କୁଚିଣ୍ଡା ( ପୁରାତନ ବାମଣ୍ଡା ରାଜ୍ୟର ଉପର ବାମଣ୍ଡା) ଠାରେ ସାର୍ବଜନୀନ ଦୁର୍ଗାପୂଜା ଓ ଦଶହରା ଆରମ୍ଭ ହୋଇଥିଲା। ଆରମ୍ଭରୁ ନିରବଛିନ୍ନ ଭାବରେ କୁଚିଣ୍ଡାରେ ଦୁର୍ଗାପୂଜା ଦଶହରା ପାଳନ ହୋଇ ଆସୁଛି। ବାମଣ୍ଡା ରାଜାଙ୍କୁ ସ୍ୱପ୍ନାଦେଶ ପରେ ସୁଦୂର କଲିକତାରୁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଆଣି ପୂଜା ଆରମ୍ଭ ହୋଇଥିଲା। କଟକପରେ କୁଚିଣ୍ଡା ଦୁର୍ଗାପୂଜା ଦଶହରା ସର୍ବ ପୁରାତନ। ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତି ଜାରି ରହିଛି। କୁଚିଣ୍ଡାରେ ରହିଥିବା ତିନି ପୂଜା ମଣ୍ଡପରେ ସାଜସଜ୍ଜ‌ା କାମ ତୀବ୍ର କରିଦିଆଯାଇଛି। ସମୟ ପାଖେଇ ଆସୁଥିବାରୁ ପ୍ରସ୍ତୁତି ଶେଷ କରିବାରେ ଲାଗିପଡ଼ିଛନ୍ତି ପୂଜା କମିଟିର ସଦସ୍ୟମାନେ। ଉଭୟ ଦେବୀ ପୀଠ ଓ ମଣ୍ଡପରେ ଦୁର୍ଗାପୂଜା କମିଟିଗୁଡ଼ିକ ପକ୍ଷରୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ କାମ ଚାଲିଛି। ଦଶହରା ପାଇଁ କୁଚିଣ୍ଡା ଅଂଚଳରେ ଉତ୍ସାହ ଲାଗିରହିଥିବା ଦେଖିବାକୁ ମିଳିଛି।

ସଂକ୍ଷେପରେ କୁଚିଣ୍ଡା ଦଶହରା 

Advertisment

ସମ୍ବଲପୁରଜିଲ୍ଲା  କୁଚିଣ୍ଡା ( ପୁରାତନ ବାମଣ୍ଡା ରାଜ୍ୟର ଉପର ବାମଣ୍ଡା ) ଠାରେ ୧୯୨୭ ମସିହାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ୯୮ତମ ବର୍ଷ ପାଳିତ ହେଉଛି। ରାଜାଙ୍କ ନିର୍ଦ୍ଦେଶରେ ତତ୍କାଳୀନ କୁଚିଣ୍ଡା ଉପଜିଲ୍ଲାପାଳ ଆଖ ପାଖ  ଗାଁର ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ନେଇ ପୂଜା କରିବାକୁ ପାଇଁ ନିଷ୍ପତ୍ତି ନେଇଥିଲେ। ଅଞ୍ଚଳରେ କାରିଗର ନଥିବାରୁ ସୁଦୂର କଲିକତାରୁ ଟ୍ରେନ ଯୋଗେ ମୂର୍ତ୍ତି ଅଣାଯାଇ ବାଙ୍ଗୀୟ ଢ଼ଙ୍ଗରେ ପୂଜା ଆରମ୍ଭ ହୋଇଥିଲା। ପ୍ରଥମେ ବିଦ୍ୟୁତ ଲାଇଟ ନଥିବାରୁ ଲଣ୍ଠନ ଜାଳି ଯାତ୍ରା କରୁଥିଲେ। ୧୯୭୭ ମସିହା ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟୁତ ଆଲୋକରେ ସଜାଯାଇଥିଲା ପେଣ୍ଡାଲ। କୁଚିଣ୍ଡା ମନ୍ଦିର ଛକରେ ୫୦ ବର୍ଷ ପୂଜା ପାଳନ ପରେ ୧୯୭୮ ମସିହାରେ କୁଚିଣ୍ଡା ବସଷ୍ଟାଣ୍ଡଠାରେ ଓ ୧୯୯୩ ମସିହାରେ ପଞ୍ଚମୁଖୀ ଛକଠାରେ ଦୁଇଟି ନୂତନ ପୂଜା କମିଟି ଆରମ୍ଭ ହୋଇଥିଲା। 

ରାଜାଙ୍କୁ ନିମନ୍ତ୍ରଣ

ପ୍ରତିବର୍ଷ ଦୁର୍ଗାପୂଜା ପାଇଁ ଦେବଗଡ଼ ରାଜାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଥାଏ। ରାଜା ଆସି ମା’ଙ୍କ ଦର୍ଶନ କରିବା ପରେ ମା’ଙ୍କ ବିସର୍ଜନ କରାଯାଏ। ରାବଣ ପୋଡି ପଡ଼ିଆରେ ରାଜା ଲକ୍ଷ ବିନ୍ଧା ପ୍ରତିଯୋଗିତା ଆରମ୍ଭ କରନ୍ତି। ଏବେବି ରାଜା ଏଠାକୁ ଆସନ୍ତି। ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେ ୩ଟି ପୂଜା ପେଣ୍ଡାଲ ବୁଲି ଦେଖନ୍ତି।

