ବ୍ୟାଙ୍କକକ୍: ‘ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ’ରେ ଆପଣ ବିଭିନ୍ନ ପ୍ରକାରର ଫଳ, ପରିବା, ଫୁଲ, ସଫଳତା, ସୃଜନଶୀଳତା, ଶାରୀରିକ ଗଠନ, ଦକ୍ଷତା ଆଦି ସ୍ଥାନ ପାଇଥିବାର ଦେଖିଛନ୍ତି। ତେବେ ଆମେ ଆଜି ଆପଣଙ୍କୁ କହିବୁ ରେକର୍ଡ ସୃଷ୍ଟିକାରୀ ଏକ ଚୁମ୍ବନ ବିଷୟରେ। ଏକ ଥାଇ ଦମ୍ପତି ୫୮ ଘଣ୍ଟା ୩୫ ମିନିଟ୍ ଧରି ଚୁମ୍ବନ ଦେଇ ଏହି ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ୨୦୧୩ ମସିହାରେ ‘ଗିନିଜ ୱାର୍ଲ୍ଡ ରେକର୍ଡ’ରୁ ଏହି ଶ୍ରେଣୀକୁ ହଟାଇ ଦିଆଯାଇଥିଲା।
ଦର୍ଶାଯାଇଥିଲା ଯେ ଏହା ବିପଦ୍ଜନକ ଏବଂ ଗିନିଜ୍ ରେକର୍ଡର ନୀତିକୁ ଅନୁସରଣ କରୁନାହିଁ। ଏହି ରେକର୍ଡ ୧୨ ଫେବ୍ରୁଆରି ୨୦୧୩ରେ ଥାଇଲ୍ୟାଣ୍ଡର ପଟ୍ଟାୟାରେ ଆରମ୍ଭ ହୋଇ ଭାଲେଣ୍ଟାଇନ୍ସ ଡେ’ରେ ଶେଷ ହୋଇଥିଲା।
ସମୁଦାୟ ନଅ ଜଣ ଦମ୍ପତି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ୭୦ ବର୍ଷରୁ ଅଧିକ ବୟସ୍କ ଥିବା ଏକ ଦମ୍ପତି ମାତ୍ର ୧ ଘଣ୍ଟା ୩୮ ମିନିଟ୍ ଧରି ଚୁମ୍ବନ ଦେଇ ପ୍ରତିଯୋଗିତାରୁ ଓହରି ଯାଇଥିଲେ। କାରଣ ଏଥିରେ ଭାଗ ନେଇଥିବା ବୟସ୍କ ବ୍ୟକ୍ତି ଜଣକ ଅଧିକ ସମୟ ଛିଡ଼ା ହୋଇ ରହି ପାରିନଥିଲେ।
ଶେଷକୁ କେବଳ ୪ ଜଣ ଦମ୍ପତି ଯାଇଥିଲେ। ଥାଇ ଦମ୍ପତି ୫୮ ଘଣ୍ଟା ୩୫ ମିନିଟ୍ ଧରି ଚୁମ୍ବନ ଦେଇ ପୂର୍ବରୁ ୨୦୧୧ ମସିହାରୁ ରହିଥିବା ୫୦ ଘଣ୍ଟା ୨୫ ମିନିଟ୍ର ରେକର୍ଡ ଭାଙ୍ଗିଥିଲେ। ତେବେ ଏହି ଦମ୍ପତି ୨୦୧୧ ମସିହାରେ କରିଥିବା ନିଜ ରେକର୍ଡକୁ ପୁଣି ଥରେ ଭାଙ୍ଗି ବିଜେତା ହୋଇଥିଲେ। ଏଥିପାଇଁ ସେମାନଙ୍କୁ ପ୍ରାୟ ୨.୩୫ ଲକ୍ଷ ଟଙ୍କା ଓ ୨ଟି ହୀରା ମୁଦି ମିଳିଥିଲା।
ଏହି ପ୍ରତିଯୋଗିତା ଦୀର୍ଘ ସମୟ ଧରି ହେଉଥିବା ହେତୁ ପ୍ରତିଯୋଗୀମାନଙ୍କ ମଧ୍ୟରେ ନିଦ୍ରାହୀନତା, ମାନସିକ ରୋଗ ଆଦି ସମସ୍ୟା ଉପୁଜିବା ପରେ ଏହି ବର୍ଗକୁ ବନ୍ଦ କରିବା ନିଷ୍ପତ୍ତି ନିଆଯାଇଥିଲା।