ସମ୍ପ୍ରତି ବିଶ୍ବବ୍ୟାପୀ ଅବସାଦ ଓ ଉଦ୍ବେଗ ପରି ମାନସିକ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ବିଶ୍ବର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ ହୋଇଥିବା ବେଳେ ୨୬ କୋଟିରୁ ଅଧିକ ଲୋକଙ୍କୁ ଉଦ୍ବେଗ ବ୍ୟାଧି ଘାରିଛି। ଏହି ଉଭୟ ମାନସିକ ସ୍ବାସ୍ଥ୍ୟାବସ୍ଥା ଦୈନନ୍ଦିନ ଜୀବନ, ସମ୍ପର୍କ ଓ ଶାରୀରିକ ସ୍ବାସ୍ଥ୍ୟକୁ ଭୀଷଣ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମସ୍ୟାକୁ ଅଣଦେଖା କରାଯାଏ କିମ୍ବା ଭୁଲ୍ ବୁଝାଯାଏ। ବିଶେଷ କରି ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଣଦେଖା କରାଯାଇଥାଏ। ତେବେ ବେଳହୁଁ ଏହାର ଲକ୍ଷଣଗୁଡ଼ିକୁ ଠିକ୍ରେ ଠଉରେଇ ପାରିଲେ ଜୀବନଯାପନ ସୁଗମ ଓ ସାବଲୀଳ ହୋଇପାରିବ। ଆଜି ମାନସିକ ଅବସାଦର ସେଭଳି କିଛି ଲକ୍ଷଣ ବାବଦରେ ଜାଣିବା।
ମନ ଦୁଃଖ ଲାଗିବାକୁ ମାନସିକ ଅବସାଦ ବୋଲି କହି ହେବନାହିଁ। ଯଦି ଅନେକ ଦିନ ଧରି ମନରେ ଏପରି ଦୁଃଖାନୁଭବ କି ଶୂନ୍ୟତା ଭାବ କିମ୍ବା ନିରାଶା ଜାରି ରହେ, ତେବେ ଆପଣ ଅବସାଦଗ୍ରସ୍ତ ହୋଇଥିବାର ସମ୍ଭାବନା ରହିଛି। ପୂର୍ବରୁ ଉପଭୋଗ କରୁଥିବା କାର୍ଯ୍ୟ ବା ସଉକ ଏବଂ ସାମାଜିକ କାର୍ଯ୍ୟକଳାପ ଆଦିରେ ଆଗ୍ରହ ନ ରହିବା ମଧ୍ୟ ହେଉଛି ଅବସାଦର ଲକ୍ଷଣ। ଭୋକରେ ପରିବର୍ତ୍ତନ ହେତୁ ଓଜନ ବଢ଼ିବା କି କମିବା ମଧ୍ୟ ଅବସାଦ ଯୋଗୁଁ ହୋଇଥାଏ। ସେହିପରି ଅନିଦ୍ରା ବା ଅଧିକ ନିଦ୍ରା ମଧ୍ୟ ଅବସାଦ ସହ ଜଡ଼ିତ। ବିଶ୍ରାମ ପରେ ମଧ୍ୟ କ୍ଳାନ୍ତ ବା ଦୁର୍ବଳ ଅନୁଭବ କରିବା ଅବସାଦର ଆଉ ଏକ ସଂକେତ। ଅବସାଦ ମଧ୍ୟ ନିଷ୍ପତ୍ତି ଗ୍ରହଣ, ସ୍ମୃତି ଓ ଏକାଗ୍ରତାକୁ ପ୍ରଭାବିତ କରିଥାଏ। ଅବସାଦଗ୍ରସ୍ତ ବ୍ୟକ୍ତିମାନେ ପ୍ରାୟତଃ ଅତ୍ୟଧିକ ଦୋଷୀ କିମ୍ବା ଅଯୋଗ୍ୟ ହେବାର ଭାବନା ମନକୁ ଆଣିଥା’ନ୍ତି। ସର୍ବୋପରି ମୃତ୍ୟୁ କିମ୍ବା ଆତ୍ମହତ୍ୟାର ଭାବନା ବାରମ୍ବାର ଆସିବା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ, ଯାହାପ୍ରତି ତୁରନ୍ତ ଧ୍ୟାନ ଦେବା ଜରୁରି। ଏଭଳି ଲକ୍ଷଣ ଥିଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ଗୁରୁତ୍ବପୂର୍ଣ୍ଣ।