ କୋଟିବସ୍ତ୍ର ଦାନ କରି ଦୌପଦୀଙ୍କ ଲଜ୍ଜା ନିବାରଣ କରିଥିଲେ। 

ସ୍ବୟଂ ଅବତାରୀ ହେଲେ ମଧ୍ୟ ସେ କେବେହେଲେ ପ୍ରକାଶ୍ୟରେ ନିଜକୁ ଭଗବାନ ବୋଲି କହୁ ନ ଥିଲେ। ପୃଥିବୀ ଯେପରି କହିପାରେ ନା ମୁଁ ପୃଥିବୀ, ସୂର୍ଯ୍ୟ କହିପାରନ୍ତି ନାହିଁ ମୁଁ ସୂର୍ଯ୍ୟ, ସମୁଦ୍ର କହିପାରେ ନା ମୁଁ ସମୁଦ୍ର ସେହିପରି ଯାହାଙ୍କ ଭିତରେ ଭଗବତ୍ତା ମୂର୍ତ୍ତ ହୋଇଉଠିଛି ସେ ମଧ୍ୟ କହିପାରନ୍ତି ନାହିଁ ମୁଁ ଭଗବାନ ବୋଲି। ସେଥିପାଇଁ ଚୈତନ୍ୟ ଚରିତାମୃତରେ ଲେଖା ଅଛି: 

‘‘ଆପନା ଲୁକାଇତେ କୃଷ୍ଣ କତ ଯତ୍ନ କରେ। 
ତଥାପି ତାହାଁର ଭକ୍ତ ଜାନୟେ ତାହାଁରେ।।’’ 

କେବଳ ଗୀତାରେ ସେ ତାଙ୍କର ପରମ ଭକ୍ତ ଅର୍ଜୁନଙ୍କ ନିକଟରେ ନିଜର ଈଶ୍ୱରତ୍ୱର ପରିଚୟ ଦେଇଛନ୍ତି। ତାହା କରି ନ ଥିଲେ ଅର୍ଜୁନଙ୍କର ମୋହ ଦୂର ହୋଇ ନ ଥାନ୍ତା ଓ ସେ ଯୁଦ୍ଧ କରି ନ ଥାନ୍ତେ। ସେ ଯୁଦ୍ଧ କରି ନ ଥିଲେ ଦୁର୍ଯ୍ୟୋଧନଙ୍କ କୁଶାସନରୁ ଦେଶକୁ ରକ୍ଷା କରାଯାଇଥାନ୍ତା କିପରି ଏବଂ ନ୍ୟାୟ ଓ ଧର୍ମ ପ୍ରତିଷ୍ଠା ହୋଇଥାନ୍ତା କିପରି? ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଅତି ପ୍ରୟୋଜନ ନ ପଡ଼ିଲେ ଭଗବାନ କେବେ ନିଜ ଶକ୍ତି ଓ ଐଶ୍ୱର୍ଯ୍ୟ ପ୍ରକାଶ କରନ୍ତି ନାହିଁ। ପିଠିରେ ହାତ ମାରିଦେଲେ, କୁବ୍ଜାର କୁଜ ଭଲ ହୋଇଗଲା; ଦ୍ରୌପଦୀର ମାନରକ୍ଷା ପାଇଁ ତାଙ୍କୁ କୋଟି ବସ୍ତ୍ର ଦାନକଲେ-- ଏସବୁ ତାଙ୍କ ଐଶ୍ୱର୍ଯ୍ୟର ପ୍ରକାଶ। କିନ୍ତୁ ବାଳୁତ ବୟସରୁ ଏତେ ଏତେ ଅଲୌକିକ କାର୍ଯ୍ୟ ଦେଖି ମଧ୍ୟ ଅକ୍ରୂର, ଉଦ୍ଧବ, ପାଣ୍ଡବ, କେଇଜଣ ଗୋପୀ ଓ ଗୋପାଳଙ୍କ ବ୍ୟତୀତ ତତ୍କାଳୀନ ସମାଜର କେହି ବଡ଼ପଣ୍ଡା ତାଙ୍କୁ କ’ଣ ଚିହ୍ନିପାରିଥିଲେ? କଂସ, ଜରାସନ୍ଧ, ଶିଶୁପାଳ ପ୍ରଭୃତି ସେ ସମୟର ଅଧିକାଂଶ ପ୍ରତାପୀ ରାଜା-ମହାରାଜା ଥିଲେ ତାଙ୍କର ଶତ୍ରୁ। ତେଣୁ ଚୈତନ୍ୟ ଚରିତାମୃତରେ ଲେଖାଅଛି:--

‘‘ଦେଖିୟା ନା ଦେଖେ ଯତ ଅଭକ୍ତେର ଗଣ। 
ଉଲୂକେ ନା ଦେଖେ ଯେନ ସୂର୍ଯ୍ୟେର କିରଣ।।’’

ଅର୍ଥାତ୍ ଯାହାଙ୍କ ମନରେ ଭକ୍ତିଭାବ ନାହିଁ, ଶ୍ରଦ୍ଧା ନାହିଁ- ଭଗବାନଙ୍କୁ ସ୍ବଚକ୍ଷୁରେ ଦେଖି ମଧ୍ୟ ସେ ଭଗବାନ ବୋଲି ଜାଣିପାରେ ନାହିଁ, ଠିକ୍ ଯେପରି ଦିନବେଳା ବି ଉଲୂକ ବା ପେଚା ସୂର୍ଯ୍ୟକିରଣ ଦେଖିପାରେ ନାହିଁ। 

ଜନ୍ମାଷ୍ଟମୀ ବ୍ରତ: 

ହିନ୍ଦୁ ମାତ୍ରେ ହିଁ ଜନ୍ମାଷ୍ଟମୀ ବ୍ରତ ପାଳନୀୟ । ୨୪ ଘଣ୍ଟା ଉପବାସ ରହି କିମ୍ବା ଅଶକ୍ତ ପକ୍ଷେ ଫଳ, କ୍ଷୀର ବା ଦହି ସର୍ବତ୍ ଭକ୍ଷଣ କରି ଏହି ବ୍ରତ ପାଳନ କରାଯାଏ ଏବଂ ମଧ୍ୟରାତ୍ରରେ ଶ୍ରୀକୃଷ୍ଣଙ୍କ ପାଖରେ ଭୋଗ ଲଗାଇ, ପ୍ରସାଦ ସେବନପୂର୍ବକ ଉପବାସ ଭଙ୍ଗ କରି ବ୍ରତ ଉଦ୍‌ଯାପନ କରାଯାଏ। ଶ୍ରୀକୃଷ୍ଣଙ୍କ ନାମ ଜପ, ଧ୍ୟାନ ଏବଂ ତାଙ୍କ ଜନ୍ମକଥା ଭାବଗତ ବା ହରିବଂଶରୁ ପଠନ ବା ଶ୍ରବଣ କରି ସମ୍ପୂର୍ଣ୍ଣ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକ ଭାବରେ ସାରାଦିନ ଓ ସନ୍ଧ୍ୟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଅତିବାହିତ କରାଯାଏ। 

ଜନ୍ମାଷ୍ଟମୀ ପାଳନର ମହତ୍ତ୍ୱ ଅନେକ। ଏହାଦ୍ୱାରା ମନ ଓ ଆତ୍ମା ଊର୍ଦ୍ଧ୍ୱମୁଖୀ ହୁଏ। ପୂର୍ବଜନ୍ମକୃତ ପାପ ଧୋଇହୋଇଯାଏ। ନିଷ୍ଠାର ସହ ଜନ୍ମାଷ୍ଟମୀ ବ୍ରତ ପାଳନ କଲେ ବନ୍ଧ୍ୟା ନାରୀ ପୁତ୍ରବତୀ ହୁଅନ୍ତି। ଜନ୍ମାଷ୍ଟମୀ ବ୍ରତ କେଉଁଦିନ ପାଳନ କରାଯିବ ସେ ନେଇ ମତପାର୍ଥକ୍ୟ ଅଛି। ଏ ବାବଦରେ ଦୁଇଟି ମତ ପ୍ରଚଳିତ। ଗୋଟିଏ ହେଲା ସ୍ମାର୍ତ୍ତ ମତ ବା ସ୍ମୃତି ଶାସ୍ତ୍ରର ମତ ଓ ଅନ୍ୟଟି ବୈଷ୍ଣବ ମତ। ଆମ ଓଡ଼ିଶାରେ ମୁଖ୍ୟତଃ ସ୍ମାର୍ତ୍ତମତ ଅନୁସାରେ ଜନ୍ମାଷ୍ଟମୀ ପାଳନ କରାଯାଏ। ସ୍ମାର୍ତ୍ତ ମତ ଅନୁସାରେ ମଧ୍ୟରାତ୍ରରେ ଅଷ୍ଟମୀ ତିଥି ପଡ଼ୁଥିଲେ ସେହିଦିନ ଜନ୍ମାଷ୍ଟମୀ ପାଳନ କରାଯିବ। ସେଦିନ ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ଥିଲେ ଆହୁରି ଭଲ। ତାକୁ ଶ୍ରୀକୃଷ୍ଣ ଜୟନ୍ତୀ କୁହାଯାଏ, ରେହିଣୀ ନକ୍ଷତ୍ର ଯୋଗ ନ ଥିଲେ ତାକୁ ଜୟନ୍ତୀ ନୁହେଁ କେବଳ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୁହାଯାଏ। ବୈଷ୍ଣବ ମତ ଅନୁସାରେ ଯେଉଁଦିନ ଅଷ୍ଟମୀ ତିଥି ସୂର୍ଯ୍ୟୋଦୟ ବେଳକୁ ଥିବ ସେହିଦିନ ଜନ୍ମାଷ୍ଟମୀ ପାଳନ କରାଯିବ। ସାଧାରଣତଃ ବୈଷ୍ଣବ ମଠମାନଙ୍କରେ ବୈଷ୍ଣବ ମତରେ ଜନ୍ମାଷ୍ଟମୀ ପାଳନ କରାଯାଏ। 

