ଭୁବନେଶ୍ବର: ବିବାହ ସମୟରେ ଶ୍ବଶୁର ଜ୍ବାଇଁଠାରୁ ଝିଅର ଦଶଦୋଷ କ୍ଷମା କରିବାକୁ ମାଗିନେଇଥାନ୍ତି। ତେବେ ପୁରୁଷମାନେ ଯଦି ବିବାହ ସମୟର ଏଇ ପ୍ରତିଶ୍ରୁତି କଥା ମନେରଖିଥାନ୍ତି, ତେବେ ସେମାନେ କେବେହେଲେ ନିଜ ସ୍ତ୍ରୀର କୌଣସି ଦୋଷ ପାଇଁ ତାଙ୍କୁ ଘରୁ ବାହାର କରିଦେଇ ପାରିବେ ନାହିଁ, ବା ଅନ୍ୟ ପ୍ରକାର ଦଣ୍ଡିତ କରିପାରିବେ ନାହିଁ। ନାରୀ ବା ପୁରୁଷ କେହି ହେଲେ ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହନ୍ତି। ପୁରୁଷର ଉଗ୍ର ସ୍ବଭାବ, କ୍ରୋଧ, ଅହଂକାର, ଅନ୍ୟ ନାରୀ ସହ ସମ୍ପର୍କ, ମିଛ କହିବା, ଚୋରି କରିବା, ଚାରିତ୍ରିକ ସ୍ଖଳନ, କୁଭାଷା ବ୍ୟବହାର କରିବା, ସ୍ତ୍ରୀକୁ ହତାଦର କରିବା ଆଦି ଦୋଷ ଥାଇପାରେ। କିନ୍ତୁ ସେ କେବଳ ସ୍ତ୍ରୀକୁ ତା’ର ଦୋଷ ପାଇଁ ଭର୍ତ୍ସନା କରିଥାଏ। ଏହା ସର୍ବାଦୌ ଅନୁଚିତ। ସ୍ତ୍ରୀର କୌଣସି ଦୋଷ ଦେଖିଲେ ପୁରୁଷ କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ପ୍ରଥମେ ବିବାହ ସମୟରେ ନିଜ ଶ୍ବଶୁରଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ମନେପକାଇବା ଉଚିତ।
ତେବେ ନାରୀର ଏହି ଦଶ ଦୋଷ କ’ଣ ? ଏ ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି:
‘‘ନିର୍ଲ୍ଲଜ୍ଜା ଚୌରବୃତ୍ତିଶ୍ଚ ଡାକିନୀ ବ୍ୟଭିଚାରିଣୀ।
ମୁଖରା ହିଂସକା ଦୁଷ୍ଟା ମିଥ୍ୟାବାଦିନ୍ୟତୋଷିଣୀ।
ପଳାୟନପରା ଭୁୟୋ ଦଶଦୋଷା ଇତି ସ୍ମୃତାଃ।।’’
ଅର୍ଥାତ୍, ଲଜ୍ଜାହୀନା, ଚୋରଣୀ, ଡାକିନୀ, ବ୍ୟଭିଚାରିଣୀ, ମୁଖରା ବା ଅତିଭାଷିଣୀ ବା କଳହପ୍ରବୀଣା, ହିଂସକା, ଦୁଷ୍ଟା, ମିଥ୍ୟାବାଦିନୀ, ଅତୋଷିଣୀ ବା ଯିଏ ସ୍ବାମୀଙ୍କୁ ସନ୍ତୋଷ ନ ଦିଏ ଏବଂ ପଳାୟନପରା ବା ଯିଏ ବାରମ୍ବାର ବାପଘରକୁ ପଳାଏ- ଏଗୁଡ଼ିକ ହେଉଛି ନାରୀର ଦଶଦୋଷ। ଏହାର ବିପରୀତଗୁଡ଼ିକ ହେଉଛି ନାରୀର ସୁଗୁଣ, ଯଥା- ଲଜ୍ଜାଶୀଳା, ପରଦ୍ରବ୍ୟ ପ୍ରତି ଲୋଭହୀନା, ଡାକିନୀ ପରି ଆଚରଣ ନ କରିବା, ଏକାଚାରିଣୀ, ସ୍ବଳ୍ପଭାଷିଣୀ, ଅହିଂସ ହେବା, ଶିଷ୍ଟା, ସତ୍ୟବାଦିନୀ, ସ୍ବାମୀ ଖୁସି ହେଲା ଭଳି କାର୍ଯ୍ୟ କରିବା ଓ ସ୍ବାମୀଙ୍କୁ ସନ୍ତୋଷ ଦେବା ଏବଂ କଥାକଥାରେ ବାପଘର ଯିବାର ଭୟ ନ ଦେଖାଇବା ବା ବାପଘରକୁ ବାରମ୍ବାର ନ ଯିବା।
ଲଜ୍ଜାହୀନତା ଏକ ଅତ୍ୟନ୍ତ ଖରାପ ସ୍ବଭାବ। ଏହା ବାପାମାଆଙ୍କର, ପିତୃକୁଳର, ସ୍ବାମୀର ଓ ଶ୍ବଶୁରକୁଳର ମାନସମ୍ମାନକୁ ବି ତଳେ ପକାଇଥାଏ। କୁହାଯାଏ ‘ନାରୀଣାଂ ଭୂଷଣଂ ଲଜ୍ଜା’। ଅର୍ଥାତ୍ ଲଜ୍ଜା ହେଉଛି ନାରୀର ଭୂଷଣ। ଲଜ୍ଜାହୀନା ନାରୀ ସୂର୍ପଣଖା ପରି ଯିଏ ଅନ୍ୟ ପୁରୁଷ ଆଗରେ ପ୍ରେମନିବେଦନ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହାର ଫଳ ହୁଏ କ’ଣ? ନିଜର ତଥା ନିଜ ଭାଇ (ରାବଣ)ର ବଂଶନାଶ। ଆଜିକାଲି ଏପରି ସୂର୍ପଣଖାମାନଙ୍କର ଅଭାବ ନାହିଁ। ଲଜ୍ଜାହୀନତା ଯୋଗୁ ସେମାନେ ନିଜକୁ ତ ବିପଦରେ ପକାନ୍ତି, ତା’ ସହ ନିଜ ବାପାଙ୍କ ମାନସମ୍ମାନ ଓ ବଂଶଗୌରବକୁ ମାଟିରେ ମିଶାଇ ଦିଅନ୍ତି।
ତେବେ ଚୋରଣୀ, ଡାକିନୀ କ୍ବଚିତ୍ ଦେଖିବାକୁ ମିଳନ୍ତି। ମାତ୍ର ଧରାପଡ଼ିଲେ ସେମାନଙ୍କର ସମ୍ମାନ ନଷ୍ଟ ହୋଇଥାଏ। ପରେ ସେମାନଙ୍କୁ କେହି ବିଶ୍ବାସ କରନ୍ତି ନାହିଁ ଓ ସେମାନଙ୍କଠାରୁ ନିଜକୁ ଦୂରରେ ରଖନ୍ତି। ଉପରୋକ୍ତ ପ୍ରତିଶ୍ରୁତି ହେତୁ ସ୍ବାମୀ ସିନା କ୍ଷମା କରିଦେବ, ଅନ୍ୟମାନେ କାହିଁକି କ୍ଷମା କରିବେ? ଆଉ ଏକ ଦୋଷ ହେଲା ବ୍ୟଭିଚାରିଣୀ। ଯିଏ ନିଜ ସ୍ବାମୀଠାରୁ ଅନ୍ୟକୁ ଅଧିକ ଭଲ ପାଏ ଓ ଅନ୍ୟକୁ ବେଶି ଗୁରୁତ୍ବ ଦିଏ, ତାକୁ ଏକପ୍ରକାର ବ୍ୟଭିଚାରିଣୀ ବୋଲି କୁହାଯାଇପାରେ। ମାନସିକ ଭାବେ ଅନ୍ୟ ପୁରୁଷକୁ ଚାହିଁଲେ ବି ତାହା ବ୍ୟଭିଚାର। ପର୍ଶୁରାମଙ୍କ ମାଆ ରେଣୁକା