ଆସ୍ଥା ଓ ବିଶ୍ୱାସ

କୁଚିଣ୍ଡା ଏକ ଶକ୍ତିପୀଠ ଭାବରେ ପରିଚିତ। କୁଚିଣ୍ଡାରେ ଦୀର୍ଘ ଦିନରୁ ମା’ ସମଲେଇ ଓ କାଳି ପୂଜା ହେଉଥିଲା। ରାଜାଙ୍କ ସମୟରେ ଜଣେ ତନ୍ତ୍ର ସାଧକ (ଗଣ୍ଡ ମାଇଝି) କୁଚିଣ୍ଡାରେ ରହୁଥିଲେ। କୁଚିଣ୍ଡା ମା’ ଦୁର୍ଗାଙ୍କ ମାନସିକ କରୁଥିବା ଭକ୍ତ ମନ ବାଂଛିତ ଫଳ ଲାଭ କରୁଥିବାର ବହୁ ଉଦାହରଣ ରହିଛି। ବର୍ଷକୁ ଥରେ ମା’ଙ୍କ ଦର୍ଶନ କଲେ ବର୍ଷ ସାରା ପରିବାର ଶୁଖ ଶାନ୍ତିରେ ରହୁଥିବାରୁ ଗାଁ ଗଣ୍ଡାରୁ ଦଶହରା ଦେଖିବାକୁ ଓ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟି ଥାଏ। ଦଶହରା ସମୟରେ ପୂଜା ମଣ୍ଡପରେ ଗୋଟିଏ ରାତ୍ରୀରେ ପ୍ରାୟ ୧ ଲକ୍ଷ ଭକ୍ତ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି।

ରାବଣ ପୋଡ଼ି, ଶାରଦୀୟ କ୍ରୀଡା, ଆତସବାଜୀ କୁଚିଣ୍ଡା ଦଶହରାର ସ୍ୱତନ୍ତ୍ର ଆକର୍ଷଣ

କୁଚିଣ୍ଡା ଦଶହରାରେ ଶାରଦୀୟ କ୍ରୀଡା, ରାବଣ ପୋଡ଼ିର ସ୍ୱତନ୍ତ୍ରତା ରହିଛି। ପ୍ରତିବର୍ଷ ରାବଣ ପୋଡ଼ି ପଡିଆରେ ବିଭିନ୍ନ ଶାରଦୀୟ ପ୍ରତିଯୋଗିତା ପରେ ରାବଣପୋଡ଼ି ଓ ଆତସବାଜୀ ଅନୁଷ୍ଠିତ ହୋଇଥାଏ। ଶାରଦୀୟ କ୍ରୀଡାରେ ପୁଚିଖେଳ, ଦଉଡି ଡିଆଁ, ଲାଖ ବିନ୍ଧା, ହାଣ୍ଡି ଫଟା, ତେଲିଆ ଖୁଣ୍ଟ, ମଇଦା ଫୁଙ୍କା, ତିନିଗୋଡ଼ିଆ ଦୌଡ଼, ୧୦୦, ୨୦୦, ୪୦୦, ଚାଲିବା, ସାଇକେଲ ରେସ, ମ୍ୟୁଜିକ ସାଇକେଲ ବାଲାନ୍ସ ରେସ, ପାଣି ପହରା, ମଣ୍ଡପ ନିକଟରେ ନାଚ ଗୀତ, କ୍ୟାରମ, ତାସ୍ ପ୍ରତିଯୋଗିତା ସହିତ ପୂଜା ଶେଷ ହୁଏ। ଏହି ସବୁ କାର୍ଯ୍ୟକ୍ରମ ମନ୍ଦିର ଛକ କମିଟି କରିଥାନ୍ତି। ଉକ୍ତ ଦିନ କୁଚିଣ୍ଡା ମୁଖ୍ୟ ମନ୍ଦିର ଛକ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଏ। ଏକ ରଥରେ ରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ପିଲାମାନଙ୍କୁ ସଜାଇ ବାନର ସେନାଙ୍କ ସହିତ ସମସ୍ତ ପୂଜା ମଣ୍ଡପ ବୁଲାଯାଏ। ମା’ଙ୍କ ଦର୍ଶନ କରି ଦୂଲଦୁଲି ଓ ଘଣ୍ଟବାଦ୍ୟ ବାଜା ସହିତ ଶୋଭାଯାତ୍ରା କରି ରାବଣପୋଡି ପଡ଼ିଆରେ ପହଞ୍ଚନ୍ତି। ପରେ ରାବଣକୁ ଶର ବିନ୍ଧି ଦାହ କରିଥାନ୍ତି। ପଡ଼ିଆରେ ୫୦ଫୁଟର ରାବଣ ପୋଡ଼ିବା ଦୃଶ୍ୟକୁ ୧ଲକ୍ଷରୁ ଅଧିକ ଲୋକ ୧ଘଣ୍ଟା ଧରି ଉପଭୋଗ କରିଥାନ୍ତି। ବିଜୟା ଦଶମୀ ଦିନ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ।