ଆସନ୍ତୁ ଜନ୍ମାଷ୍ଟମୀ ଅବସରରେ ଆମେ ସେହି ପ୍ରଭୁଙ୍କ ଗୁଣଗାନ କରିବା ଓ ଲୀଳା ସ୍ମରଣ କରିବା, ଯାହାଙ୍କୁ ଆମ ସମାଜର ତତ୍କାଳୀନ ଗଣ୍ୟମାନ୍ୟ ବ୍ୟକ୍ତି ଚୋର କହି ତାତ୍ସଲ୍ୟ କରିଆସିଛନ୍ତି- ଲବଣୀଚୋର, ଗୋପୀମାନଙ୍କ ବସ୍ତ୍ରଚୋର ଇତ୍ୟାଦି। ତେବେ ଚୋର କହି ତାଙ୍କର ତାତ୍ସଲ୍ୟ କରିହୁଏ ନାହିଁ, କାରଣ ସେ ତ ବାସ୍ତବରେ ଜଣେ ଚୋର। ହରି ଶବ୍ଦର ଅର୍ଥ ଆଉ କ’ଣ କି? ହରଣକାରୀ ବା ଚୋର। ସେଥିପାଇଁ କବି ତାଙ୍କୁ ଚୋରମାନଙ୍କ ଅଗ୍ରଗଣ୍ୟ କହି ବନ୍ଦନା କରିଛନ୍ତି--

‘‘ବ୍ରଜେ ବସନ୍ତଂ ନବନୀତଚୌରଂ 
ଗୋପାଙ୍ଗନାନାଞ୍ଚ ଦୁକୂଳଚୌରମ୍। 
ଅନେକ ଜନ୍ମାର୍ଜିତପାପଚୌରଂ 
ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି।।’’

ଅର୍ଥାତ୍ ମୁଁ ବ୍ରଜରେ ବାସ କରୁଥିବା ଚୋରମାନଙ୍କର ଅଗ୍ରଗଣ୍ୟ ସେହି ନନ୍ଦସୁତ କୃଷ୍ଣଙ୍କୁ ନମସ୍କାର କରୁଛି, ଯିଏ କି ଗୋପପୁରରେ ନବନୀତ (ଲହୁଣୀ) ଚୋରି କରି ଖାଇଥିଲେ, ଗୋପୀମାନଙ୍କର ଦୁକୂଳ (ପାଟବସ୍ତ୍ର) ଚୋରି କରିଥିଲେ ଏବଂ ଯିଏ ଭକ୍ତର ଅନେକ ଜନ୍ମର ଅର୍ଜିତ ପାପକୁ ଚୋରି କରି ନିଅନ୍ତି ଓ ମୋର  ମଧ୍ୟ ଚୋରି କରିନେବେ ବୋଲି ମନରେ ବିଶ୍ବାସ ରହିଛି। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