ନୂଆଦିଲ୍ଲୀ : ‘ଖାଦ୍ୟର କୌଣସି ଧର୍ମ ନଥାଏ’ ଟୁଇଟ୍‌ କରି ଏବେ ଚର୍ଚ୍ଚାରେ ରହିଛି ଜୋମାଟୋ । ଅଣହିନ୍ଦୁ ଡେଲିଭରୀ ବଏ ଖାଦ୍ୟ ଡେଲିଭର କରିବା ଜାଣି ଅର୍ଡର କ୍ୟାନ୍‌ସଲ କରି ଦେଇଥିଲେ ଅମିତ ଶୁକ୍ଲା । ଏ ଘଟଣା ସାମ୍ନାକୁ ଆସିବା ପରେ ଏ ନେଇ ଜୋମାଟୋ ପକ୍ଷରୁ ଜବାବ ରଖା ଯାଇଥିଲା । ତେବେ କିଛି ଜୋମାଟୋର ଏହି ଜବାବକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ କରୁଥିବା ଦେଖା ଯାଇଛି । ସବୁଠାରୁ ଅଧିକ ଚର୍ଚ୍ଚା ଜବାବ ରଖିଥିବା ଜୋମାଟୋର ମାଲିକଙ୍କୁ ନେଇ ହେଉଥିବା ଦେଖାଯାଉଛି । ତେବେ ଆଜି ଆମେ ଜୋମାଟୋର ଦୁଇ ମାଲିକ ତଥା ଦୁଇ ବନ୍ଧୁଙ୍କ ବିଷୟରେ ଜଣାଇବୁ ।

Advertisment

ଜୋମାଟୋ କମ୍ପାନୀର ମାଲିକ ହେଉଛନ୍ତି ଦିପିନ୍ଦର ଗୋୟଲ ଓ ପଙ୍କଜ ଚଢ଼ା । ଜୋମାଟୋର ଆରମ୍ଭ ୨୦୦୮ରେ କରାଯାଇଥିଲା । ବର୍ତ୍ତମାନ କମ୍ପାନୀରେ ୫,୦୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ଜଣା ପଡ଼ିଛି । ଦିପିନ୍ଦର ୨୦୦୫ରେ ଆଇଆଇଟି ଦିଲ୍ଲୀରୁ ସ୍ନାତକ ଶେଷ କରିଥିବା ବେଳେ ୨୦୦୭ରେ ପଙ୍କଜ ଆଇଆଇଟି ଦିଲ୍ଲୀରୁ ସ୍ନାତକ ଶେଷ କରିଥିଲେ । ପାଠ ପଢ଼ା ସାରି ଦିପିନ୍ଦର ବେନ୍‌ ଆଣ୍ଡ କମ୍ପାନୀରେ କାମ ଆରମ୍ଭ କରିଥିଲେ । ଅଫିସରେ ମଧ୍ୟାହ୍ନ ଭୋଜନ ସମୟରେ ସହକର୍ମୀମାନଙ୍କୁ କାଫେଟେରିଆରେ ଲମ୍ବା ଧାଡ଼ି ଲଗାଇ ଠିଆ ହୋଇଥିବା ଦେଖି ଏପରି କରିବାରେ ସମୟ ନଷ୍ଟ ହେଉଛି ବୋଲି ଭାବିଥିଲେ ଦିପିନ୍ଦର । ଯାହା ପରେ ତାଙ୍କୁ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କରିବାର ଆଇଡିଆ ମିଳିଥିଲା । ସେ ପଙ୍କଜଙ୍କ ସହ ମିଶି ‘ଫୁଡ୍‌ଲେଟ୍‌ ଡଟ୍‌ କମ୍‌’ ଆରମ୍ଭ କରି ରେସ୍ତୋରାଁ ସହ ଯୋଡ଼ିଥିଲେ । ରେସ୍ତୋରାଁ ସହ ‘ଫୁଡ୍‌ଲେଟ୍‌ ଡଟ୍‌ କମ୍‌’କୁ ଯୋଡ଼ି ଏହି ନାଁକୁ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦୁହେଁ ଚିନ୍ତା କରିଥିଲେ । ୯ମାସ ପର୍ଯ୍ୟନ୍ତ ଏଥିରେ ମନୋନିବେଶ କରିଥିଲେ ମଧ୍ୟ ଆର୍ଥିକ ସମସ୍ୟା ଓ ଲୋକେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରୁ ନଥିବାରୁ ସେମାନଙ୍କୁ ‘ଫୁଡ୍‌ଲେଟ୍‌ ଡଟ୍‌ କମ୍‌’କୁ ବନ୍ଦ କରିବାକୁ ପଡ଼ିଥିଲା ।

publive-image ILoveIndia Buzz

ପରେ ଦୁହେଁ ମିଶି ‘ଫୁଡ଼ିବେ’ ନାମକ ଫୁଡ୍‌ ଡେଲିଭରୀ ସାଇଟ୍‌ ଆରମ୍ଭ କରିଥିଲେ । ଦୁହେଁ ନିଜର ପୂରା ସମୟ କମ୍ପାନୀକୁ ଦେବା ସହ ଧିରେ ଧିରେ ଏହାର ଲୋକପ୍ରିୟତା ବଢ଼ିବାକୁ ଲାଗିଥିଲା । କିଛି ଦିନ ପରେ ଏହାର ନାଁକୁ ବଦଳାଇ ‘ଜୋମାଟୋ’ କରି ଦିଆଯାଇଥିଲା ।