ଫୁଟବଲ ପ୍ରତିଯୋଗିତା

ଦୁର୍ଗାପୂଜା ଆରମ୍ଭ ହେଲା ଦିନଠାରୁ ୩୨ଟି ଅଂଚଳର ବଛା ବଛା ଫୁଟବଲ ଦଳକୁ ନେଇ ଶ୍ରୀ ଶ୍ରୀ ଜୟ ଦୁର୍ଗା ଫୂଟବଲ ପ୍ରତିଯୋଗିତାର ଆୟୋଜନ କରାଯାଏ। ଦଶହରାର ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇ ଅଷ୍ଟମୀ ପୂଜା ତିଥିରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥାଏ। ଗାଁ ଗାଁ ମଧ୍ୟରେ ଏହି ପ୍ରତିଯୋଗିତା ହେଉଥିବାରୁ ଖେଳ ପଡ଼ିଆରେ ଖେଳାଳିଙ୍କ ସହିତ ଦେଖଣା ହାରୀଙ୍କ ମଧ୍ୟରେ ବାଜି ମରାମରି ଚାଲେ। 

କୁଚିଣ୍ଡା ଦଶହରା

ଓଡ଼ିଶାର ଅନ୍ୟତମ ଗଣପର୍ବ ହେଉଛି ଦଶହରା। ଏହି ପର୍ବକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶରା, ନବରାତ୍ରୀ ଓ ଦୁର୍ଗାପୂଜା ଭାବେ ପାଳନ କରାଯାଉଛି। ପବିତ୍ର ବିଜୟା ଦଶମୀ ଦିନ ମା’ ଦୁର୍ଗାଙ୍କ ମନ୍ଦିର ଛକ ପୂଜା ମଣ୍ଡପରେ ପୁଷ୍ପାଞ୍ଜଳି ସାରିବା ପରଠାରୁ ଯାତ୍ରା ଆରମ୍ଭ ହୁଏ। ଯାତ୍ରା ୨୪ ଘଣ୍ଟା ଧରି ରାତି ଦିନ ଅନୁଷ୍ଠିତ ହୋଇଥାଏ। ପୂଜା କମିଟି ପକ୍ଷରୁ ପ୍ରତି ମଣ୍ଡପ ନିକଟରେ ରାତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ-ଗୀତ, ନାଚ, ଅପେରା, ଆର୍କେଷ୍ଟ୍ରା ପରିବେଷଣ ହୋଇଥାଏ। ସମ୍ପୂର୍ଣ୍ଣ ସହର ମନ୍ଦିର ଛକରୁ ରାଜୀବ ଗାନ୍ଧୀ ଛକ, ମୁକୁନ୍ଦି ଖେଳ ପଡ଼ିଆ, କଲେଜ ପଡ଼ିଆ ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ସଜାଯାଇଥାଏ। ପୂର୍ବରୁ ଗୋଟିଏ ଦିନ ଦଶହରା ହେଉଥିବା ସମୟରେ ବର୍ତ୍ତମାନ ପ୍ରାୟ ପାଞ୍ଚ ଦିନ ଧରି ଲୋକଙ୍କ ଗହଳି ରହୁଛି। 

୯୮ତମ ବର୍ଷ ପୂର୍ତ୍ତି

ଚଳିତ ବର୍ଷ କୁଚିଣ୍ଡା ଦୁର୍ଗାପୂଜାର ୯୮ ତମ ବର୍ଷ ପାଳନ କରାଯାଉଛି। ଦୁର୍ଗାପୂଜା ମନ୍ଦିର ଛକ କମିଟି ସଭାପତି ଏନଏସି ଚେୟାରମ୍ୟାନ୍ ପ୍ରଦ୍ୟୁତ କୁମାର ମହାନ୍ତି ସଭାପତି ଭାବରେ ଆଗାମୀ ତିନିବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଏହି କମିଟିରେ ଉପସଭାପତି ଭାବେ ଫକିର ବରିହା, ଗଣେଶ ଅଗ୍ରୱାଲ, ଗଣେଶ ରାମ ଅଗ୍ରୱାଲ, ଅରୁଣ ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ ଗଗନ ଶର୍ମା, ସରୋଜ ଚନ୍ଦ୍ର ରାଓ, କୋଷାଧକ୍ଷ ଭାବେ ସଂଜିତ ଶର୍ମା, ସହ କୋଷାଧକ୍ଷ  ଭାବେ ଆନନ୍ଦ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି। ଷଷ୍ଠିରୁ ମଣ୍ଡପରେ ନୀତି ନିୟମରେ ପୂଜା ଆରମ୍ଭ କରି ୩ ଅକ୍ଟୋବରରେ ମା’ଙ୍କୁ ଖରଲା ନଦୀରେ ବିସର୍ଜନ କରାଯିବ।