କମ ଦିନର ଭାଲିଡିଟି ‌ଦେଇ ହଜାର ହଜାର କୋଟି ଟଙ୍କା ଆୟ କରୁଛନ୍ତି ଟେଲିକମ କମ୍ପାନି, ଜାଣନ୍ତୁ କିଏ କରୁଛି କେତେ ଆୟ?

ନୂଆଦିଲ୍ଲୀ: କ’ଣ ଆପଣ ଜାଣିଛନ୍ତି ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ବା ଭିଆଇର ମାସିକ ପ୍ରିପେଡ୍ ପ୍ଲାନର ଭାଲିଡିଟି ‌୩୦ଦିନ ବଦଳରେ ୨୮ ଦିନ କାହିଁକି? ଯଦି ଆପଣ ଏହାକୁ ହିସାବ କରିବେ ତେବେ ବର୍ଷକରେ ୧୨ ମାସ ବଦଳରେ ଗ୍ରାହକଙ୍କୁ ୧୩ମାସ ରିଚାର୍ଜ କରିବାକୁ ପଡୁଛି । ଦେଶରେ ବର୍ତ୍ତମାନ ଗ୍ରାହକ ଜିଓ, ଏୟାରଟେଲ୍, ଭିଆଇକୁ ଅଧିକ ବ୍ୟବହାର କରୁଛନ୍ତି । ଏହି ତିନୋଟି ଟେଲିକମ୍ ସୁବିଧା ମଧ୍ୟରୁ ଜିଓ ବେଶି ଲୋକପ୍ରିୟ ହୋଇଥିବା ବେଳେ ହଠାତ୍ ପ୍ଲାନର ଦର ବୃଦ୍ଧି କିଛି ମାତ୍ରାରେ ଗ୍ରାହକଙ୍କୁ ଅସନ୍ତୋଷ କରିଛି । ଆଉ ଏହାରି ମଧ୍ୟରେ ଏକ ବଡ ଖୁଲାସା ହୋଇଛି । ଯଦି ଆମେ ଏହି ଟେଲିକମ୍ କମ୍ପାନି, ଗ୍ରାହକଙ୍କୁ ଦେଉଥିବା ସୁବିଧା ବାବଦରେ କହିବା ତେବେ ମାସିକିଆ ପ୍ଲାନ୍ ମାଧ୍ୟମରେ ଗ୍ରାହକ ଠକାମିର ଶିକାର ହେଉଛନ୍ତି ବୋଲି ଜଣାପଡିଛି ।

ଯଦି ଆମେ ପ୍ରକୃତରେ ହିସାବ କରିବା ତେବେ ଏହି ଟେଲିକମ୍ କମ୍ପାନିଗୁଡିକ ମାସିକିଆ ପ୍ଲାନ୍ ଭାଲିଡିଟିରୁ ୨ଦିନ କାଟି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା କେମିତି। ଯଦି ଆମେ ୧୨ ମାସକୁ ୨୮ ଦିନରେ ଗୁଣିବା ତାହେଲେ ୩୩୬ଦିନ ହେଉଛି । ଅର୍ଥାତ୍ ବର୍ଷକ ୧୨ ମାସ ୩୬୫ ଦିନ ହୋଇଥିବା ବେଲେ ଏହି ମାସିକିଆ ପ୍ଲାନରେ ୨୯ଦିନ କମ୍ ଭ୍ୟାଲିଡିଟି ମିଳୁଛି । ୧୨ ମାସ ବଦଳରେ ଗ୍ରାହକଙ୍କୁ ୧୩ମାସ ରିଚାର୍ଜ କରିବାକୁ ପଡୁଛି । ୧୩ ମାସର ରିଚାର୍ଜ କରିବା ପରେ ବି ଏହା ୩୬୪ଦିନ ହେଉଛି, ଆଉ ଗୋଟିଏ ଦିନ ବଳିପଡୁଛି ।

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୁଇ ଦୁଇ ଦିନର ଭାଲିଡିଟିକୁ କମ୍ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ଟେଲିକମ୍ କମ୍ପାନି । ଏୟାରଟେଲ୍ ୫୪୧୫ କୋଟି ଟଙ୍କା ଗ୍ରାହକଙ୍କଠୁ ନେଇଯାଉଥିବା ବେଲେ ଜିଓ ୬୧୬୮ କୋଟି ଏବଂ ଭିଆଇ ୨୯୩୪କୋଟି ରୋଜଗାର କରୁଛି । ଏହିପରି ରିଚାର୍ଜ ପ୍ଲାନ୍ ୩ମାସିଆ ରିଚାର୍ଜ ପ୍ଲାନରେ ବି ଲାଗୁ ହେଉଛନ୍ତି । ୩ମାସିଆ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୯୦ଦିନ ବଦଳରେ ୮୪ଦିନ ରହୁଛି । ଯଦି ଏହାକୁ ହିସାବ କରାଯାଏ ତେବେ ଗ୍ରାହକ ଟେଲିକମ୍ କମ୍ପାନିମାନଙ୍କୁ ଏକମାସ ଅଧିକ ଟଙ୍କା ଦେଉଛନ୍ତି ବୋଲି କୁହାଯାଇପାରିବ ।

ସମ୍ବନ୍ଧିତ ଖବର