କାହିଁକି ଦେବକୀ ଧରିଥିଲେ ଯଶୋଦାଙ୍କ ପାଦ, ଜାଣନ୍ତି କି?

ଦ୍ୱାପର ଯୁଗର ଦୁଇ ଜଣ ଶ୍ରେଷ୍ଠ ମାତା ହେଉଛନ୍ତି ମମତାମୟୀ ଗୋପପୁର ର ନନ୍ଦରାଜାଙ୍କ ପତ୍ନୀ ଯଶୋଦା ଓ ଶ୍ରୀକୃଷ୍ଣଙ୍କ ଗର୍ଭଧାରିଣୀ ରାଜମାତା ଦେବକୀ। ମାତ୍ର ପରିସ୍ଥିତି ଏମିତି ହୋଇଥିଲା ଯେ ଦେବକୀଙ୍କୁ ଯଶୋଦାଙ୍କ ପାଦ ଧରିବାକୁ ପଡ଼ିଥିଲା । କାହିଁକି ଜାଣିଛନ୍ତି। ଆସନ୍ତୁ ଜାଣିବା ପୁରାଣର ଏହି ଅପୂର୍ବ ବିଭବକୁ।
ଯେତେବେବେଳେ ୮ ବର୍ଷର ବୟସରେ କଂସର ନିମନ୍ତ୍ରଣ ପାଇ ଅକ୍ରୁର ସହିତ ରାମ ବଳରାମ ଗୋପପୁର ଛାଡ଼ି ଆସିଥିଲେ, ତା ପରେ ଆଉ ଗୋପପୁରର ମୁହଁ ମାଡ଼ି ନ ଥିଲେ ଜଗତପତି ଶ୍ରୀକୃଷ୍ଣ। ଗୋପପୁରର ବାଲ୍ୟଲୀଳା ଭୁଲି ସମଗ୍ର ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ନରପତି ଭାବେ ସୁଖରେ ପ୍ରଜାପାଳନରେ ନିମଗ୍ନ ହୋଇଯାଇଥିଲେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ।