ନଦୀକୁ ପାଣି ଆଣିବାକୁ ଯାଇଥିବା ବେଳେ ପାଣି ଭିତରେ ଆକାଶମାର୍ଗରେ ଯାଉଥିବା ଗନ୍ଧର୍ବଙ୍କ ପ୍ରତିବିମ୍ବ ଦେଖି ଉପରକୁ ଚାହିଁ ବିମୋହିତ ହୋଇପଡ଼ିଥିଲେ। ପାଣି ଆଣି ଫେରିବାରେ ଡେରି ହେବାରୁ ତାଙ୍କ ସ୍ବାମୀ ମହର୍ଷି ଜମଦଗ୍ନି ତପୋବଳରେ ଏହା ଜାଣିପାରି କ୍ରୋଧିତ ହୋଇଥିଲେ।
ମୁଖରା ବା ଅତିଭାଷିଣୀ ନାରୀ ସର୍ବତ୍ର ମିଳନ୍ତି। ଅଧିକ କଥା କହିବା ନାରୀମାନଙ୍କ ସ୍ବଭାବ। କିନ୍ତୁ ଏହା ଭଲ ନୁହେଁ। ଏହା ପରିବାରରେ କଳହ ଓ ଅଶାନ୍ତି ସୃଷ୍ଟି କରେ। ତେଣୁ ନାରୀମାନେ ଯଥାସମ୍ଭବ ସ୍ବଳ୍ପଭାଷିଣୀ ହେବାକୁ ଚେଷ୍ଟା କରିବା ଉଚିତ। ଯେଉଁମାନେ ତାହା ପାରୁନାହାନ୍ତି, ସେମାନେ ସପ୍ତାହକୁ ଥରେ ବା ମଝିରେ ମଝିରେ ମୌନବ୍ରତ ଅବଲମ୍ବନ କରିବା ଉଚିତ। ହିଂସକା ଓ ଦୁଷ୍ଟା ନାରୀ ଅନେକ ସମୟରେ ପରିବାର ପାଇଁ ସଂକଟ ସୃଷ୍ଟି କରନ୍ତି। କାହାରି ପ୍ରତି ହିଂସା, ଈର୍ଷା ଓ ଦ୍ବେଷରୁ ସର୍ବଥା ଦୂରରେ ରହିବା ଉଚିତ।
ମିଛକଥା କହିବା ଏକ ବଡ଼ ଦୋଷ। ବିଶେଷତଃ ନିଜର ଦୋଷ ଲୁଚାଇବା ପାଇଁ ନାରୀଟିଏ ମିଛ କହିଥାଏ। କିନ୍ତୁ ମଣିଷ ଯାହା ଲୁଚାଏ, ତାହା ବୃଦ୍ଧି ପାଇଥାଏ। ତେଣୁ ନିଜର ଗୁଣ ଲୁଚାଇବା ଓ ଦୋଷ ପ୍ରକାଶ କରିଦେବା ଉଚିତ। ତା’ହେଲେ ଗୁଣ ବଢ଼ିବ ଓ ଦୋଷ କମିବ। ମହାତ୍ମା ଗାନ୍ଧୀ ଥରେ ବାପାଙ୍କ ପକେଟ୍ରୁ ଟଙ୍କା ଚୋରି କରିଥିଲେ। ସେ ଏହି ଦୋଷକୁ ନ ଲୁଚାଇ ମୁହଁରେ ପ୍ରକାଶ କରିବାର ସାହସ ନ ଥିବାରୁ ବାପାଙ୍କୁ ଏକ କାଗଜରେ ଲେଖି ଜଣାଇଥିଲେ। ଫଳତଃ ସେ ଜୀବନରେ ଆଉ କେବେ ଚୋରି କରି ନ ଥିଲେ। ପିଲାମାନେ ଯଦି ବାପାମାଆଙ୍କ ଆଗରେ ନିଜର ଦୋଷ ପ୍ରକାଶ କରିଦିଅନ୍ତି, ତେବେ ସେମାନେ ନିଶ୍ଚୟ କ୍ଷମା କରିଦିଅନ୍ତି ଓ ଆଉ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି। ସେହିପରି ନାରୀ ଯଦି ସ୍ବାମୀ ଆଗରେ ସତ କହନ୍ତି ଓ ନିଜର ଦୋଷ ପ୍ରକାଶ କରିଦିଅନ୍ତି, ତେବେ ସ୍ବାମୀ ନିଶ୍ଚୟ କ୍ଷମା କରିଦେବେ ଏଥିରେ ସନ୍ଦେହ ନାହିଁ। ଏହାର ସବୁଠାରୁ ବଡ଼ ସୁଫଳ ହେଉଛି, ଏପରି ଦୋଷ ସବୁଦିନ ପାଇଁ ଚାଲିଯାଏ।
ନାରୀର ଆଉ ଦୁଇଟା ଖରାପ ଗୁଣ ହେଲା ଅତୋଷିଣୀ ଓ ପଳାୟନପରା। ସବୁବେଳେ ସ୍ବାମୀଙ୍କ ସନ୍ତୋଷ ବିଧାନ କରିବା ବା ସ୍ବାମୀ ଖୁସି ହେବା ପରି କାମ କରିବା ଓ ବାରମ୍ବାର ବାପଘରକୁ ପଳାଇଯିବାର ଧମକ ନ ଦେବା ଉଚିତ। ନାରୀଟିଏ ଯଦି ତା’ର ସ୍ବାମୀ ଓ ଶ୍ବଶୁର ଘରକୁ ନିଜର ବୋଲି ଭାବୁଥାଏ, ନିଜ ପରିବାର ପ୍ରତି କର୍ତ୍ତବ୍ୟ-ସଚେତନ ଥାଏ, ତେବେ ସେ ବାପଘରକୁ ବାରମ୍ବାର ଯାଇପାରିବ ନାହିଁ। ସ୍ବାମୀ ଘରେ ଯାହାର ଏତେ କାମ, ଯାହା ବିନା ସ୍ବାମୀ ଘରେ ଦିନେ ବା ଓଳିଏ ଚଳିପାରେନା, ସେ କିପରି ବା ବାପଘରକୁ ବାରମ୍ବାର ଯାଇପାରିବ? ମୁଁ ଯଦି ବାପଘରକୁ ଯାଏ ଓ ସେଠାରେ ଦିନେ ଓଳିଏ ରହିଯାଏ, ତେବେ ମୋ ସ୍ବାମୀଙ୍କୁ ହୋଟେଲରେ ଖାଇ ପେଟରୋଗର ଶିକାର ହେବାକୁ ପଡ଼ିବ, ମୋ ଶ୍ୱଶୁର ଠିକ୍ ସମୟରେ ଜଳଖିଆ ବା ଔଷଧ ଖାଇପାରିବେ ନାହିଁ ଓ ତାଙ୍କର ରୋଗ ବଢ଼ିଯିବ, ମୋ ଦିଅର ଠିକ୍ ସମୟରେ ଖାଇ ସ୍କୁଲ୍ ଯାଇପାରିବ ନାହିଁ- ଏପରି ଚିନ୍ତା ଯାହାର ଆସିବ ସେ କ’ଣ ବାପଘରକୁ ବାରମ୍ବାର ଯାଇପାରିବ? ଆଉ ଯଦି ଯାଏ, ତେବେ ସ୍ବାମୀ ଓ ସ୍ବାମିକୁଳ ପ୍ରତି ତା’ର ନିଷ୍ଠା ନାହିଁ ବୋଲି ବୁଝିବାକୁ ପଡ଼ିବ। ବାରମ୍ବାର ବାପଘରକୁ ଯାଉଥିବା ନାରୀ ନିଜ ଘରକୁ କେବେହେଲେ ଠିକ୍ଭାବେ ଚଳାଇପାରନ୍ତି ନାହିଁ। କୁହାଯାଏ ବାହା ହେଲା ପରେ ଝିଅ ବାପଘରେ କୁଣିଆ। ବାପଘରକୁ ଗଲେ କୁଣିଆ ପରି ଦିନେ-ଓଳିଏ ରହି ଚାଲିଆସିବା ଦରକାର। ବାପଘରେ ବି ଅଧିକ ଦିନ ରହିବା ଝିଅକୁ ସମ୍ମାନ ମିଳେ ନାହିଁ। ବାପଘରେ ଅଧିକ ଦିନ ରହିଲେ ବାପାମାଆ ସିନା କିଛି କହନ୍ତି ନାହିଁ କିନ୍ତୁ ଭାଇଭାଉଜ ବୋଝ ବୋଲି ଭାବନ୍ତି।