ତେବେ ଗୋପପୁର ଛାଡ଼ିବାର ପ୍ରାୟ ୧ଶହ ବର୍ଷ ପରେ ବୃଦ୍ଧ ପିତା ବସୁଦେବଙ୍କ ମାନସିକ ପୂରଣ ପାଇଁ ଦ୍ୱାରିକାନରେଶ ଶ୍ରୀକୃଷ୍ଣ ପ୍ରଭାସ ଯଜ୍ଞର ଆାୟୋଜନ କରିଥିଲେ। ଏହି ଯଜ୍ଞକୁ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସବୁ ଦେବାଦେବୀ, ରାଜା ପ୍ରଜାଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ କେବଳ ଗୋପପୁରର ନନ୍ଦରାଜା , ରାଣୀ ଯଶୋଦା ଓ ଗୋପପୁରବାସୀଙ୍କୁ ଏହି ପ୍ରଭାସ ଯଜ୍ଞକୁ ନିମନ୍ତ୍ରଣ କରାଯାଇ ନ ଥିଲା ରାଜମାତା ଦେବକୀଙ୍କ ନିର୍ଦ୍ଦେଶକ୍ରମେ। ମାତ୍ର କୌଣସି ସୂତ୍ରରୁ ଦେବଶ୍ରୀ ନାରଦଙ୍କ ଠାରୁ ପୁତ୍ର ଶ୍ରୀକୃଷ୍ଣ ପ୍ରଭାସ ଯଜ୍ଞ କରୁଥିବା ଖବର ପାଇ ବୃଦ୍ଧ ନନ୍ଦରାଜା ପତ୍ନୀ ଯଶୋଦା ଓ ଗୋପବାସୀ ଧରି ପ୍ରଭାସ ତୀର୍ଥ ଅଭିମୁଖେ ବାହାରିଥିଲେ। କାରଣ ମା ଯଶୋଦା ନନ୍ଦରାଜାଙ୍କୁ ବୁଝାଇଥିଲେ ଯେ ପୁତ୍ରର ଯଜ୍ଞକୁ ପିତାଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ, ଏଥିରେ ପିତାମାତା ସ୍ୱୟଂ ସାମିଲ ହୋଇ ସନ୍ତାନର ପୂଣ୍ୟ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି। ମାତ୍ର କାଳେ ଯଶୋଦାଙ୍କୁ ଦେଖିଲେ ପୁତ୍ର ଶ୍ରୀକୃଷ୍ଣ ତାଙ୍କ ପ୍ରତି ଆକର୍ଷିତ ହୋଇ ପୁଣି ଗୋପପୁର ଚାଲିଯିବ,ଏହି ଆଶଙ୍କାରେ ମାତା ଦେବକୀ ନନ୍ଦରାଜା, ଯଶୋଦା ଓ ଗୋପବାସୀଙ୍କୁ ଯଜ୍ଞସ୍ଥଳକୁ ନ ଯିବା ପାଇଁ କଟକଣା ଲଗାଇଥିଲେ। ତେବେ ଯଜ୍ଞଶାଳା ପାଖରେ ପହଞ୍ଚି ଭିତରକୁ ଯିବା ପାଇଁ ଯଶୋଦା ଓ ନନ୍ଦରାଜା ଚାହାନ୍ତେ, ତାଙ୍କୁ ବାରଣ କରି ଫେରାଇ ଦେଇଥିଲେ ଦେବକୀ। ଏହି ସମୟରେ ସେଠାରେ ଉପସ୍ଥିତ ହୋଇଥିଲେ ନାରଦ ମୁନୀ। ଦୁଇ ମାଆ ଯଶୋଦା ଓ ଦେବକୀଙ୍କ ମଧ୍ୟର କୃଷ୍ଣ ମୋର ବୋଲି ଚାଲିଥିିବା ବିବାଦର ସମାଦାନ ପାଇଁ ଦେବର୍ଷି ନାରଦ ଏକ ପ୍ରସ୍ତାବ ଆଗତ କରିଥିଲେ। କହିଥିଲେ ପୁଅ ଯେତେ ଦୂରରେ ଥିଲେ ମଧ୍ୟ ମାଆର ଡ଼ାକରାକୁ ଶୁଣି ପାରେ। ତେବେ କୃଷ୍ଣ ଯାହା ଡାକରେ ପ୍ରଭାସ ଯଜ୍ଞସ୍ଥଳ ଛାଡ଼ି ଆସି ଏଠାରେ ପହଞ୍ଚିବେ, ତାଙ୍କର କୃଷ୍ଣଙ୍କ ଉପରେ ଅଧିକ ଅଧିକାର ଅଛି ବୋଲି ଧରାଯିବ। ଏଥିରେ ନିଜେ ଦେବକୀ ରାଜମାତା ହୋଇଥିବାରୁ , ଆଗେ ଶ୍ରୀକୃଷ୍ଣଙ୍କୁ ଡାକିବାକୁ ତାଙ୍କୁ ଅନୁମତି ମିଳୁ ବୋଲି ନାରଦ ମହର୍ଷିଙ୍କୁ କହିଥିଲେ।ଏହି ଆଧାରରେ ରାଜମାତାର ଅହଂକାରରେ ଦେବକୀ କୃଷ୍ଣଙ୍କୁ ଡାକିଥିଲେ ମଧ୍ୟ କୃଷ୍ଣ ଯଜ୍ଞଶାଳା ଛାଡ଼ି ଆସି ନ ଥିିଲେ। ମାତ୍ର ଯଜ୍ଞ ଶାଳାର କୋଳାହଳ ଯୋଗୁଁ କୃଷ୍ଣ ତାଙ୍କ ଡାକ ଶୁଣି ପାରି ନାର୍ହାଁନ୍ତି ବୋଲିି କହି ଅନ୍ୟ ଦିନ ଡାକିବେ ବୋଲିି ରାଜମାତା ଦେବକୀ କହିଥିଲେ। ତେବେ ନାରଦ ମୁନୀ ମା ଦେବକୀଙ୍କୁ ଅନ୍ୟ ଦିନ ଡାକିବାର ଅନୁମତି ଦେଇ ମାଆ ଯଶୋଦାଙ୍କୁ ଶ୍ରୀକୃଷ୍ଣଙ୍କୁ ଡାକିବା ପଇଁ କହିଥିଲେ।

ଦୀର୍ଘ ୧୦୦ ବର୍ଷ ହେବ ଶ୍ରୀକୃଷ୍ଣଙ୍କୁ ଦେଖି ନ ଥିବା ଦେବକୀ ସେହି ଆଣ୍ଠୁଆ ଗୋପାଳ କୃଷ୍ଣଙ୍କୁ ସ୍ମରଣ କରି ବାତ୍ସଲ୍ୟ ମମତାରେ ଜୁଡ଼ୁବୁଡ଼ୁ ହୋଇ ଅତି ଆକୁଳରେ କଳାକାହ୍ନ ଶ୍ରୀକୃଷ୍ଣଙ୍କୁ ଡାକିବାରୁ ଯଜ୍ଞଶାଳାରେ ବସି ପାରି ନ ଥିଲେ ଶ୍ରୀକୃଷ୍ଣ। ତେଣୁ ଯଜ୍ଞଶାଳାରେ ଏକ ପ୍ରତୀକ ଶୀକୃଷ୍ଣଙ୍କୁ ଆହୂତିଦେବା ପାଇଁ ବସାଇ ନିଜେ ବାଳକୃଷ୍ଣ ବେଶରେ ଆସି ମାଆ ଯଶୋଦାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହା ଦେଖି ଦେବକୀଙ୍କ ମନରେ ଥିବା ଅଂହକାର ଚୂର୍ଣ୍ଣ ହୋଇଥିଲା। ସେ ତିରସ୍କାର କରୁଥିବା ଯଶୋଦାଙ୍କ ପାଦ ଧରି କ୍ଷମା ମାଗିବା ସହିତ ଯଶୋଦାଙ୍କ ବାତ୍ସଲ୍ୟମମତା ପାଖରେ ତାଙ୍କ ରାଜମାତା ପଦବି ତୁଛ ବୋଲିି କହି ତାଙ୍କ ପାଦ ତଳେ ଲୋଟି ପଡ଼ିଥିଲେ।

ସମ୍ବନ୍ଧିତ ଖବର